ଜଳିଗଲା ଗ୍ରସଜିଁଙ୍କ କାର୍, ବାହାରିନ୍ ଗ୍ରାଁ ପ୍ରି ଜିତିଲେ ହାମିଲଟନ୍‌

ନୂଆଦିଲ୍ଲୀ: ରବିବାର ୫୭ ଲ୍ୟାପ୍ ବିଶିଷ୍ଟ ବାହାରିନ୍ ଗ୍ରାଁ ପ୍ରିର ପ୍ରଥମ ଲ୍ୟାପ୍‌ରେ ହିଁ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ତିନି ନମ୍ବର ଟର୍ନରେ ହସ୍ ଦଳର ଚାଳକ ରୋମେନ ଗ୍ରସ୍‌ଜିଁଙ୍କ କାର୍ ହଠାତ୍ ଆଲଫା ତୌରିର ଡାନିଏଲ୍ କିଭାତଙ୍କ କାର୍‌କୁ ଧକ୍କା ଦେଇ ସୁରକ୍ଷା କାନ୍ଥରେ ଖୁବଜୋରରେ ପିଟି ହୋଇଯାଇଥିଲା। ଫଳରେ କ୍ଷଣକ ଭିତରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଘଣ୍ଟାପ୍ରତି ଅଢ଼େଇ ଶହ କିଲୋମିଟରରୁ ଅଧିକ ଗତିଥିବା ପେସାଦାର ଓ ଦାମୀ ଫର୍ମୁଲା ୱାନ୍ କାର୍‌ଟିର ଫୁଏଲ୍ ଟ୍ୟାଙ୍କ ମଝିରୁ ଫାଟି ଯାଇ ଏଥିରେ ନିଆଁ ଲାଗି ଯାଇଥିଲା। ସମସ୍ତଙ୍କ ହୃଦସ୍ପନ୍ଦନ ଯେମିତି ବନ୍ଦ ହୋଇ ଯାଇଥିଲା। ବାହାରିନ୍ ସର୍କିଟରେ ଉପସ୍ଥିତ ବିଶେଷଜ୍ଞ, ଷ୍ଟିୱାର୍ଡ, ଅଧିକାରୀ ଓ ପିଟ୍ ଗାର୍ଲ ଗ୍ରସ୍‌ଜିଁଙ୍କ ସୁରକ୍ଷା ପାଇଁ ଘୋର ଚିନ୍ତାରେ ପଡ଼ି ଯାଇଥିଲେ। ଅଘଟଣ ଆଶଙ୍କାରେ ହାତଯୋଡ଼ି ତାଙ୍କୁ ବଞ୍ଚାଇ ଦେବାକୁ ଭଗବାନଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ। କାର୍ ହୁତୁ ହୁତୁ ହୋଇ ଜଳୁଥିଲା ବେଳେ ସୁରକ୍ଷା ଯାନ ଏବଂ ଅଗ୍ନିଶମ ଯବାନମାନେ ମାତ୍ର କିଛି ସେକେଣ୍ଡ ଭିତରେ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ଭୟଙ୍କର ଓ ଛାତି ଥରିଲା ଭଳି ଦୁର୍ଘଟଣା ଘଟିଥିଲେ ମଧ୍ୟ ଆଲୌକିକ ଭାବେ ଗ୍ରସ୍‌ଜିଁ ଅକ୍ଷତ ଭାବେ ଉଦ୍ଧାର ହୋଇଥିଲେ। ଅଧିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ଏକ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। କାର୍ ନିଆଁ ପିଣ୍ଡରେ ପରିଣତ ‌ହୋଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଗ୍ରସ୍‌ଜିଁଙ୍କର କେବଳ ହାତ ଓ ଆଣ୍ଠୁ ସାମାନ୍ୟ ଫୋଟକା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ କାର୍ ଏତେ ଜୋରରେ ପିଟି ହୋଇଥିଲା ଯେ ତାଙ୍କର କିଛି ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସିଟି ସ୍କାନରୁ ଜଣାପଡ଼ିଥିଲା। ୩୪ ବର୍ଷୀୟ ଗ୍ରସ୍‌ଜିଁ ଦୁର୍ଘଟଣା ପରେ ନିଆଁ ଭିତରୁ ବାହାରି ସୁରକ୍ଷା କାନ୍ଥକୁ ଡେଇଁ ସର୍କିଟ୍ ବାହାରକୁ ଚାଲି ଯାଉଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଲାଗି ରେସ୍ ୪୫ ମିନିଟ୍ କାଳ ବନ୍ଦ ରହିଥିଲା। ରେସ୍ ପୁନର୍ବାର ଆରମ୍ଭ ହେବା ପୂର୍ବରୁ ୧୦ ମିନିଟ୍‌ର ଚେତାବନୀ ସଙ୍କେତ ବି ଦିଆଯାଇଥିଲା। ଟେଲିଭିଜନ୍ ରିପ୍ଲେ ଦେଖିବା ପରେ ବିଶ୍ବବିଜେତା ଲୁଇସ୍ ହାମିଲଟନ୍ ଆଶ୍ଚର୍ଯ୍ୟଚକିତ ହେବା ସହ ଏଭଳି ଦୁର୍ଘଟଣାକୁ ଆଦୌବିଶ୍ବାସ କରିପାରୁନଥିବା ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହେଉଥିଲା। ସେ ମଧ୍ୟ ଭଗବାନକୁ ଧନ୍ୟବାଦ ଦେଇ ଖୁସୀରେ ଗ୍ରସ୍‌ଜିଁଙ୍କ ସହ କର କରମର୍ଦ୍ଦନ କରୁଥିବା ଦେଖିବା‌କୁ ମିଳିଥିଲା। ଫର୍ମୁଲାୱାନ୍ ଏକ ବିପଜ୍ଜନକ କ୍ରୀଡ଼ା ହୋଇଥିଲା ବେଳେ ଅତୀତରେ ଏକାଧିକ ଚାଳକ ଭୟଙ୍କର ଓ ହୃଦୟବିଦାରକ ଦୁର୍ଘଟଣାର ସମ୍ମୁଖୀନ ହୋଇ ସର୍କିଟରେ ପ୍ରାଣ ହରାଇବାର ଉଦାହରଣ ରହିଛି। ଗ୍ରସ୍‌ଜିଁ ଏଭଳି ଏକ ଦୁର୍ଘଟଣାରୁ ବଞ୍ଚିବା ପରେ ତାଙ୍କ ଭାଗ୍ୟ ଟାଣ ଅଛି ବୋଲି କେତେକ ଫର୍ମୁଲା ୱାନ୍ ଚାଳକ ତଥା ପ୍ରଶଂସକ କହିଛନ୍ତି। ମର୍ସିଡିଜ୍‌ର ହାମିଲଟନ୍‌ ଏହି ଘଟଣା ବହୁଳ ରେସ୍‌ରେ ବିଜେତା ହୋଇଥିଲା ବେଳେ ଦୁଇ ରେଡ୍‌ବୁଲ୍‌ ଚାଳକ ମାକ୍ସ ଭର୍ସ୍ତାପେନ୍‌ ଓ ଆଲେକ୍‌ଜାଣ୍ଡର ଆଲବନ୍‌ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ