ଅର୍ଥନୀତି କମ୍‌ କ୍ଷତିଗ୍ରସ୍ତ ହେବ, ଡିଜିପି ୭.୫% ହ୍ରାସ ପାଇବ: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: କରୋନା ମହାମାରୀ ଅର୍ଥନୀତିର ଅଧିକ କ୍ଷତି କରିପାରିବନି। ଲକ୍‌ଡାଉନ୍ ଘୋଷଣା ହେବା ସମୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଯେତିକି ତଳକୁ ଖସିବ ବୋଲି ଆକଳନ କରାଯାଉଥିଲା ତା’ଠାରୁ ଭଲ ଫଳ ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ଭାବୁଛି। ସେଥିପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପିରେ ୭.୫ ପ୍ରତିଶତ ହ୍ରାସ ଘଟିବ ବୋଲି ଏହା‌ ଆକଳନ କରିଛି। ପୂର୍ବରୁ ଏହା ପୂର୍ବାନୁମାନ କରିଥିଲା ଯେ ଅର୍ଥନୀତିରେ ୯.୫% ହ୍ରାସ ହେବ। ଆଜି ମୁଦ୍ରାନୀତି ସମୀକ୍ଷା ବିବରଣୀ ପ୍ରଦାନ କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଯୁକ୍ତାତ୍ମକ ଅଭିବୃଦ୍ଧି ହେବ। ଆଗାମୀ ତ୍ରୟମାସଗୁଡ଼ିକ ବିଷୟରେ ଆକଳନ କରି ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ଚଳିତ ବର୍ଷର ଅକ୍ଟୋବର-ଡି‌ସେମ୍ବରରେ ଅର୍ଥନୀତିରେ ୦.୧%, ୨୦୨୧ ଜାନୁଆରି-ମାର୍ଚ୍ଚ ୦.୭%, ‌ଏପ୍ରିଲ୍-ଜୁନ୍‌ରେ ୨୧.୯% ଓ ଜୁଲାଇ-ସେପ୍ଟେମ୍ବରରେ ୬.୫% ଅଭିବୃଦ୍ଧି ହେବ। କରୋନା ମହାମାରୀ ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ଚଳିତ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୟମାସରେ ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ ପାଇଥିଲା। କିନ୍ତୁ ଜୁଲାଇ-ସେପ୍ଟେମ୍ବରରେ ସେଥିରେ ଦ୍ରୁତ ସୁଧାର ହୋଇଛି। ବିଶେଷଜ୍ଞମାନଙ୍କ ଆକଳନ ଠାରୁ ଅର୍ଥନୀତି ଭଲ ପ୍ରଦର୍ଶନ କରିବାରୁ ଅନେକ ସଂସ୍ଥା ବର୍ଷତମାମ ଲାଗି ଯେଉଁ ଚିନ୍ତାଜନକ ଆକଳନ କରିଥିଲେ ତାହା ବଦଳାଉଛନ୍ତି। ସେହି ଧାରା ରିଜର୍ଭ ବ୍ୟାଙ୍କ ମଧ୍ୟ ନିଜ ପୂର୍ବାନୁମାନକୁ ବଦଳାଇ ବର୍ଷ ସାରାର ଅଭିବୃଦ୍ଧି ୭.୫% ହ୍ରାସ ପାଇବ ବୋଲି ଜଣାଇଛି। ଆଜି ମୁଦ୍ରାନୀତି ସମୀକ୍ଷା କରି ପ୍ରମୁଖ ସୁଧ ହାର ‌ରେପୋକୁ ୪%ରେ ଅପରିବର୍ତିତ ରଖାଯାଇଛି। ଗତ ମେ’ ପରଠାରୁ ରେପୋ ହାରରେ ଆଉ ପରିବର୍ତନ କରାଯାଇନାହିଁ। ଏହା ୧୯ ବର୍ଷର ନିମ୍ନ ସ୍ତରରେ ରହିଛି। ରିଭର୍ସ ରେପୋ ହାର ୩.୩୫% ରହିଛି। ରେପୋ ହାର ଅନୁସାରେ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଋଣ ଦେଇଥାନ୍ତି। ରିଭର୍ସ ରେପୋ ହାରରେ ବ୍ୟାଙ୍କଗୁଡ଼ିକ ଠାରୁ ରିଜର୍ଭ ବ୍ୟାଙ୍କ ଋଣ ଆଣିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ