ଦର ଅଣାୟତ୍ତ ପରେ ଚେତିଲେ : ପିଆଜ ରପ୍ତାନିରେ କଟକଣା, ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶଶସ୍ତାରେ ବିକୁଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଗତ କିଛିଦିନ ହେଲା ପିଆଜ ଦର ମାତ୍ରାଧିକ ହାରରେ ବଢ଼ିଯାଇଛି । ବିଭିନ୍ନ ସ୍ଥାନରେ ପିଆଜ କିଲୋ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରୋଷକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଶେଷରେ ବାଧ୍ୟ ହୋଇ ପିଆଜ ରପ୍ତାନି ଏବଂ ମହଜୁଦ ଉପରେ ଆଜି କଟକଣା ଜାରି କରିଛନ୍ତି । ପିଆଜ ରପ୍ତାନିକୁ ତକ୍ରାଳ ବନ୍ଦ କରିଦେଇଛନ୍ତି । ଏଥିସହିତ ପାଇକାରୀ ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ମଧ୍ୟ ପିଆଜ ମହଜୁଦ ସୀମା ଧାର୍ଯ୍ୟ କରିଛନ୍ତି । ଖୁଚୁରା ବ୍ୟବସାୟୀମାନେ ୧୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ଏବଂ ପାଇକାରୀ ବ୍ୟବସାୟୀମାନେ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ପିଆଜ ମହଜୁଦ ରଖିପାରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।  ପିଆଜ ଯେଭଳି କାହାରି ନିକଟରେ ମାତ୍ରାଧିକ ମହଜୁଦ ନରହେ ସେଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କିସମର ପିଆଜ ରପ୍ତାନି ଉପରେ ତୁରନ୍ତ କଟକଣା ଲାଗୁ କରାଯାଇଛି ବୋଲି ବହିର୍ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ରପ୍ତାନି କଟକଣା ବଳବତ୍ତର ରହିବ । ଗତ ୧୩ ତାରିଖରେ ବହିର୍ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟକୁ ଟନ୍ ପିଛା ୮୫୦ ଡଲାର ଧାର୍ଯ୍ୟ କରାଯାଇଥିଲା । ଏହାପରେ ପିଆଜ ରପ୍ତାନି କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ନଥିଲା କିମ୍ବା ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ଏହା ସେତେଟା ସହାୟକ ହୋଇ ନଥିଲା । ତେବେ ରପ୍ତାନି ବନ୍ଦ ହେବା ପରେ ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି ପାଇବା ସହିତ ଦର ନିୟନ୍ତ୍ରଣରେ ରହିବ ବୋଲି କୁହାଯାଇଛି । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବନ୍ୟା ଯୋଗୁଁ ଦେଶରେ ପିଆଜ ଯୋଗାଣ ବ୍ୟାହତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ