ଘୁର୍ଣ୍ଣିଝଡ଼ରେ ୪ ଗ୍ରାମ ପ୍ରଭାବିତ: ଅନେକ ଆହତ, ୨ ମୃତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ନିକଟସ୍ଥ କଙ୍କଡା ଓ କିଆପାଣିପୋଷି ଅଞ୍ଚଳରେ ରବିବାର ଅପରାହ୍ନରେ ହଠାତ୍ ଏକ ଭୟଙ୍କର ଘୁର୍ଣ୍ଣି ଝଡ ବହିଯାଇ ବ୍ୟାପକ କ୍ଷତି କରିଛି କରିଥିବା ଖବର ମିଳିଛି। ସୂଚନା ଅନୁସାରେ ଦିନ ପ୍ରାୟ ୪ଟା ସମୟରେ ଏହି ଭୟଙ୍କର ଘୁର୍ଣ୍ଣି ଝଡ ଆସି ପ୍ରାୟ ୩୦ ମିନିଟ୍ ଧରି ତଣ୍ଡବ ଚାଳାଇଥିଲା। ତିବ୍ର ପବନ ଓ ଘୁର୍ଣ୍ଣି ବେଗରେ ୪ ଟି ଗ୍ରାମର ୭୦ ରୁ ଉର୍ଦ୍ଧ ଘରର ଛାତ ଉଡିଯାଇଥିବା ସହ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଘଟଣାରେ ଏପର୍ଯ୍ୟନ୍ତ ପ୍ରାୟ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୁରୁତର ଆହତ ମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଜାରିରହିଛି ।ଘୁର୍ଣ୍ଣି ଝଡର ପ୍ରଭାବରେ କରଞ୍ଜିଆ ଦୋଳ ମେଳା ଦେଖିବାକୁ ଯାଉଥିବା ଏକ ଅଟୋକୁ ମଧ୍ୟ ପବନ ଉଡାଇ ନେଇ ନିକଟସ୍ଥ ପୋଖରୀରେ ପକେଇଦେଇଥିବା ବେଳେ ଗୋଟିଏ ସ୍କୁଟି ଗୋଟିଏ ବାଇକ ମଧ୍ଯ ପୋଖରୀ ମଧ୍ୟରେ ପଡ଼ିଥିବା ବେଳେ ଗାଡି ଗୁଡିକ ଉଦ୍ଧାର କରାଯାଇଛି । ।ଆହତ ଲୋକମାନଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣାଯାଇଥିଲା। ସେଠାରେ ଡ଼ା ଅନିତା ସିଂ, ଡ଼ା ଡିଏନ ପରିଡା,ଡା. ଅଙ୍କିତା ବିଶ୍ୱାଳ, ଡା. ମୌସୁମୀ ମହାନ୍ତି, ଡା. ଶକ୍ତି ପ୍ରଧାନ ଓ ତାଙ୍କ ଚିକିତ୍ସକ ଦଳ ଗୁରୁତର ଆହତମାନଙ୍କ ଅବସ୍ଥା ତତ୍କ୍ଷଣାତ୍ ଅନୁଧ୍ୟାନ କରି ଚିକିତ୍ସା ଆରମ୍ଭ କରିଥିଲେ। ଗୁରୁତରଙ୍କ ସଂଖ୍ୟା ଆସ୍ତେ ଆସ୍ତେ ବଢ଼ୁଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି।ଘଟଣାର ଖବର ପାଇ ପି.ଏ. ଆଇ.ଟି.ଡି.ଏ ଚିତ୍ତରଞ୍ଜନ ମହାନ୍ତ ଓ ସାମ୍ବାଦିକ ଜିତେନ୍ଦ୍ର ରାଜ ମେଡିକାଲ ରେ ପହଞ୍ଚି ଗୁରୁତର ଆହତଙ୍କୁ ଶୀଘ୍ର ଚିକିତ୍ସାଳୟକୁ ପହଞ୍ଚାଇବା ପାଇଁ ପ୍ରାଇଭେଟ ଆମ୍ବୁଲାନ୍ସ ଓ ଯାନବାହନର ବ୍ୟବସ୍ଥା କରିଥିଲେ। ପରେ ଘଟଣା ସମ୍ବନ୍ଧରେ ସୂଚନା ପାଇ ସାଂସଦ ଙ୍କ ଚିକିତ୍ସାଳୟ ପ୍ରତିନିଧି ଲଷ୍ମୀ ଝା, ବିଜେପି ଜିଲ୍ଲା ଉପସଭାପତି ଆଶିଷ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଦନାର୍ଦନ ବେହେରା, ସାମ୍ବାଦିକ ଦିବ୍ୟ ରଞ୍ଜନ ପତି ମଧ୍ୟ ଚିକିତ୍ସାଳୟରେ ପହଞ୍ଚି ଗୁରୁତରଙ୍କୁ ସହାୟତା ପ୍ରଦାନ କରିବା ସହିତ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଇବାରେ ସହଯୋଗ କରିଥିଲେ।ପରେ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବା ବେଳେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଘଟିଥିବା ୨ ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ SDRFରୁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ସମସ୍ତ ପିଡ଼ିତ ବ୍ୟକ୍ତିଙ୍କ ପାଇଁ ସବୁ ପ୍ରକାର ଚିକିତ୍ସା ସହଯୋଗ ଦେବାକୁ ଆଶ୍ୱାସନ ଦେଇଛନ୍ତି । ସମଗ୍ର ଘଟଣା ଉପରେ ରାଜ୍ୟ ସରକାର ତୀକ୍ଷ୍ମ ନଜର ରଖିଛନ୍ତି । ଏହାସହ ସମସ୍ତ ଅଞ୍ଚଳରେ ଘଟିଥିବା ଘର ଦ୍ଵାର ଭାଙ୍ଗି ବେଘର ହୋଇ ପଡିଥିବା ଲୋକଙ୍କୁ ତୁରନ୍ତ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କ୍ଷୟକ୍ଷତିକୁ ଯଥାଶୀଘ୍ର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।


