ରାତିଅଧିଆ ଚଢାଉରେ ଧରାପଡିଲା ୩ହାଇୱା ଟ୍ରକ ଓ ଜେସିବି ମେସିନ୍ ଜବତ, ୩ ଅଟକ

ଯୋଡ଼ା, (ସମୀର କୁମାର ଦାସ) : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ସେକ୍ସନ ଅଧିନରେ ଥିବା ନୟାଗଡ ଠାରେ ରବିବାର ରାତିରେ ବନବିଭାଗ ଚଢାଉ କରି ଲୁହାପଥର ବୋଝେଇ ହେଉଥିବା ୩ ଗୋଟି ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ କରିବା ସହିତ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି । ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୨ଟା ବେଳେ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ ଚମ୍ପୁଆ ରେଞ୍ଜର ସଞ୍ଜିବ୍ ରାଉତଙ୍କ ନେତୃତ୍ୱରେ ଯୋଡା ଫରେଷ୍ଟର ଅନିରୁଦ୍ଧ ପଣ୍ଡା, ବାମେବାରୀ ଫରେଷ୍ଟର ଜତିନ୍ଦ୍ର ସାହୁ ସଦଳବଳେ ଉକ୍ତ ଅଂଚଳରେ ଚଢାଉ କରିଥିଲେ । ହାଇୱା ନଂ- ଜେଏଚ୍ ୦୨ ବି ଏ ୬୨୦୩, ଜେଏଚ ୦୫ ଏଲ ୭୭୦୮, ଜେଏଚ୍ ୦୨ ଏଏକ୍ସ ୩୬୫୦, ଏବଂ ଜେସିବି ନଂ ଜେଏଚ୍ ୦୫ ବିଏଲ ୨୩୩୫ ରେ ଚୋରା ଲୁହାପଥର ବନାଂଚଳରୁ ଉତୋଳନ କରି ଜେସିବି ମେସିନ ଯୋଗେ ଲୋଡିଂ କରାଯାଉଥିବା ବେଳେ ବନବିଭାଗ ଅତର୍କିତ ଚଢାଉ କରି ଗାଡି ଓ ଜେସିବି ମେସିନ୍‌କୁ ଜବତ କରିଥିଲେ । ଏହି ଚଢାଉ ବେଳେ ୨ଟିି ହାଇୱା ଟ୍ରକ୍‌ର ଡ୍ରାଇଭର ମାନେ ଫେରାର୍ ହୋଇଯାଇଥିବା ବେଳେ ଜେସିବି ଡ୍ରାଇଭର ସମେତ ମହେଶ୍ୱର ମହାନ୍ତ, ଛଟୁ କୁମାର ସିଂ ଓ ପ୍ରକାଶ କୁମାର ସିଂ ୩ ଜଣକୁ ବନ ବିଭାଗ କାବୁ କରିନେଇଥିଲା । ତେବେ ପ୍ରଥମକରି ଏକ ଭାରୀ ମେସିନ୍ ଲଗାଇ ଚୋରମାନେ ଚୋରି କରୁଥିବା ଖଣିମଣ୍ଡଳରେ ପ୍ରଥମ ଥର ଦେଖିବାକୁ ମିଳିଛି । ଖଣିବିଭାଗର ସ୍ଥାଣୁତା, ଡିଷ୍ଟ୍ରିକ୍ଟ ଲେବଲ ଟାସ୍କଫୋର୍ସ (ଡିଏଲ୍‌ଟିଏଫ୍‌) ର ଅପାରଗତା ହେତୁ ବନାଂଚଳରେ ଖଣିଜ ଚୋରମାନେ ଅବାଧରେ ମେସିନ୍ ଲଗାଇ ଖଣିଜ ଉତୋଳନ କରି ଚୋରା କାରବାର ଆରମ୍ଭ କଲେଣି । ରାଜ୍ୟ ସରକାରଙ୍କର ଷ୍ଟେଟ୍ ଲେବୁଲ ଏନଫର୍ସମେନ୍‌ଟ ସ୍କ୍ୱାର୍ଡ ଓ ଜିଲା ପ୍ରଶାସନର ଡିଷ୍ଟ୍ରିକ୍ଟ ଲେବୁଲ ଟାସ୍କଫୋର୍ସ ଖଣିମଣ୍ଡଳରେ ଅନୁମୋଦନ ପ୍ରାପ୍ତ ଚାଲୁଥିବା ଖଣି ଗୁଡିକରେ ବ୍ୟାପକ ଯାନ୍‌ଚ ଓ ବୈଧାନିକ ନିୟମର ତଦନ୍ତ କରୁଥିବା ବେଳେ ବନାଂଚଳରୁ ମେସିନ୍ ଲଗାଇ ଚୋରମାନେ କୋଟିକୋଟି ଟଙ୍କାର ଖଣିଜ ତାଡିନେଇ ବାହାର ରାଜ୍ୟକୁ ଚୋରା ଚାଲାଣ କଲେଣି । ବାମେବାରୀ ପୋଲିସ୍‌ର ନିଷ୍କ୍ରିୟତା ଯୋଗୁ ଚୋରା ଖଣିଜ କାରବାର ବୃଦ୍ଧିହେବା ସହିତ କାଠଚୋରି ମଧ୍ୟ ଦିନ ଦ୍ୱିପ୍ରହରରେ ରାଜ ରାସ୍ତାରେ ହେଉଛି । ଏ ସମ୍ପର୍କରେ ଯୋଡା ଖଣି ବିଭାଗର ଯୁଗ୍ମ ଖଣି ନିର୍ଦେଶକ ସିଲିଲ ବେହେରାଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ନଥିବା କହିବା ସହିତ ଏ ଘଟଣା କେଉଁଠାରେ ହୋଇଛି ବୋଲି ଓଲଟା ପ୍ରଶ୍ନ କରି ମୁଁ ଏହାର ସମ୍ପୁର୍ଣ୍ଣ ସଂଜ୍ଞାନ ନେବିବୋଲି କହିଥିଲେ । ଏଥିରୁ ସ୍ପଷ୍ଟ ଯେ, ଖଣିବିଭାଗ, ବନବିଭାଗ ଓ ପୋଲିସ୍ ବିଭାଗର କୌଣସି ସମନ୍ୱୟ ନାହିଁ । ସୂଚନାଯୋଗ୍ୟ ଯେ, ସରକାରଙ୍କର ଖଣି ନିଲାମ ପରେ ବହୁ ଟଙ୍କାର ପ୍ରିମିୟମ ନିଲାମ ଡାକି ଖଣି ହାତେଇଥିବା କମ୍ପାନିମାନେ ଲୁହାପଥରର ମୂଲ୍ୟ ବୃଦ୍ଧି କରିଥିବାରୁ ଚୋରା ଖଣିଜ କାରବାର ବୃଦ୍ଧି ପାଇବାରେ ଲାଗିଛି । କାରଣ ଚୋରା ଲୁହାପଥର ବଜାର ମୂଲ୍ୟଠାରୁ ଚୋରମାନେ ଶସ୍ତାରେ ବାହାର ରାଜ୍ୟକୁ ବିକ୍ରୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ