ପ୍ରଥମ ପର୍ଯ୍ୟାୟ ତାଲିକାରେ ଧର୍ମେନ୍ଦ୍ରଙ୍କ ନାଁ ………
ଭାରତୀୟ ଜନତା ପାର୍ଟି ତରଫରୁ ୨୦୧୯ ନିର୍ବାଚନ ପାଇଁ ଉଭୟ ଲୋକସଭା ଓ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପିର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ତାଲିକାରେ ନାମ ନାହିଁ । ତେବେ ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ଧର୍ମେନ୍ଦ୍ର ନିର୍ବାଚନରେ ଲଢିବେ ନା ନାର୍ହି ତାହାକୁ ନେଇ ରାଜନୀତି ଆଲୋଚକ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ଯେ ଯଦି ଓଡିଶାରେ ବିଜେପି ସଂଖ୍ୟା ଗରିଷ୍ଠତା ପାଏ ତାହା ହେଲେ ପଛବାଟ ଦେଇ ଧର୍ମେନ୍ଦ୍ର କ୍ଷମତା ହାସଲ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ରିପୋର୍ଟ ଅନଯାୟୀ ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଳା ଅନୁଗୁଳ ଓ ପଡୋଶୀ ଢ଼େଙ୍କାନାଳ ଜିଲ୍ଳାର ସମସ୍ତ ଆସନ ପାଇଁ ପ୍ରାର୍ଥଙ୍କ ନାମ ଘୋଷଣା ହୋଇଛି। ଧର୍ମେନ୍ଦ୍ର ପୂର୍ବରୁ ଲଢୁଥିବା ପାଲଲହଡା ଆସନ ପାଇଁ ଅଶୋକ ମହାନ୍ତି, ତାଳଚେର ଆସନ ପାଇଁ ତାଙ୍କର ଅନୁଗତ କାଳନ୍ଦୀ ସାମଲ, ଅନୁଗୁଳ ଆସନ ପାଇଁ ପ୍ରତାପ ପ୍ରଧାନଙ୍କୁ ପ୍ରାର୍ଥ କରାଯାଇଛି। ପଡୋଶୀ ଢ଼େଙ୍କାନାଳର ପର୍ଜଙ୍ଗ ଆସନ ପାଇଁ ତାଙ୍କ ସମ୍ପର୍କୀୟ ଭାଇ ବିଭୁତି ପ୍ରଧାନ, କାମାକ୍ଷାନଗର ପାଇଁ ଶତ୍ରୁଘ୍ନ ଜେନା, ଢ଼େଙ୍କାନାଳ ସଦର ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାମ ଘୋଷଣା ହୋଇଛି। ଏପରିକି ଢ଼େଙ୍କାନାଳ ଳୋକସଭା ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣିଙ୍କ ନାମ ବି ଘୋଷଣା ହୋଇସାରିଛି। ଏହିସବୁ ଆସନରେ ଧର୍ମେନ୍ଦ୍ର ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଥିବା ଚର୍ଚ୍ଚା ଚାଲିଥିଲା ।ଏପରିକି ସେ ପୂର୍ବରୁ ସାଂସଦ ଲଢ଼ି ବିଜୟୀ ହୋଇଥିବା ଦେବଗଡ ଆସନ ଆଉ ନାହିଁ। ଦେବଗଡର କିଛି ବିଧାନସଭାକୁ ନେଇ ଏବେ ନୂତନ ଭାବେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ହୋଇଛି। ଲଢିବା ଆଶା କ୍ଷୀଣ। କାରଣ ସେଠାରେ ବଜରଙ୍ଗ ଦଳର ପୂର୍ବତନ ମୁଖିଆ ସୁବାଷ ଚୌହାନ ଗତ ନିର୍ବାଚନରେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଗତ ନିର୍ବାଚନ ପରେ ବିଜେପିର ଏକମାତ୍ର ନେତାଭାବେ ସେ ନିରବଛିନ୍ନ ଭାବେ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହିତ ସମ୍ପର୍କରେ ଅଛନ୍ତି। ତେଣୁ ସେ ଚଳିତ ନିର୍ବାଚନରେ ବରଗଡରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି। ଏହିସବୁ ଆସନକୁ ଛାଡି ଦେଲେ ଧର୍ମେନ୍ଦ୍ରଙ୍କ ପାଇଁ ଆଉ କୌଣସି ସୁରକ୍ଷିତ ଆସନ ନାହିଁ। ତେଣୁ ଧର୍ମେନ୍ଦ୍ର ପଛଦ୍ୱାର ଦେଇ କ୍ଷମତା ହାସଲ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।


