କଠୋର ହେଲେ ସୁପ୍ରିମ କୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ସୁପ୍ରିମ କୋର୍ଟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ବିଚାର ବ୍ୟବସ୍ଥାକୁ ଅଚଳ କରାଯିବା ଉଦ୍ୟମକୁ କୌଣସି ପରିସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ । ନ୍ୟାୟର ମନ୍ଦିରକୁ ଖୋଲା ରଖିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ଉଚିତ । ଏଦିଗରେ ହାଇକୋର୍ଟ କଣ ପଦକ୍ଷେପ ନେଇଛନ୍ତି ବୋଲି କୋର୍ଟ ଜାଣିବାକୁ ଚାହିଁଥିଲେ । ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସ୍ଥାନୀୟ ପୁଲିସ ସକ୍ଷମ କି ନୁହେଁ । ଯଦି ସ୍ଥାନୀୟ ପୁଲିସ ଏଥିରେ ବିଫଳ ହେଉଛି ତାହାହେଲେ ଅର୍ଧ ସାମରିକ ବାହିନୀର ସହାୟତା ନିଆଯାଇପାରିବ । କୋର୍ଟ ଚଳାଇବା ଲାଗି ସେମାନଙ୍କୁ ମୁତୟନ କରାଯାଇପାରିବ । ସୁପ୍ରିମ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ଜଣାଇ ଦେଇଛନ୍ତି ଯେ ଆବଶ୍ୟକ ପଡ଼ିଲେ ଏସଂପର୍କରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଆଯିବ । ପୁଲିସ୍ ବିଫଳ ହେଲେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ଜଷ୍ଟିସ ଏସ୍‌.କେ.କଉଲ ଓ ଜଷ୍ଟିସ କେ.ଏମ.ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ । ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଦାଖଲ କରିଥିବା ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ତେବେ ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କହିଥିଲେ ଯେ କୋର୍ଟ କାର୍ଯ୍ୟ ଚାଲିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି ଓ ଅପ୍ରୀତିକର ପରିସ୍ଥିତି ଯୋଗୁଁ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ହାଇକୋର୍ଟରେ ଘୁଞ୍ଚିଥିଲା । ଏହି ସମୟରେ ଖଣ୍ଡପୀଠ କହିଥିଲେ ଯେ ବିଚାର ବ୍ୟବସ୍ଥାକୁ ସ୍ଥାଣୁ ହେବାକୁ ଦିଆଯିବ ନାହିଁ । କୋର୍ଟକୁ ଖୋଲା ରଖିବା ପାଇଁ ହାଇକୋର୍ଟ କଣ ପଦକ୍ଷେପ ନେଇପାରିବେ ବୋଲି ଜାଣିବାକୁ ଚାହିଁଥିଲେ । ତେବେ ଏସଂପର୍କରେ ତଥ୍ୟ ଉପସ୍ଥାପନ ପାଇଁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦୁଇ ଦିନ ସମୟ ନେଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୪କୁ ଧାର୍ଯ୍ୟ କରାଯାଇଥିବା ବେଳେ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଅକ୍ଟୋବର ୧୬ରେ ପିଏଲଆର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ଟ୍ରାନ୍ସଫର ପିଟିସନ(ସିଭିଲ)ର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ । ମୁଖ୍ୟ ବିଚାରପତିଙ୍କ କୋର୍ଟରେ ମାମଲା ପରିଚାଳନା ପାଇଁ ଆଗ୍ରହୀ ଆଇନଜୀବୀଙ୍କ ପ୍ରବେଶ ସୁନିଶ୍ଚିତ କରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୧୬ ତାରିଖ ଦିନ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସ୍ଥାନୀୟ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ମାମଲା ପରିଚାଳନା ପାଇଁ ଅନୁମତି ଦେଉ ନାହାନ୍ତି । ବାହାରର ଆଇନଜୀବୀଙ୍କୁ ମଧ୍ୟ ଅନୁମତି ଦିଆଯାଉ ନାହିଁ । କେବଳ ପକ୍ଷମାନଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚଳାନା ପାଇଁ ଛଡାଯାଉଛି । ଏଥି ସହିତ ହାଇକୋର୍ଟ ଅକ୍ଟୋବର ୧୫ରେ ଏକ ଅଦାଲତ ଅବମାନନା ମାମଲା ନିଜ ଆଡୁ ରୁଜୁ କରିଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ