ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ୪୧ଟି ଅଭିଯୋଗ ପଞ୍ଜିକୃତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୪୧ଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୫ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୩୬ଟି ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସଂପର୍କୀୟ ୭ଟି, ଜମିଜମା ସମସ୍ୟା ସଂପର୍କୀୟ ୧୧ଟି, ଭତା ସମ୍ବନ୍ଧୀୟ ୧ଟି, ରାସନ କାର୍ଡ ସମସ୍ୟା ସମ୍ମକୀୟ ୧ଟି ଏବଂ ଅନ୍ୟାନ୍ୟ ୧୦ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରୁ ୬ଟି ଅଭିଯୋଗର ତତ୍କାଳ ଫଏସଲା କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ଅଭିଯୋଗ ମାନଙ୍କ ମଧ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ,ପ୍ରଫୁଲ୍ଲ ପରିଡା ଆଦି ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ମଣ୍ଡିରେ ଚାଷୀ ଧାନ ଦେବା ସମୟରେ ନିଯୁକ୍ତ ମିଲର ଧାନର ଏଫଏକ୍ୟୁ ମାନ ଆଳରେ ମନଇଚ୍ଛା ଧାନ କାଟିବା, ଜରି ଅଖା ବଦଳରେ ସୁତୁଲି ଅଖାରେ ଧାନ ପ୍ରଦାନ କରିବା ଦ୍ୱାରା ଚାଷୀ ଖର୍ଚ୍ଚାନ୍ତ ହେବା, ସରକାରଙ୍କ ଧାନ କ୍ରୟ ସମୟ ୯୦ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତମାନ ୩୨ ଦିନ ବିତି ଯାଇଥିଲେ ମଧ୍ୟ ଶତକଡା ୧୦ପ୍ରତିଶତ ଧାନ କ୍ରୟ ହୋଇ ନଥିବା, ଧାର୍ଯ୍ୟ ସମୟ ମଧ୍ୟରେ ବିଭିନ୍ନ ସୋସାଇଟରେ ଚାଷୀ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୧ ହଜାର ୬୬ ଜଣ ଚାଷୀ ପଂଜୀକୃତରୁ ବଂଚିତ ହୋଇଛନ୍ତି। ଉକ୍ତ ଚାଷୀ ଧାନ କିପରି ବିକ୍ରିୟ କରିବେ ସେ ସଂକ୍ରାନ୍ତରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଜିଲାପାଳ ଅଣଦେଖା କରିବା,ଚାଷୀମାନେ ଧାନ ଦେବା ସମୟରେ ଗୁଇନ୍ଦା ପୋଲିସ ଓ ଦୁର୍ନିତି ନିବାରଣ ବିଭାଗ ଉପସ୍ଥିତ ରହିଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ ଆଦି ଅଭିଯୋଗ ରହିଛି। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବିଡିଓ ନିରଞ୍ଜନ ପରିଡା, ତହସିଲଦାର ଅକ୍ଷୟ କୁମାର ବଡୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଜୀଙ୍କ୍ୟ ମାଣେଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ