ଉପଭୋକ୍ତା ମୂଲ୍ୟସୂଚୀ ସହର ତାଲିକା, ବାଦ୍ ପଡ଼ିଲା ରାଉରକେଲା

ଭୁବନେଶ୍ୱର, (ୱାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ପ୍ରତିମାସରେ ଖାଉଟି ମୂଲ୍ୟ ସୂଚୀ ପ୍ରକାଶ ପାଇଁ ସଂଗ୍ରହ କରାଯାଉଥିବା ଦରଦାମ୍ ତାଲିକାରୁ ଓଡ଼ିଶାର ଶିଳ୍ପ ସହର ରାଉ‌ରକେଲାକୁ ବାଦ୍ ଦିଆଯାଇଛି। ପୂର୍ବରୁ ଅନୁଗୁଳ-ତାଳଚେର ସମେତ ରାଉରକେଲାରୁ ତଥ୍ୟ ସଂଗ୍ରହ କରାଯାଉଥିଲା। ଓଡ଼ିଶାର ଏହି ଦୁଇ ସହରରୁ ନିଆଯାଉଥିବା ତଥ୍ୟକୁ ଦେଶର ଅନ୍ୟ ରାଜ୍ୟର ସହର ଗୁଡ଼ିକରୁ ସଂଗୃହୀତ ମୂଲ୍ୟ ତଥ୍ୟ ସହ ମିଶାଇ ପ୍ରତିମାସରେ ଶିଳ୍ପ ଶ୍ରମିକମାନଙ୍କ ପାଇଁ ଖାଉଟି ମୂଲ୍ୟ ସୂଚୀ ପ୍ରକାଶ ପାଇ ଆସୁଥିଲା। ଜାତୀୟ ମୂଲ୍ୟ ସୂଚୀ ଆଧାରରେ ସରକାରୀ କର୍ମଚାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ ଏବଂ ବୀମା କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ମଧ୍ୟ ବଦଳିଥାଏ। କିନ୍ତୁ ଅକ୍ଟୋବର ମାସ ପାଇଁ ସିମଲାସ୍ଥିତ ଶ୍ରମ ବ୍ୟୁରୋ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଖାଉଟି ମୂଲ୍ୟ ସୂଚୀ ସହଗ୍ର ତାଲିକାରୁ ୧୩ଟି ସହରକୁ ବାଦ ଦିଆଯାଇଥିବା ବେଳେ ୨୩ଟି ନୂଆ ସହରକୁ ସାମିଲ କରାଯାଇଛି। ଗତ ସେପ୍ଟେମ୍ବରରୁ ଏହି ପରିବତର୍ନ କାର୍ଯ୍ୟକାରୀ କରାଯାଇଛି। ସେପ୍ଟେମ୍ବର ମାସରେ ଦେଶର ଖାଉଟି ମୂଲ୍ୟ ସୂଚୀ ୧୧୮.୧ ପଏଣ୍ଟ ଥିବାବେଳେ ଅକ୍ଟୋବରରେ ଏହା ୧୧୯.୫ ପଏଣ୍ଟକୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ କଟକର ମୂଲ୍ୟ ସୂଚୀ ୧୨୬.୯ ପଏଣ୍ଟ ଥିବାବେଳେ ଅକ୍ଟୋବରରେ ମଧ୍ୟ ତାହା ଅପରିବର୍ତ୍ତିତ ରହିଛି। ତେବେ କେନ୍ଦୁଝରରେ ଖାଉଟି ମୂଲ୍ୟ ସୂଚୀ ସେପ୍ଟେମ୍ବରରେ ୧୨୫.୭ ପଏଣ୍ଟ ଥିବାବେଳେ ଅକ୍ଟୋବରରେ ତାହା ୧୨୫.୮ ପଏଣ୍ଟକୁ ବୃଦ୍ଧି ପାଇଛି। ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ମୂଲ୍ୟ ସୂଚୀ ଆଧାରରେ ସରକାରୀ କର୍ମଚାରୀମାନେ ଆସନ୍ତା ଜାନୁଆରି ପହିଲାରୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବାକୁ ହକ୍‌ଦାର ହେ‌େ‌ବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେବେ କରୋନା ମହାମାରୀ ପରିପ୍ରେକ୍ଷୀରେ ଏମାନଙ୍କ ମହଙ୍ଗା ଭତ୍ତାକୁ ଆସନ୍ତା ଜୁନ ପର୍ଯ୍ୟନ୍ତ ନବଢ଼ାଇବାକୁ ନି‌ର୍ଦ୍ଦେଶ ରହିଥିବାରୁ ଆସନ୍ତା ଜୁଲାଇ ପହିଲାରୁ ସେମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ବୋଲି ଆଶା କରାଯାଉଛି। ଏବେ ସରକାରୀ କର୍ମଚାରୀମାନେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ସେହିଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ଏବେ ୧୬୫.୪ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। କିନ୍ତୁ ମୂଲ୍ୟ ସୂଚୀ ବୃଦ୍ଧି ଫଳରେ ଆସନ୍ତା ଜାନୁଆରି ପହିଲାରୁ ସେମାନେ ଅଧିକ ୬ ପ୍ରତିଶତ ଅର୍ଥାତ୍‌ ୧୭୧.୪ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ ବୋଲି ଆକଳନ କରାଯାଇଛି। କିନ୍ତୁ ସେମାନଙ୍କ ମହଙ୍ଗା ଭତ୍ତା ଉପରେ ସରକାର ରୋକ୍‌ ଲଗାଇଥିବାରୁ ସେମାନେ ମଧ୍ୟ ବର୍ଦ୍ଧିତ ମହଙ୍ଗା ଭତ୍ତା ଆସନ୍ତା ଜୁଲାଇ ପହିଲାରୁ ପାଇବେ ବୋଲି ଆଶା କରାଯାଉଛି। କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ ଆସନ୍ତା ‌ଫେବ୍ରୁଆରି ପହିଲାରୁ ସଂଶୋଧିତ ହାରରେ ୨୬.୩୨ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ ବୋଲି ଆକଳନ କରାଯାଇଛି। ବୀମା କର୍ମଚାରୀମାନେ ଏବେ ୭୫.୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କ ମହଙ୍ଗା ଭତ୍ତା ଆସନ୍ତା ଫେବ୍ରୁଆରି ପହିଲାରୁ ୩.୬ ପ୍ରତିଶତ ବୃଦ୍ଧି ପାଇ ୭୮.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ନଭେମ୍ବର ମାସର ଖାଉଟି ମୂଲ୍ୟ ସୂଚୀ ଡିସେମ୍ବର ୩୧ ତାରିଖରେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇବ। ସେହି ତଥ୍ୟ ଆଧାରରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଆଗାମୀ ଦିନର ମହଙ୍ଗା ଭତ୍ତା ସଂଖ୍ୟା ବଦଳିବା ସମ୍ଭାବନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ