ଟ୍ରାଫିକ ନିୟନ୍ତ୍ରଣକୁ ନେଇ ଯୋଡାରେ ହାଇ ଲେଭଲ ବୈଠକ, ଉଲ୍ଲଂଘନକାରୀ ଗଣିବେ ଜରିମାନା

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣି ଅଂଚଳର ଟ୍ରାଫିକ ସମସ୍ୟା ନେଇ ସୋମବାର ଯୋଡା ପୌରପାଳିକା ସଭାଗୃହରେ ଏକ ହାଇ ଲେଭଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରିତିମୟ, ବଡବିଲ ଏସ୍‌ଡିପିଓ ହିମାଂଶୁଭୂଷଣ ବେହେରା ଉପସ୍ଥିତ ଥିବାବେଳେ ଯୋଡା ଖଣିମଣ୍ଡଳରେ ଥିବା ଖଣିକମ୍ପାନୀ ଏବଂ ଶିଳ୍ପସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ବହୁଦିନ ଧରି ଖଣି ଅଂଚଳରେ ଉପୁଜୁଥିବା ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ ଓ ନିରାକରଣ । ରାସ୍ତାରେ ଟ୍ରାଫିକ ଜାମ ସମସ୍ୟା ଉପୁଜିଲେ ଖଣିଜ ବୋଝେଇ କରୁଥିବା ସମ୍ପୃକ୍ତ କମ୍ପାନୀ ଉତରଦାୟୀ ରହିବା ସହ ଏହାର ନିରାକରଣ ଦାୟିତ୍ୱବହନ କରିବ ବୋଲି ବୈଠକରେ ଜିଲାପାଳ ନିର୍ଦେଶ ଦେଇଥିଲେ । ପ୍ରଦୂଷଣକୁ ରୋକିବାପାଇଁ ଖଣିଜ ପରିବହନକାରୀ ସଂସ୍ଥାମାନେ ରାସ୍ତାରେ ଜଳ ସିଂଚନର ବ୍ୟବସ୍ଥା କରିବା ସହିତ ପରିବହନ ବେଳେ ଭାରୀଯାନ ଗୁଡିକରେ ପାଲ ଢାଙ୍କି ନିଜର ଖଣିଜ ପରିବହନ କରିବେ । ମୁଖ୍ୟ ସମସ୍ୟା ଭାବେ ଲୁହାପଥର ଗୋଲି ପରିବହନ ବେଳେ ଏହା ରାସ୍ତାରେ ପଡି ବହୁ ଦୁର୍ଘଟଣା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିବହନକାରୀ ସଂସ୍ଥା ଗୁଡିକ ଏଥିପ୍ରତି ସତର୍କତା ଅବଲମ୍ବନ କରିବେ । ଏହାର ଖିଲାପ ହେଲେ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଝାଡଖଣ୍ଡ ରାଜ୍ୟରୁ ନକଲି ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରି ବହୁ ଅଣକୁଶଳି ଚାଳକ ଗାଡି ଚଳାଉଥିବାରୁ ଦୁର୍ଘଟଣା ବୃଦ୍ଧିକୁ ରୋକିବା ପାଇଁ ପରିବହନ ସମୟରେ ଚାଳକର ଲାଇସେନ୍ସ ଯାନ୍‌ଚ ଓ ଗାଡିର ବୈଧାନିକ କାଗଜପତ୍ର ତନଖି କରାଯାଇ କମ୍ପାନୀମାନେ ପରିବହନରେ ନିୟୋଜିତ କରିବେ ବୋଲି ଜିଲାପାଳ ନିର୍ଦେଶ ଦେଇଛନ୍ତି । ତେଣେ ଯୋଡା ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମାରଯୋଡା ପାର୍କିଂସ୍ଥଳ ଠାରୁ ଡିଏଭି ସ୍କୁଲ ପର୍ଯ୍ୟନ୍ତ ସକାଳ ୬ ରୁ ଅପରାହ୍ନ ୨ ଘଟିକା ଏବଂ ଅପରାହ୍ନ ୩ ଘଟିକାରୁ ରାତ୍ରୀ ୮ ଘଟିକା ପର୍ଯ୍ୟନ୍ତ ଭାରୀ ଯାନ ଚଳାଚଳ ଉପରେ ନୋ-ଏନ୍‌ଟ୍ରି ନିୟମ ଲାଗୁ ରହିବ । ସମୁଦାୟ ଯୋଡା ଖଣିମଣ୍ଡଳରେ ଟ୍ରାଫିକ ନିୟନ୍ତ୍ରଣ କରିବାପାଇଁ ଘରୋଇ ଖଣି ଓ ଶିଳ୍ପ କମ୍ପାନୀମାନେ ପର୍ଯ୍ୟାପ୍ତ ସଂଖ୍ୟାରେ ସୁରକ୍ଷା କର୍ମୀ ନିୟୋଜିତ କରିବେ ଓ ଟ୍ରାଫିକ ନିୟନ୍ତ୍ରଣ କରିବେ ବୋଲି ଜିଲାପାଳ ଠାକରେ ନିର୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ