“ଅଶୋକ ଦାସ” ମୋ ପାଇଁ ଜଣେ ଜ୍ଜଳନ୍ତ ଦିଗ ଦର୍ଶୀ ଏବଂ ସଫଳ ଦିଗ ସ୍ରଷ୍ଟା

“ଅଶୋକ ଦାସ”ଙ୍କ ୭୯ ତମ ଜୟନ୍ତୀ

ପ୍ରଦୀପ ସେନାପତି

ଜୀବନ ଅଛି ତ ସଂଗ୍ରାମ ଅଛି । ଯନ୍ତ୍ରଣା ବି ଅଛି । ସବୁକିଛି ଯନ୍ତ୍ରଣାକୁ ସହ୍ୟକରି ଆଗକୁ ମାଡ଼ି ଚାଲିଲେ ସଫଳତା ବି ଅଛି । କିନ୍ତୁ ବେଳେବେଳେ ବିଫଳତା ମଧ୍ୟ ପାଖ ଛାଡ଼େନି । କିଛି ଯନ୍ତ୍ରଣା ଯୁକ୍ତ ଘଟଣା ଭୁଲିହୁଏ ଆଉ କିଛି ସ୍ମୃତି ହୋଇ ରହିଯାଏ । ସେମିତି କିଛି ଯନ୍ତ୍ରଣା ଛାପ ହୋଇ ରହିଯାଇଛି ମୋ ଭଳି କିଛି ଜଣଙ୍କ ମନରେ ତ କିଛି ଦୁଃସ୍ୱପ୍ନ ଭାବି ଭୁଲି ହୋଇ ଯାଇଛି । କିଛି ଶାରୀରିକ, କିଛି ମାନସିକ । ଏପରି ଯନ୍ତ୍ରଣା ଆଲୋକିତ କରିଥିଲା ଓଡ଼ିଶା ରାଜନୈତିକ ମଇଦାନ ର ‘ଟାଇଗର୍‌’ ଜାଜପୁର ମାଟିର ଭୁମିପୁତ୍ର, ସ୍ୱାଭିମାନୀ ତଥା ସାଲିସ ବିହୀନ ସମ୍ରାଟ ଅଶୋକ ଦାସ ଙ୍କୁ । ତା ଭିତରେ ଘଟିଯାଇଥିବା ରାଜନୈତିକ ଜୀବନର ଆଲୌକିକ ଘଟଣା ବି ଚକିତ କରି ପକାଇଥିଲା । ସତରେ କ’ଣ ଏମିତି ଆଶ୍ଚର୍ଯ୍ୟ ହୋଇପାରେ? ମନ କୁ ମନ ପ୍ରଶ୍ନ ଉତ୍ତର ସହ ମନଭିତରେ ବିସ୍ମୟକର ଭାବ ପରିଲକ୍ଷିତ । ଜାତ ବେଳୁ ଏଯାବତ ଚିର ସଙ୍ଗତ ଅଶୋକ ଦାସଙ୍କର । ଦୈବର କୂଟଚକ୍ରାନ୍ତ କିମ୍ବା ନିଜ ପୂର୍ବ ଜନ୍ମର କୃତକର୍ମର ଫଳ ବୋଧହୁଏ ଏ ଜନ୍ମରେ ଭୋଗାଭୋଗ । ତେଣୁ ସେ ନିଜକୁ ଏକ ଅଭିଶପ୍ତ ମଣିଷ ବୋଲି ପରିଚୟ ନ ଦେଇ ଏବଂ ସେ ଅଭିଶପ୍ତ ଜୀବନର ଅଧିକାରୀ ନଭାବି ବିଶ୍ୱକବି “ରବିନ୍ଦ୍ର ନାଥ ଠାକୁରଙ୍କ” ଆଦର୍ଶକୁ ନିଜସ୍ୱ ହୃଦୟ ଭିତରେ ଗ୍ରହଣକରି “ଏକଲାଚାଲ ରେ ଏକଲାଚାଲ” ନିତୀକୁ ଆପଣେଇ ଓଡ଼ିଶା ବିଧାନ ସଭାରେ ନିଜର ରାଜନୈତିକ ଇତିହାସର କିମ୍ବଦନ୍ତୀ ପୁରୁଷର ମାନ, ମର୍ଯ୍ୟଦା ରଖିଯାଇଛନ୍ତି ।
ସବୁ କଥା ଭିତରେ ମନେ ପଡ଼ିଯାଏ ସେହି ଅଲୌକିକ ଘଟଣାବଳି ସବୁ । ଯାହା ଯେ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯାଇପାରେ । ମୁଁ ଜଣେ ଭୁକ୍ତ ଭୋଗୀ ହିଁ ଜାଣେ ତା’ର ବାସ୍ତବତାକୁ । ସତ୍ୟ, ନ୍ୟାୟ, ଧର୍ମ ମାର୍ଗୀ ସର୍ବଦା ଆଜିର ଦୁନିଆରେ ଅବହେଳିତ ଏହା ଅବାସ୍ତବ ନୁହେଁ ତଥାପି ଜାବୁଡ଼ି ଧରିବାକୁ ପଡ଼େ । ଆତ୍ମୀୟ ଯେତେବେଳେ ପର ପାଲଟି ଯାଆନ୍ତି । ସେଠି ଅନ୍ୟମାନଙ୍କ କଥା ନକହିଲେ ଭଲ । ‘ଜନତା ଦଳ’ “ବିଜୁ – ପଟ୍ଟନାୟକ”ଙ୍କର ଅନୁପସ୍ଥିତିରେ ଦୁଇଭାଗରେ ବିଭକ୍ତ ହେଲା । “ଅଶୋକ ଦାସ” ଜନତା ଦଳ ( ଧର୍ମନିର ପକ୍ଷ) ର ରାଜ୍ୟ ସଭାପତି ହେଲେ । ଓଡ଼ିଶାରେ ନ୍ୱତନ ବିଜୁ – ଜନତା ଦଳ ଗଠନ ହେଲା । ‘ଅଶୋକ ଦାସ’ ଙ୍କୁ ଛାଡ଼ିଦେଲେ କିଛି କୁଚକ୍ରୀ ଗୋଷ୍ଠୀ ଶେଷ ମୁହୁର୍ତ୍ତରେ ଯେଣତେଣ ପ୍ରକାରଣେ ପାୱାର ସେମାନଙ୍କ ପାଇଁ ହୋଇଗଲା ସର୍ବସ୍ୱ । ଆଦର୍ଶ ହୋଇ ରହିଗଲା ସେମାନଙ୍କ ଭାବ ମୁର୍ତ୍ତୀ । ‘ଅଶୋକ ଦାସ’ ଫରେଷ୍ଟ ପାର୍କସ୍ଥିତ ପାର୍ଟି କାର୍ଯ୍ୟଳୟ ଠାରେ ଏକ ସଭାଡ଼ାକି ଆହ୍ୱାନ ଦେଲେ କେଉଁମାନେ ଦଳ ଛାଡ଼ି ବିଜୁ – ଜନତା ଦଳକୁ ଯିବେ? ସିଧା ସିଧା ମୋତେ କହିଦିଅ? ସେତେବେଳେ “ଦାମ ରାଉତ” ଏହି ସଭାରେ ଉପସ୍ଥିତ ଥାଆନ୍ତି । ତାଙ୍କୁ ପଚରାଗଲା । ସେ ତାଙ୍କ ପ୍ରତିକ୍ରିୟାରେ କହିଲେ, ମୁଁ ଜଣେ ଶୃଙ୍ଖଳିତ, ସ୍ୱାଭିମାନୀ ମଣିଷ “ବିଜୁବାବୁ” ମୋର ଆଦର୍ଶ । ଏହି ଦଳ ବିଜୁ ବାବୁ ଙ୍କର । ଗେଣ୍ଡା ଶଙ୍ଖଦଳ କୁହାଯାଉଥିବା ବିଜୁ – ଜନତା ଦଳକୁ ଯିବାର ମୋର ପ୍ରଶ୍ନ ହିଁ ଉଠୁନାହିଁ । ମୁଁ ଏହି ଦଳରେ ଅଛି ଓ ଶେଷ ପର୍ଯ୍ୟନ୍ତ ରହିବି । ଏତିକି କହିବାର ମାତ୍ର ତିନିଦିନ ପରେ ସେହି ଗେଣ୍ଡା ଦଳରେ ଯାଇ ଶଙ୍ଖ ଫୁଙ୍କିଲେ । ଏହା ହିଁ ଥିଲା ତାଙ୍କ ପାଇଁ ପାରଦର୍ଶୀତ ସ୍ୱାଭିମାନର ପ୍ରତୀକ । ଏହି ଭଳି ସମସ୍ତେ ଜନତା ଦଳରୁ ଲୀନ ହୋଇଗଲେ । ମୋ ସମେତ ପୂର୍ବତନ ମନ୍ତ୍ରୀ ବୈରାଗୀ ଯେନା, ପୂର୍ବତନ ବିଧାୟକ ରାଜୁ ସିଂ, କୃଷ୍ଣ ଚନ୍ଦ୍ର ପାତ୍ର ବିଜୁ ବାବୁଙ୍କ ଚପାରାଶି, ବିର ଭାଇ, ଯୁଗଳ କିଶେର ନାୟକ ଙ୍କ ଭଳି ସ୍ୱାଭିମାନୀ ନେତା । “ଅଶୋକ ଦାସ” ଙ୍କୁ ଛାଡ଼ି ଯିବା ପାଇଁ କୁଣ୍ଠାବୋଧ କଲେ । ମୋତେ ମଧ୍ୟ “ଅଶୋକ ଦାସ” ପଚାରିଲେ ତୁମେ ସବୁ ଯୁବକ, ତୁମେ ମଧ୍ୟ କହିଦିଅ, ମଠରେ ନା ଖଟରେ ଶୋଇବ? ଏଠାରେ କିନ୍ତୁ ଖଟ ନାହିଁ । ମୁଁ କିନ୍ତୁ ଏହି ମଠରେ ଏକୁଟିଆ ରହିଛି, ରହିବି ମଧ୍ୟ । ତେବେ ମୋର ସିଦ୍ଧାନ୍ତକୁ ସିଧା ଜଣାଇଥିଲି ଯେ, ମୋର ବିବେକ ଯାହା ନିର୍ଦ୍ଦେଶ ଦିଏ ତାହାହିଁ କରେ । ଆପଣଙ୍କ ଭଳି ସ୍ୱାଭିମାନୀ ସାଲିସ ବିହୀନ ସମ୍ରାଟ ଙ୍କୁ ମୋର ରାଜନୈତିକ ହୃଦୟ ଭିତରେ ସ୍ଥାନ ଦେଇ ସାରିଛି । ମୁଁ ମଧ୍ୟ ଆପଣଙ୍କ ଆଦର୍ଶରେ ଅନୁ ପ୍ରାଣିତ । ତେଣୁ ମୋର ବିବେକ ମୋତେ ମନା କରୁଛି, ଆପଣଙ୍କୁ ଛାଡ଼ି ଯାଇ ପାରିବି ନାହିଁ । ସଂଗେ ସଂଗେ Thanks for Youth Mass ମୋର ଭରଷା ଅଛି କହି ମୋତେ ପ୍ରେରଣା ଯୋଗାଇଥିଲେ । ପରବର୍ତ୍ତୀ ସମୟରେ ମୋତେ ଭଦ୍ରକ ଜିଲ୍ଲା ଯୁବ – ଜନତା ଦଳ (ଏସ୍‌)ର ସଭାପତି ଦାୟୀତ୍ୱ ଦିଆଯାଇଥିଲା । ତାଙ୍କର ସୁପୁତ୍ର ପିତାଙ୍କ ଅନିଛା ସତ୍ୱେ ବିଜୁ – ଜନତା ଦଳରେ ଯୋଗ ଦେବା ସମୟରେ ଆମ ଦଳରେ ଥିବା ରାଜ୍ୟ ଯୁବ ସଭାପତି ଯୁଗଳ କିଶୋର ନାୟକ ମଧ୍ୟ ତାଙ୍କର ପୁତ୍ରଙ୍କ ସାଙ୍ଗରେ ଯୋଗଦେଲେ । ତା’ପରେ ମୁଁ ଏହି ପଦରେ ରାଜ୍ୟ ଯୁବ – ଜନତା ଦଳ (ଏସ୍‌) ର ଦାୟୀତ୍ୱ ନିର୍ବାହ କରିଥିଲି । ସେହି ସମୟରେ ଗୋଟିଏ କଥା ସ୍ମରଣ କରି କହିଥିଲେ, ସ୍ୱାମୀର ଅଯୋଗ୍ୟ ପଣେ, ମାଇପ ଶୋଇଲା ସନ୍ତରାବଣେ । ଅର୍ଥାତ୍ ମୋର ରାଜନୈତିକ ଅଯୋଗ୍ୟତାକୁ ମୋର ପୁତ୍ର ସସମ୍ମାନେ ଗ୍ରହଣ କରିଛି, ସେଥିପାଇଁ ସେ ସାଲିସ କରି ସେ ଦଳକୁ ଗଲା । ଏହି ଭଳି, ଏକରେ ଅନେକ ଅଲୌକିକ ଘଟଣା କୁ ମନ ମଧ୍ୟରେ ରୋମନ୍ଥନ କରି ପୁତ୍ର ଯୋଗଦେବାର ମାତ୍ର ତିନିଦିନ ପରେ ଅଶୋକ ଦାସ ଙ୍କର ଡ଼ିସେମ୍ବର ୩୦ ତାରିଖ ୨୦୦୮ ମସିହାରେ ମହାପ୍ରୟାଣ ଘଟିଲା । ମାଆ, ମାଟି, ପାର୍ଟି ଓ ମଣିଷ ସବୁରି ଅମୀୟ ଆକର୍ଷଣରେ ବନ୍ଧା ଜୀବନ ବାସ୍ତବରେ ମଧୁମୟ, ମଙ୍ଗଳମୟ, ଆନନ୍ଦମୟ, ଆଦର୍ଶମୟ ହୋଇ ଉଠିଥିଲା “ଅଶୋକ ଦାସ”ଙ୍କ ଜୀବନରେ । ପ୍ରକୃତରେ, ପ୍ରବାଦ ପୁରୁଷ “ବିଜୁବାବୁ” ଙ୍କର ରାଜନୈତିକ ଚିନ୍ତାଧାରାକୁ କେବଳ ଅଶୋକ ଦାସ ହିଁ ତାଙ୍କର ଜୀବନ କାଳ ମଧ୍ୟରେ ଅନୁସରଣ ଅନୁକରଣ କରିଥିଲେ । ସେ ହେଉଛନ୍ତି ପ୍ରକୃତରେ ପ୍ରବାଦ ପୁରୁଷ “ ବିଜୁବାବୁ”ଙ୍କର ପ୍ରକୃତ ରାଜନୈତିକ ଦାୟାଦ । “ବିଜୁ ବାବୁଙ୍କର” ସମସ୍ତ ରାଜନୈତିକ ଗୁଣ ତାଙ୍କରି ପାଖରେ ଭରପୁରଥିଲା । ସେ ଥିଲେ ବାସ୍ତବରେ ମୋ ପାଇଁ ଜଣେ ସାଲିସ ବିହୀନ ସମ୍ରାଟ ଏବଂ ସ୍ୱାଭିମାନୀ, ଆଦରଣୀୟ ଜନନେତା । ଓଡ଼ିଶା ରାଜନୈତିକ ମଇଦାନରେ ସେ ଥିଲେ ଜଣେ ମହାବଳ ବାଘ । ବାଘର ଗୁଣାବଳୀକୁ ଅନୁଧ୍ୟାନ କରିବାପାଇଁ ସେ ମଧ୍ୟ ଘରେ ପୋଷିଥିଲେ ଗୋଟେ ମହାବଳ ବାଘ । କେବଳ ଚେହେରାରେ ନୁହେଁ, ନିତୀ, ଆଦର୍ଶ, ଆଚରଣ, ଉଚ୍ଚାରଣ ଓ ସାହାସିକତାକୁ ଯଦି ବିଚାର କରିବା, ତେବେ ପ୍ରକୃତରେ ବିଜୁବାବୁ ଓ ଅଶୋକ ଦାସ ଦୁହିଁଙ୍କ ଭିତରେ ଥିଲା ଅସମାନ୍ୟ ସାମଞ୍ଜସ୍ୟ । ୧୯୯୭ ରେ ଘଟିଲା ବିଜୁବାବୁଙ୍କ ଦେହାନ୍ତ । ହତାଶ ହୋଇ ଗଲେ ପ୍ରଥମେ । ଶିଖିଥିଲେ ବିଜୁ – ପଟ୍ଟନାୟକ ଙ୍କ ଠାରୁ ଯୁଦ୍ଧର ଧନୁର୍ବିଦ୍ୟା ଶିକ୍ଷା । ଅଟଳ ଦିକ୍ଷାରେ ଭାଙ୍ଗିଗଲା । ଛିନ୍ନ ହୋଇଗଲା ଜନତା ଦଳ । ହତାଶ ନହୋଇ ସ୍ଥିତା ବସ୍ତା ବଜାୟି ରଖିଲେ । ନୂତନ ଭାବେ ଗଠିତ ବିଜୁ ଜନତା ଦଳର ସୁପ୍ରିମ ନବୀନ ପଟ୍ଟନାୟକଙ୍କ ମାତା ଜ୍ଞାନ ପଟ୍ଟନାୟକ ଫୋନ୍ କରି ନିମନ୍ତ୍ରଣ କଲେ ନୂତନ ଦଳରେ ଯୋଗଦେବପାଇଁ । ରୋକ ଠୋକ୍ “ଅଶୋକ ଦାସ” ଜ୍ଞାନ ଦେବୀଙ୍କୁ ମନାକରି ଦେଲେ ଏବଂ ମର୍ମସ୍ପର୍ଷୀ ବାଣୀ ଶୁଣାଇବାପାଇଁ ମଧ୍ୟ ପଛାଇଲେ ନାହିଁ । ପ୍ରତିକ୍ରିୟାର ଉତ୍ତରରେ କହିଲେ, ମ୍ୟାଡ଼ମ୍ ମୁଁ ଯେଉଁ ଦଳର ଦାୟୀତ୍ୱରେ ଅଛି ତାହା ବିଜୁ ବାବୁଙ୍କର ପଣତ କାନିର ଦଳ । ସେ ମୋତେ ଏଠାରେ ଦାୟୀତ୍ୱ ଦେଇଛନ୍ତି । ବିଜୁ ଜନତା ଦଳକୁ “ବିଜୁବାବୁ” ଗଠନ କରିନାହାନ୍ତି ତାହା ନବୀନ ଜନତା ଦଳ । ମୋତେ ଯଦି “ବିଜୁ ବାବୁ” କହିଥାନ୍ତେ ଯେ, ନବୀନ ପଟ୍ଟନାୟକଙ୍କୁ ମୁଁ ବିଜୁ – ଜନତା ଦଳର ଦାୟୀତ୍ୱ ଦେଇଚି ଏବଂ ତୁମେମାନେ ସମସ୍ତେ ସେହି ଦଳରେ ଯୋଗଦିଅ ତେବେ ମୁଁ ଆପଣଙ୍କ କଥା ରଖିପାରିଥାନ୍ତି । ତେଣୁ ମୋତେ କ୍ଷମା କରିବେ । ମୁଁ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ କେବେବି ଦେଖି ନାହିଁ କି ଦେଖିବି ନାହିଁ, ତାହା ମୋ ପାଇଁ ଅବାସ୍ତବ ଘଟଣା ବହୁଳ କାହାଣୀ । ସେ ସବୁ ମୋ ପାଇଁ ତୁଚ୍ଛ । ମୋର ରାଜନୈତିକ ଜୀବନରେ ଅଶୋକ ଦାସ ଜଣେ ଜ୍ଜଳନ୍ତ ଦିଗଦର୍ଶୀ ଏବଂ ସଫଳ ଦିଗସ୍ରଷ୍ଟା ୨୦୦୮ ଡ଼ିସେମ୍ବର ୩୦ ତାରିଖରେ ଆମର ପୂଜ୍ୟ ଅମରଆତ୍ମା ବାହୁଡ଼ିଲେ ସିନା, କିନ୍ତୁ ମୋ ହୃଦୟଭିତରେ ସେ ଅମର ଚଳନ୍ତି ପ୍ରତିମା ହୋଇ ରହିଛନ୍ତି, ରହିଥିବେ ମଧ୍ୟ ।

ସଭାପତି, ରାଜ୍ୟ ସ୍ତରୀୟ
ଅଶୋକ ଦାସ ଜୟନ୍ତୀ କମିଟି, ତଥା
ପୂର୍ବତନ ରାଜ୍ୟ ସଭାପତି, ଯୁବ, ଜନତା
ଦଳ (ଏସ୍‌) ଓଡ଼ିଶା, ଜିଲ୍ଲାପାଳ ରୋଡ଼,ଭଦ୍ରକ
ମୋ- ୯୪୩୮୪୪୬୫୭୫

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ