୮୫ତମ ଉତ୍କଳ ଦିବସ ଉପଲକ୍ଷେ

ଉତ୍କଳ ଦିବସ : ଏକ ଅନୁଚିନ୍ତା ମହୋଦଧିଠାରୁ ଅମରକଣ୍ଟକ, ଗଙ୍ଗାଠାରୁ ଗୋଦାବରୀ

ପ୍ରଦୀପ ସେନାପତି

ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ଓଡ଼ିଶା ରାଜ୍ୟ, ୨୦୨୧ ମସିହା, ଏପ୍ରିଲ ୧ ତାରିଖରେ ୮୫ତମ ଉତ୍କଳ ଦିବସ ପାଳନ କରୁଛି । ଏହି ପବିତ୍ର ଭୂମି, ଏହାର ଇତିହାସ, ପୁରାଣ ଶାସ୍ତ୍ର ଓ ଆଧ୍ୟାତ୍ମିକ ଶକ୍ତି ନିମନ୍ତେ ପ୍ରସିଦ୍ଧି ଲାଭ କରିଛି । ଭାରତ ଗର୍ବ ଅନୁଭବ କରୁଥିବା ଏପରି ଅନେକ କିଛିର ଉତ୍ପତ୍ତି ଏହି ଓଡ଼ିଶା ମାଟିରୁ ହିଁ ସମ୍ଭବ ହୋଇପାରିଛି । ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାଠାରୁ ଦୀର୍ଘ ୮୫ବର୍ଷର ଯାତ୍ରା ପଥରେ ରାଜ୍ୟର କେତେକାଂଶରେ ବିକାଶ ପରିଲକ୍ଷିତ ହୋଇଥିବା ବେଳେ, ନିର୍ଦ୍ଦିଷ୍ଟ ଭାବେ ଏହି ରାଜ୍ୟ ବିିଭିନ୍ନ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ବହନ କରିଥିଲା । ତେଣୁ ଓଡ଼ିଶାରେ ଆଜି ପରମ୍ପରା ଏବଂ ଆଧୁନିକତାର ଏକ ବିରଳ ସମନ୍ୱୟ ଘଟିଛି । ଆଜିର ଏହି ଐତିହାସିକ ଦିବସରେ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବହୁ ପ୍ରତିକ୍ଷିତ ସ୍ୱପ୍ନ ସାକାର ହୋଇଥିଲା ।
ଏ ମାଟିର ସୁଯୋଗ୍ୟ ସନ୍ତାନମାନଙ୍କ ଅବିଶ୍ରାନ୍ତ ସଂଗ୍ରାମ ଏବଂ ନିଃସ୍ୱାର୍ଥପର ବଳିଦାନ ଯୋଗୁଁ ସ୍ୱତନ୍ତ୍ର ଓଡ଼ିଶା ଆତ୍ମପ୍ରକାଶ କରିଥିଲା । ଏହି ଐତିହାସିକ ସଫଳତା ଲାଭ ଦିଗରେ ଓଡ଼ିଶା ମାଟିର ମହାନ୍ ବ୍ୟକ୍ତିବିଶେଷ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର, ଉତ୍କଳମଣି ପଣ୍ଡିତ ଗୋବପନ୍ଧୁ ଦାସ ଏବଂ ଏପରି ଅନେକ ପ୍ରଥିତଯଶା ମହାମନୀଷୀଗଣ ନିରନ୍ତର ସଂଗ୍ରାମ ଜାରି ରଖିôଥିଲେ । ଏହି ଇତିହାସର ମୂକସାକ୍ଷୀ ସଂକ୍ଷେପରେ କହିବାକୁ ଗଲେ । ଏକ ସ୍ୱତନ୍ତ୍ର ଓଡ଼ିଶା ଗଠନ ତତ୍କାଳୀନ ପ୍ରକ୍ରିୟା ନଥିଲା । ବରଂ ଏହା ଆମର ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସାହିତ୍ୟିକ ଏବଂ ଦୂରଦ୍ରଷ୍ଟାମାନଙ୍କ ବହୁବର୍ଷବ୍ୟାପୀ ଉଦ୍ୟମର ଫଳଶ୍ରୁତି ଥିଲା । ଆଜିର ଏହି ସ୍ମରଣୀୟ ଦିବସରେ ଆସନ୍ତୁ, ଏହି ମହାନ୍ ବରପୁତ୍ରମାନଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଏବଂ ସମଗ୍ର ଭାରତବର୍ଷରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଗଠନ କ୍ଷେତ୍ରରେ ଆମକୁ ଅନନ୍ୟ ପରିଚିତ କରିଥିବା ଏହି ବରପୁତ୍ରମାନଙ୍କ ଅମୂଲ୍ୟ ଅବଦାନ ନିମନ୍ତେ ଶ୍ରଦ୍ଧାପୂର୍ବକ ସେମାନଙ୍କ ସ୍ମୃତିଚାରଣ କରିବା । ଓଡ଼ିଶା ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ସହିତ ୨୫୦୦ବର୍ଷର ପ୍ରାଚୀନ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ପୂର୍ବସୁରୀମାନଙ୍କର ନିରନ୍ତର ଉଦ୍ୟମ ଆମ ପାଇଁ ଚିରସ୍ମରଣୀୟ ହୋଇ ରହିବ ।
ପ୍ରାଚୀନ ଯୁଗରୁ ଓଡ଼ିଶା ଏକ ଐଶ୍ୱର୍ଯ୍ୟଶାଳୀ, ଉତ୍କୃଷ୍ଟ କଳା କୌଶଳ ଜ୍ଞାତ ସାମରିକ ଶକ୍ତିସମ୍ପନ୍ନ ଓ ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ରାଜ୍ୟ ରୂପେ ବିଶ୍ୱ ଦରବାରରେ ପରିଚିତ ଥିଲା । ପୂର୍ବରେ ମହୋଦଧିଠାରୁ ପଶ୍ଚିମରେ ଅମରକଣ୍ଟକ ଏବଂ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ବିଶାଳ ଭୂଖଣ୍ଡ, ପୁରାତନ ଐତିହାସିକ କାଳର ବୃହତ ତଥା ଶକ୍ତିଶାଳୀ ରାଜ୍ୟ କଳିଙ୍ଗ, ଉତ୍କଳିଙ୍ଗ, ଉତ୍କଳ, ତ୍ରିକଳିଙ୍ଗ, ତୋଷଳ, କୋଶଳ, କଙ୍ଗୋଦ ଏବଂ ଉଡ୍ର ଶବ୍ଦରୁ ସାମ୍ପ୍ରତିକ ଓଡ଼ିଶା ପ୍ରଦେଶ ନାମଟି ଉଦ୍ଭବ ହୋଇଅଛି । ଅତୀତର ସମୃଦ୍ଧି ଓ ବୀରତ୍ୱର ଗାଥା ଏକ ଅପୂର୍ବ ସମିଶ୍ରଣ ସହ, ଏହି ପ୍ରାଚୀନ ରାଜ୍ୟ କେତେବେଳେ ଜଣେ ରାଜାଙ୍କ ଦ୍ୱାରା ଏବଂ କେତେବେଳେ ଖଣ୍ଡବିଖଣ୍ଡିତ ହୋଇ ବିଭିନ୍ନ ରାଜାଙ୍କ ଦ୍ୱାରା ଶାସିତ ହେଲେ ହେଁ ଭାବ ଓ ଭାଷା ଦୃଷ୍ଟିରୁ ଏହାର ଜାତୀୟତା ଅକ୍ଷୁର୍ଣ୍ଣ ରହିଥିଲା । ରାମାୟଣ, କଳ୍‌କୀ ପୁରାଣ, ଗ୍ରନ୍ଥ, ମହାଭାରତ, ବୃହତ ସଂହିତା, ଶକ୍ତି ସଙ୍ଗମତନ୍ତ୍ର, ବୁଦ୍ଧାୟନ ସ୍ୱତ୍ର, ଦିଗ୍‌ବିଜୟ ପ୍ରକାଶ, ତ୍ରିକାଣ୍ଡ କୋଷ, ସ୍କନ୍ଦପୁରାଣ, କପିଳ ସଂହିତା, ମତ୍ସ୍ୟପୁରାଣ, ଦଶକୁମାର ରଚିତ ପ୍ରଭୃତି ପ୍ରାଚୀନ ଶାସ୍ତ୍ର ସମୂହରେ ଏହି ଭୂଖଣ୍ଡର ଗୌରବର ଗାଥାର ପ୍ରମାଣିକ ତଥ୍ୟ ଅଙ୍କିତ । ଏହି ଭୂଖଣ୍ଡରେ ଚୈତ୍ର, ଭୌମ, ସୋମ, ଗଙ୍ଗ, ସୂର୍ଯ୍ୟ ଓ ଭୋଇ ବଂଶର ନରପତିଗଣ ଶାସନ କରି ଅକ୍ଷୟଯଶ ରଖିଯାଇଛନ୍ତି । ଦୁଃଖର ବିଷୟ ଷୋଡ଼ଶ ଶତାବ୍ଦୀରେ ଏହି ରାଜ୍ୟର ସ୍ୱାଧୀନତା ବିପନ୍ନମୁଖୀ ହୋଇ ଏହା ଆଫାଗାନ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ଶାସନଧୀନ ହୋଇଥିଲା । ସେମାନେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ନକରି, ବଙ୍ଗ, ବିହାର, ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ସହିତ ଅନ୍ତର୍ଭୁକ୍ତ କରିଥିଲେ । ୧୫୬୮ ଖ୍ରୀଷ୍ଟାବ୍ଦରେ ଆଫାଗାନମାନେ ଓଡ଼ିଶା ଅଧିକାର ପୂର୍ବକ ଏହାକୁ ବଙ୍ଗ ପ୍ରଦେଶ ଅଧୀନରେ ରଖିଲେ । ପରେ ପରେ ମୋଗଲମାନେ ଓଡ଼ିଶା ଅଧିକାର ପୂର୍ବକ ଏହାକୁ ଗୋଟିଏ ସୁବାରେ ପରିଣତ କରିଥିଲେ । ଏହାପରେ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିଥିଲେ ହେଁ ସେମାନଙ୍କ ରାଜତ୍ୱରେ ଓଡ଼ିଶା ଶାସନରେ ବ୍ୟାପକ ଅସ୍ଥିରତା ସୃଷ୍ଟି ହୋଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ସେମାନେ ଓଡ଼ିଶାର ହଜାର ହଜାର ବର୍ଷର ଐତିହ୍ୟ ଓ ସଂସ୍କୃତି, ପରମ୍ପରାକୁ ଭ୍ରୁକୁଞ୍ଚନ କରି ଓଡ଼ିଶାର ଦକ୍ଷିଣାଞ୍ଚଳକୁ ମାନ୍ଦ୍ରାଜ ପ୍ରବେଶ, ପଶ୍ଚିମାଞ୍ଚଳକୁ ମଧ୍ୟପ୍ରଦେଶ ଓ ଉତ୍ତରାଞ୍ଚଳକୁ ବଙ୍ଗ ପ୍ରଦେଶରେ ମିଶ୍ରଣ କରିଦେଲେ । ଇଂରେଜମାନେ କପଟତା ଅବଲମ୍ବନ ପୂର୍ବକ ଓଡ଼ିଶା ଅଧିକାର କରିଥିବାରୁ ଓଡ଼ିଆ ଜାତି ଏହା ସହଜରେ ସ୍ୱୀକାର କରିନଥିଲା । ଏହା ବିରୁଦ୍ଧରେ ଓଡ଼ିଆମାନଙ୍କ ଦ୍ୱାରା ସଂଗଠିତ ୧୮୧୭ ମସିହାର ପାଇକ ବିଦ୍ରୋହ ଥିଲା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଏହି ପାଇକବୀରଙ୍କ ଭୟରେ ଇଂରେଜ ପ୍ରଶାସକମାନେ ଖୋର୍ଦ୍ଧା ପରିତ୍ୟାଗ ପୂର୍ବକ ପଳାୟନ କରିଥିଲେ । ଏହି କାରଣରୁ ଇଂରେଜମାନେ ଓଡ଼ିଆମାନଙ୍କୁ ଦୁର୍ଦ୍ଦଷ ବିବେଚନା କରି ଭୟରେ ବିଶାଳ ଓଡ଼ିଶାକୁ ଖଣ୍ଡଖଣ୍ଡ କରି ଭିନ୍ନ ଭିନ୍ନ ପ୍ରବେଶ ଅଧୀନରେ ରଖିଲେ ।
୧୮୬୫-୬୬ରେ ଓଡିଶାରେ ବଡ଼ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । ଏହି ଦୁର୍ଭିକ୍ଷରେ ଲକ୍ଷଲକ୍ଷ ଲୋକ ଅନାହାରରେ ପ୍ରାଣ ହରାଇଥିଲେ । ସରକାରୀ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ଏକଲକ୍ଷ ବୋଲି କୁହାଯାଇଥିଲା । ପ୍ରମୁଖ ଓଡ଼ିଶାବାସୀଙ୍କର ଦାବି ଓ ଆପତ୍ତିକ୍ରମେ ବିଲାତସ୍ଥିତ ଭାରତ ସଚିବ ଷ୍ଟାଫୋର୍ଡ ନର୍ଥକୋଟ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ ଯେ, ବଙ୍ଗ, ବିହାର ଓ ଓଡ଼ିଶାକୁ ଏକ ପ୍ରଦେଶ ରଖାଯାଇଥିବାରୁ ଏହି ବିଶାଳ ଭୂଖଣ୍ଡର ଶାସନ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରିଲା ନାହିଁ ଏବଂ ଏହି କାରଣରୁ ଓଡ଼ିଶାର ଅକଥନୀୟ ଅବସ୍ଥା ଘଟିଲା ।
ପ୍ରକୃତପକ୍ଷେ ଏହା ପରଠାରୁ ୧୮୮୨ ମସିହାରେ “ଉତ୍କଳସଭା” ଗଠନ କରାଗଲା । ଅନେକ ଓଡ଼ିଆ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମିତ୍ତ ସରକାରଙ୍କ ଠାରେ ଦାବି ଜଣାଇଲେ । କାଳକ୍ରମେ ୧୯୧୧ ମସିହାରେ ବିହାର ଓ ଓଡ଼ିଶାକୁ ବଙ୍ଗପ୍ରଦେଶରୁ ଅଲଗା କରି ଏକ ମିଳିତ ପ୍ରଦେଶ ଭାବରେ ରଖିଲେ । ଏଥିରେ ମାନ୍ଦ୍ରାଜ ପ୍ରଦେଶସ୍ଥିତ ଓଡ଼ିଆ ଅଞ୍ଚଳ ମିଶିନଥିଲା । ୧୯୧୪ରେ ଉତ୍କଳ ସମ୍ମିଳନୀ ବୈଠକରେ, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନଧୀନ କରିବାକୁ ଆହ୍ୱାନ ଦିଆଗଲା । ୧୯୧୬ରେ ଚେମ୍‌ସଫୋର୍ଡ ଓ ମଣ୍ଟେଗୁଙ୍କୁ ନେଇ ଗଠିତ ଶାସନ ସଂସ୍କାର କମିଟି ନିକଟରେ ଓଡ଼ିଶାର ନେତୃବର୍ଗ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ପ୍ରଦେଶ କରିବା ନିମିତ୍ତ ଦାବି ଉପସ୍ଥାପନ କଲେ । ବାଧ୍ୟବାଧ୍ୟକତାରେ ଉକ୍ତ କମିଟିର ସୁପାରିଶରେ ବିହାର ଓଡ଼ିଶା କାଉନସିଲରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା କାର୍ଯ୍ୟକାରୀ ନହେବାରୁ ୧୯୨୦ରେ, ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରାଦେଶିକ କଂଗ୍ରେସ କମିଟି ଗଠନ କରାଯାଇ ଓଡ଼ିଆଙ୍କ ଦାବିକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ବିହାର ଓଡ଼ିଶା କାଉନସିଲରେ ଓଡ଼ିଶାର ଦାବି ଜଣାଇଥିଲେ । ସେ ମଧ୍ୟ ଓଡ଼ନେଲ କମିଟି ନିକଟରେ ସାକ୍ଷ ଦେଇ ଦାବିର ଯଥାର୍ଥତା ପ୍ରତିପାଦନ କରିଥିଲେ । ୧୯୨୪ରେ ମଧୁସୂଦନ ଦାସ କଂଗ୍ରେସ ଓ ଅଣକଂଗ୍ରେସ ନେତାମାନଙ୍କ ସମନ୍ୱୟ କମିଟି ନିକଟରେ ଦୃଢ ଦାବି ଜଣାଇଥିଲେ । ୧୯୩୧ରେ ଲଣ୍ଡନଠାରେ ଗୋଲଟେବୁଲ ବୈଠକ ବସିଲା ଓଡ଼ିଶାରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସେ ବୈଠକରେ ପ୍ରତିନିଧିତ୍ୱ କରିଥିଲେ । ସେତେବେଳକୁ ପୂର୍ବ ନେତୃବୃନ୍ଦଙ୍କ ସହିତ ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର, ଅନନ୍ତ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ହରେକୃଷ୍ଣ ମହାତାବ, ସତ୍ୟବାଦୀ ମିଶ୍ର ପ୍ରଭୃତି ଅଗଣିତ ବିପ୍ଲବୀଙ୍କ ନେତୃତ୍ୱ ଓଡ଼ିଆ ଆନ୍ଦୋଳନକୁ ବ୍ୟାପକ କରିପାରିଥିଲା । ବିଶେଷତଃ ଛୁରୀଆନା କୁଞ୍ଜର ପଞ୍ଚସଖା ଓ ସତ୍ୟବାଦୀ ବନବିଦ୍ୟାଳୟ ତଥା ‘ସମାଜ’ ମାଧ୍ୟମରେ ଓଡ଼ିଶାବାସୀଙ୍କ ହୃଦୟରେ ଜାତୀୟ ଚେତନା ବିକାଶ ଲାଭ କରି ତୀବ୍ର ସ୍ୱରୂପ ଧାରଣ କରିଥିଲା । ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନ, ନିଶା ନିବାରଣ, ଲବଣ ସତ୍ୟାଗ୍ରହ, ସରକାରୀ ଆଇନ ଅମାନ୍ୟ ଜୋରଦାର ଆରମ୍ଭ ହୋଇଯାଇଥିଲା । ପରିଶେଷରେ ତତ୍କାଳୀନ ଇଂରେଜ ସରକାର ୧୯୩୬ ଅପ୍ରେଲ ୧ ତାରିଖ ଠାରୁ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ପ୍ରଦାନ କଲେ । ଏହା ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ହୋଇଥିଲେ ହେଁ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମିଶିପାରି ନଥିଲା । ଉତ୍ତରରେ ଥିବା ମେଦିନୀପୁର, ସିଂହଭୂମି, ଧଳଭୂମି, ଚାଇଁବସା, ଛୋଟନାଗପୁର, ଚକ୍ରଧରପୁର, ପଶ୍ଚିମରେ ଥିବା ବସ୍ତର, ରାୟପୁର, ଅମ୍ବିକାପୁର, ସୁରୁଗୁଜା, ଶ୍ରୀପୁର, ସିରିଆ ପ୍ରଭୃତି ଏବଂ ଦକ୍ଷିଣରେ ଥିବା ମଞ୍ଜୁସା, ଟିକାଲି, ଜଳନ୍ତର ପ୍ରଭୃତି ଏବେ ବି ଓଡ଼ିଶା ସହିତ ମିଶିପାରି ନାହିଁ । ଏହି ଖଣ୍ଡିତ ଓଡ଼ିଶା ପ୍ରଦେଶ ଦେଖିବା ନିମିତ୍ତ ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ଅନେକ ଉତ୍କଳର ପ୍ରାଣନେତା ଜୀବିତ ନଥିଲେ । ଅତ୍ୟନ୍ତ ଦୁଃଖର କଥା-ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ମସିହାରେ ଗଠନ ହେଲା ସତ ଅଥଚ ଓଡ଼ିଶାବାସୀଙ୍କ ସ୍ୱପ୍ନ ଅଧୁରା ହୋଇ ରହିଗଲା ଏପରିକି, ଦେଶ ସ୍ୱାଧୀନ ହେଲା ପରେ ମଧ୍ୟ ଷଢେଇକଳା ଓ ଖରସୁଆଁ ଓଡ଼ିଶାରୁ ବିଚ୍ଛନ୍ନ ହୋଇଗଲା । ବିଚ୍ଛିନ୍ନ ଅଞ୍ଚଳର ଓଡ଼ିଆ ଭାଷାଭାଷୀଙ୍କ ଦୁଃଖ, ଦୁର୍ଦ୍ଦଶା ସ୍ୱଚକ୍ଷୁରେ ନଦେଖିଲେ ବିଚ୍ଛନ୍ନତାର ଯନ୍ତ୍ରଣା ହୃଦୟଙ୍ଗମ କରିହେବ ନାହିଁ । ସ୍ୱାଧୀନତା ପରେ ଏହି ଅଞ୍ଚଳଗୁଡ଼ିକ ଓଡ଼ିଶାରେ ମିଶିବା ପାଇଁ ଓଡ଼ିଶାବାସୀଙ୍କ ବ୍ୟାପକ ଆନ୍ଦୋଳନ କରିଥିଲେ ହେଁ ଫଳ କିଛି ହେଲାନାହିଁ । କେବଳ ସୁନୀଲ ଓ ବେଙ୍ଗ ପାଣିଆ ଶହୀଦ ହୋଇଗଲେ । ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନର ଆଶ ଆଶାରେ ହିଁ ରହିଗଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ୮୫ବର୍ଷ ହେଲାଣି, ତଥାପି ଓଡ଼ିଶା ପଛୁଆ ରାଜ୍ୟ । ଯେଉଁ ଓଡ଼ିଆ ଭାଷାକୁ ଆଧାର କରି ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା, ସେହି ଓଡ଼ିଆ ଭାଷା ଆଜି ବିପନ୍ନ । ପ୍ରାଚୀନ ସାହିତ୍ୟ, ଅଭିଲେଖା, ବିଦେଶୀ ପରିବ୍ରାଜକଙ୍କ ବିବରଣୀ ପ୍ରଭୃତିରେ ବର୍ଣ୍ଣିତ ବିଶାଳ ଓଡ଼ିଶାର ସାମଗ୍ରିକ ଐତିହ୍ୟକୁ ଜଳାଞ୍ଜଳି ଦିଆଯାଇ ଏକ ଖଣ୍ଡିତ ପ୍ରଦେଶକୁ ଓଡ଼ିଶା ପ୍ରଦେଶ କୁହାଯାଉଥିବାରୁ ଏ ଦିଗରେ ରାଜ୍ୟ ସରକାର ବରମ୍ବାର ଦାବି କରିବାର ଆବଶ୍ୟକତା ନିତାନ୍ତ ଜରୁରୀ ବୋଲି ଓଡ଼ିଶାବାସୀଙ୍କ ମତ ।

ରାଜ୍ୟ, ଜାତୀୟ, ଆନ୍ତର୍ଜାତୀୟ ସ୍ତମ୍ଭକାର ତଥା
ରାଜ୍ୟସଭାପତି, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ
ଜିଲ୍ଲାପାଳ ରୋଡ଼, ଭଦ୍ରକ
ମୋ : ୯୪୩୮୪୪୬୫୭୫

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ