୨୭ ଶତକ: କୋହଲିଙ୍କଠୁ ସ୍ମିଥ୍‌ ଦ୍ରୁତତମ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଏଠାରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ଶୁକ୍ରବାର ଶତକ ହାସଲ କରିଛନ୍ତି। ଏହା ତାଙ୍କର ୨୭ତମ ଟେଷ୍ଟ୍‌ ଶତକ। ଏଥି ସହିତ ସ୍ମିଥ୍‌ ମଧ୍ୟ ପିତୃତ୍ବ ଅବକାଶରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ଯଦିଓ ଏହା ସ୍ମିଥ୍‌ଙ୍କର ସବୁଠୁ ମନ୍ଥର ଗତିରେ ଶତକ ଥିଲା ତଥାପି ସେ କୋହଲିଙ୍କଠୁ ଗୋଟେ ପାଦ ଆଗରେ ରହିଛନ୍ତି। ତାହା ହେଲା ୨୭ତମ ଟେଷ୍ଟ୍‌ ଶତକ ଜମାଇବାରେ ସେ କୋହଲିଙ୍କ ତୁଳନାରେ ଦ୍ରୁତତମ ରହିଛନ୍ତି। କାରଣ ୨୭ତମ ଶତକ ହାସଲର ମାଇଲଖୁଣ୍ଟ୍‌ ଛୁଇଁବା ପାଇଁ ସ୍ମିଥ୍‌ ୧୩୬ ପାଳି ‌ଖେଳିଥିଲା ବେଳେ କୋହଲି ୧୪୧ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ଅବଶ୍ୟ କିଂବଦନ୍ତି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ସଚିନ୍‌ ତେନ୍ଦୁଲକର ମଧ୍ୟ ୧୪୧ ପାଳିରୁ ୨୭ତମ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ଏହି ଅବସରରେ ସ୍ମିଥ୍‌ ମଧ୍ୟ ସୁନିଲ ଗାଭାସ୍କର (୧୫୪) ଏବଂ ମାଥ୍ୟୁ ହେଡେନ୍‌ (୧୫୭)ଙ୍କୁ ଟପି ଯାଇଥିଲେ। ପୁଣି ନିଜର ୧୩୬ ପାଳି ଅବସରରେ ସ୍ମିଥ୍‌ ମଧ୍ୟ କୋହଲିଙ୍କ ମୋଟ ରନ୍‌କୁ ଟପି ଯାଇଛନ୍ତି। କୋହଲି ୧୩୬ ପାଳି ବେଳକୁ ୭୩୧୮ ରନ୍‌ କରିଥିଲା ବେଳେ ଶୁକ୍ରବାର ୧୩୧ ରନ୍‌ରେ ଆଉଟ୍‌ ହେବା ବେଳକୁ ସ୍ମିଥ୍‌ଙ୍କ ମୋଟ ରନ୍‌ ୭୩୬୮ ହୋଇଯାଇଛି। ତେବେ ୨୭ତମ ଟେଷ୍ଟ୍‌ ଶତକ ହାସଲ କରିବାରେ ସ୍ମିଥ୍‌ ଦ୍ବିତୀୟ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। କିଂବଦନ୍ତି କ୍ରିକେଟର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ମାତ୍ର ୭୦ ପାଳିରୁ ୨୭ତମ ଟେଷ୍ଟ୍‌ ଶତକ ଜମାଇବାର ଦ୍ରୁତତମ କୀର୍ତ୍ତିମାନ ଏପର୍ଯ୍ୟନ୍ତ ଅତୁଟ ରଖିଛନ୍ତି। ଅନ୍ୟପକ୍ଷରେ ସର୍ବାଧିକ ଟେଷ୍ଟ୍‌ ଶତକ ଜମାଇବାରେ ସେ ଅଷ୍ଟ୍ରେଲିଆର ଷଷ୍ଠ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ରିକି ପଣ୍ଟିଂ (୪୦), ଷ୍ଟିଭ୍‌ ୱ’ (୩୨), ମାଥ୍ୟୁ ହେହେନ୍‌ (୩୦), ଡନ୍‌ ବ୍ରାଡ୍‌ମ୍ୟାନ୍‌ (୨୯) ଓ ମାଇକେଲ କ୍ଲାର୍କ (୨୮)ଙ୍କ ପଛକୁ ଆଲାନ୍‌ ବର୍ଡର (୨୭)ଙ୍କ ସମକକ୍ଷ ହୋଇଛନ୍ତି। ୨୭ ଶତକ ହାସଲ କରିବାରେ ସ୍ମିଥ୍‌ ମଧ୍ୟ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ସଫଳତା ପାଇବା ବେଳକୁ ତାଙ୍କୁ ୩୧ ବର୍ଷ (ହାରାହାରି ୬୧) ହୋଇଥିଲା ବେଳେ ନ୍ୟୁଜିଲାଣ୍ଡ୍‌ର କେନ୍‌ ୱିଲିୟମ୍‌ସନ୍‌ (୩୦ ବର୍ଷ, ୫୪ ହାରାହାରି) ଆଗରେ ରହିଛନ୍ତି। ତେବେ ବିରାଟ କୋହଲି (୩୨ ବର୍ଷ, ୫୩ ହାରାହାରି) ସେମାନଙ୍କଠୁ ପଛରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ