ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁଟ ଭୁବନେଶ୍ୱରର ଅଷ୍ଟମ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁଟ ଭୁବନେଶ୍ୱର (ଆଇଏମ୍‌ଆଇ-ବି)ର ଅଷ୍ଟମ ଦୀକ୍ଷାନ୍ତ ସମାରୋହ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଉପକଣ୍ଠରେ ଥିବା ଶିକ୍ଷାନୁଷ୍ଠାନର ୧୬ ଏକର ପରିମିତ ସବୁଜିମା ଅଞ୍ଚଳରେ ଥିବା କ୍ୟାମ୍ପସ୍‌ରେ ହାଇବ୍ରିଡ୍ ମୋଡରେ ଅନୁଷ୍ଠିତ ହୋଇଛି । ଦୀକ୍ଷାନ୍ତ ସମାରୋହରେ ବେଦାନ୍ତ ରିସୋର୍ସ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍‌, ବରିଷ୍ଠ ସରକାରୀ କର୍ମଚାରୀ, କର୍ପୋରେଟ୍ ଜଗତର ବିଶିଷ୍ଟ ବ୍ୟକ୍ତି, ଆଇଏମ୍‌ଆଇ ଭୁବନେଶ୍ୱର ପ୍ରଶାସନିକ ବୋର୍ଡ ଏବଂ ଆର୍‌ପି-ସଞ୍ଜିବ୍ ଗୋଏଙ୍କା( ଆର୍‌ପିଏସ୍‌ଜି) ଗ୍ରୁପ୍‌ର ଅଧିକାରୀ ଆଦି ୫୦୦ରୁ ଅଧିକ ଗଣମାଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଆଇଏମ୍‌ଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଶିକ୍ଷାନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । କ୍ୟାମ୍ପସ୍‌ରେ ଦୀକ୍ଷାନ୍ତ ବ୍ୟାଚ୍‌ର ଶିକ୍ଷାର୍ଥୀଙ୍କୁ ଦେଖି ବେଶ୍ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଥିଲେ । ସେ ଦୀକ୍ଷାନ୍ତ ବ୍ୟାଚ୍ ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ୨୦୧୭-୨୦୨୦ ବ୍ୟାଚ୍ ଏକ ସ୍ୱତନ୍ତ୍ର ବ୍ୟାଚ୍ । ଏଥିରେ ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡ଼ାର ୪୦ ଜଣ କାର୍ଯ୍ୟନିର୍ବାହୀ ପିଜିଡିଏମ୍ ପ୍ରୋଗ୍ରାମ୍‌ରେ ଯୋଗଦେଇଥିଲେ । ଏବେ ସେମାନେ ଦକ୍ଷ ପରିଚାଳକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଏହି ଅବସରରେ ଆଇଏମ୍‌ଆଇ ପ୍ରଶାସନିକ ବୋର୍ଡର ଅଧ୍ୟକ୍ଷ ତଥା ଆର୍‌ପିଏସ୍‌ଜି ଗ୍ରୁପ୍‌ର ଅଧ୍ୟକ୍ଷ ସଞ୍ଜିବ୍ ଗୋଏଙ୍କା ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୀକ୍ଷାନ୍ତ ଉତ୍ସବରେ ଅଧ୍ୟକ୍ଷତା କରିବା ପାଇଁ ସେ ଆର୍‌ପିଏସ୍‌ଜି ଗ୍ରୁପ୍ ବୋର୍ଡ ସଦସ୍ୟ ତଥା ଅବସରପ୍ରାପ୍ତ ଆଇଏଏସ୍ ସୁନୀଲ ମିତ୍ରାଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ମିତ୍ରା ମ୍ୟାନେଜମେଣ୍ଟ୍ ଶିକ୍ଷାକୁ ନର୍ସରୀ ସହିତ ତୁଳନା କରିଥିଲେ । ଯେଉଁଠି ଶିକ୍ଷାର୍ଥୀମାନଙ୍କୁ ସମାଜର ବିକାଶ କରିବା ଭଳି ବୃହତ୍ ଲକ୍ଷ୍ୟ ହାସଲ ନିମନ୍ତେ ଆବଶ୍ୟକ ଶିକ୍ଷା ପ୍ରଦାନ କରାଯାଇଥାଏ । ବେଦାନ୍ତ ରିସୋର୍ସ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଚ୍ଚକୋଟୀର ଦୀକ୍ଷାନ୍ତ ଭାଷଣ ଉପସ୍ଥାପନ କରିଥିଲେ । ଅତି ଭାବଗର୍ଭକ ଭାବେ ସେ ଶିକ୍ଷାର୍ଥୀଙ୍କୁ ନିଜ ପ୍ରେରଣାଦାୟୀ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିବାର ଉଦ୍ୟମ କରିଥିଲେ । ସେ କିଭଳି ସ୍ୱପ୍ନକୁ ସତ୍ୟରେ ପରିଣତ କରିବା ପାଇଁ ମୁମ୍ବାଇ ଆସିଥିଲେ ସେ ସମ୍ପର୍କରେ ନିଜର ଅଭିଜ୍ଞତା ପରିପ୍ରକାଶ କରିଥିଲେ । ‘ଆଧୁନିକ ଭାରତର ଆଲୋକ ବର୍ତ୍ତିିକା’ ଭାବେ ସେ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଅଭିହିତ କରିଥିଲେ । ସମାଜ ପ୍ରତି ସ୍ୱଚ୍ଛ ମନୋଭାବ ପୋଷଣ କରୁଥିବା କମ୍ପାନୀରେ ଯୋଗଦେବା ଲାଗି ସେ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ନୂଆ ଭାରତ ଗଠନରେ ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ । ଷ୍ଟାର୍ଟ-ଅପ୍‌ଗୁଡ଼ିକ ଶିକ୍ଷାର୍ଥୀମାନଙ୍କ ପାଇଁ ନୂତନ ମନ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ଷ୍ଟାର୍ଟ-ଅପ୍‌ରେ ବିପୁଳ ସୁଯୋଗ ରହିଛି । ଏଭଳି ସ୍ଥିତି ସେ ଜୀବନକାଳ ମଧ୍ୟରେ ପୂର୍ବରୁ କେବେ ଦେଖି ନ ଥିବା ସୂଚନା ଦେଇଥିଲେ । ଏଥିରେ ପ୍ରାଇଭେଟ୍ ନିବେଶ, ସରକାରୀ ସହାୟତା ଏବଂ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଫଳରେ ଜଣେ ଚାକିରି ନ ଖୋଜି ଷ୍ଟାର୍ଟ-ଅପ୍ ଦ୍ୱାରା ଅନ୍ୟମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିଥାନ୍ତି । ଏହା ସହିତ ସେ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରି ଏକ୍ଷେତ୍ରରେ ଆଇଏମ୍‌ଆଇ ଭୁବନେଶ୍ୱରକୁ ବହୁବିଧ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଓଡ଼ିଶା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ରହିଥିବା ଦୀର୍ଘଦିନର ନିବିଡ଼ ସମ୍ପର୍କ ବିଷୟରେ ସେ ଆଲୋକପାତ କରିଥିଲେ । ଏହି ଅବସରରେ ସେ ଶିକ୍ଷାର୍ଥୀମାନଙ୍କୁ ନମ୍ର-ସାଧୁତା ଏବଂ ଜିଜ୍ଞାଷାକୁ ଗୁରୁତ୍ୱଦେବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଏହି ୩ ମନ୍ତ୍ରକୁ ଉପସ୍ଥିତ ବ୍ୟକ୍ତି ବିଶେଷ ବେଶ୍ ପ୍ରଶଂସା କରିଥିଲେ । ଏହି ଅବସରରେ ମେଡାଲ ବିଜେତାଙ୍କ ନାମ ଘୋଷଣା କରିଥିଲେ । ପିଜିଡିଏମ୍ ୨୦୧୮-୨୦ ବ୍ୟାଚର ମେଡାଲ ବିଜେତାଙ୍କ ମଧ୍ୟରେ ବିଶାଳ ଚୌଧୁରୀଙ୍କୁ ଗୋଲ୍ଡ ମେଡ଼ାଲ, ସୁଶ୍ରୀ ମୈତ୍ରୀ ଜୈନ୍‌ଙ୍କୁ ସିଲଭର ମେଡାଲ, ପ୍ରତୀକ ମହେଶ ରୁପାରେଲଙ୍କୁ ରାମ ପ୍ରସାଦ ଗୋଏଙ୍କା ବେଷ୍ଟ ଷ୍ଟୁଡେଣ୍ଟ୍ ମେଡାଲ, ପ୍ରତୀକ ଚାୱଲାଙ୍କୁ ଡାଇରେକ୍ଟରର୍ସ ମେଡାଲ ଫର୍ ଓଭରଅଲ୍ କଣ୍ଟ୍ରିବ୍ୟୁଶନ ଟୁ ଦ ଇନଷ୍ଟିଚ୍ୟୁଟ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ୨୦୧୭-୨୦ ବ୍ୟାଚ୍‌ର ବିବେକ ସାକ୍ସସେନାଙ୍କୁ ଗୋଲ୍ଡ ମେଡାଲ ଏବଂ ସୁଶ୍ରୀ ସରିତା ଶୁଭଦର୍ଶିନୀ ଲାହାଙ୍କୁ ସିଲଭର ମେଡାଲ ପ୍ରଦାନ କରାଯାଇଥିଲା । ଆଇଏମ୍‌ଆଇ ଭୁବନେଶ୍ୱରର ପ୍ରୋଗ୍ରାମ୍ ଚେୟାର ପର୍ସନ ପ୍ରଫେସର ସୌରଭ ଶର୍ମା ପିଜିଡିଏମ୍ ୨୦୧୭-୨୦ ବ୍ୟାଚ୍‌ର ୪୦ ଜଣ ଶିକ୍ଷାର୍ଥୀ ଏବଂ ପିଜିଡିଏମ୍ ୨୦୧୮-୨୦ ବ୍ୟାଚ୍‌ର ୯୮ ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ସେହିପରି ଶ୍ରୀ ସୁନୀଲ ମିତ୍ରା ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ପ୍ରଫେସର ଶର୍ମା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଶେଷରେ ଶ୍ରୀ ସୁନୀଲ ମିତ୍ରା ଦୀକ୍ଷାନ୍ତ ସାମରୋହର ଉଦ୍‌ଯାପନ ସମ୍ପର୍କରେ ଘୋଷଣା କରିଥିଲେ । ଦୀକ୍ଷାନ୍ତ ସମାରୋହ ୟୁଟ୍ୟୁବ୍ ଏବଂ ଫେସବୁକ୍‌ରେ ଲାଇଭ୍ ଷ୍ଟ୍ରିମିଂ ହୋଇଥିଲା । ଫଳରେ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କର ଅଭିଭାବକ, ବନ୍ଧୁବାନ୍ଧବ ଏବଂ ଅଂଶୀଦାରମାନେ ଭର୍ଚୁଆଲ ମୋଡ୍‌ରେ ଏହି ସମାରୋହରେ ଯୋଗଦେଇଥିଲେ । ଆଶା କରାଯାଉଛି ଯେ, ପରବର୍ତ୍ତୀ ଦୀକ୍ଷାନ୍ତ ସମାରୋହ ଫିଜିକାଲ ମୋଡ୍‌ରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ