ରାଜନୀତି ନୁହେଁ ଚଉକିର ସଉକି

ମାୟାଧର ନାୟକ

ମୁଁ ଲେଖକ ନ ଥିଲି । ଲେଖକ ହେବାର ଲକ୍ଷ୍ୟ ବି କେବେ ନ ଥିଲା । ଆମେ ସ୍କୁଲ୍ ସାଙ୍ଗମାନେ ଯେତେବେଳେ ଛୁଟିଦିନ କଟାଉଥିଲୁ, ସେତେବେଳେ ସେସବୁ ଦିନ ଥିଲା ନିଆରା । କିଏ କେମିତି ସମୟ କାଟୁଥିଲେ ସ୍କୁଲ୍ ଖୋଲିବା ପରେ ସେଇସବୁ ଅନୁଭୂତି ଆମ ଭିତରେ ଆମେ ପରସ୍ପରକୁ ଶୁଣାଉଥିଲୁ । ମତେ ପଚରାଗଲେ ମୁଁ କହୁଥିଲି – ମୁଁ ଦିନଯାକ ଗାଆଁପିଲାଙ୍କ ସାଙ୍ଗେ ମିଶି ତୋଟା-ବଣ-ପାହାଡ ବୁଲୁଥିଲି ଆଉ ରାତିରେ ସୁଆଙ୍ଗ ଦେଖୁଥିଲି । ମାତ୍ର ବଡ ହେଲା ପରେ କଲେଜ ଆସି ଦୁଇଟା ନିଶାରେ ମାତିଗଲି । ଗୋଟିଏ ଡ୍ରାମା – ଆରଟି ରାଜନୀତି । ସେତେବେଳେ ଅନେକ ନାଟକର ନାୟକ ଭୂମିକାରେ ଅଭିନୟ କରିଛି । ବେଳେବେଳେ ନାଟକର ସଂଳାପ କହୁକହୁ ମଂଚ ଉପରେ ଆପଣାଛାଏଁ ମୋ ମୁହଁରେ ଆସିଯାଇଛି ନୂଆ ବାକ୍ୟ କିଛିଟା – ଯାହା ନାଟକ-ଲେଖକଙ୍କ ସଂଳାପଠାରୁ ଭିନ୍ନ । ଚରିତ୍ର ଅନୁସାରେ ମୋ ମୁହଁର ସେ ନୂଆ ସଂଳାପସବୁ କାହିଁକି କେଜାଣି ଆପଣାଛାଏଁ ଉଚ୍ଚାରିତ ହୋଇଯାଏ, ଜାଣିପାରେନି । ପରେ ଆଶ୍ଚର୍ଯ୍ୟ ହୁଏ, ଦର୍ଶକ-ଶ୍ରୋତାମାନେ ମୁଗ୍‌ଧ ହୋଇ କିପରି ସେସବୁ ବାକ୍ୟ ସ୍ୱାଭାବିକ ଭାବରେ ଗ୍ରହଣ କରିନେଉଛନ୍ତି ଭାବି ! କଲେଜ ଜୀବନର ନାଟକରେ ଅଭିନୟ କରୁକରୁ ଥରେ ଫିଲ୍ମରେ ଅଭିନୟ କରିବାର ଆମନ୍ତ୍ରଣ ପାଇଲି । କିନ୍ତୁ ସେତେବେଳକୁ ମୋ ଜୀବନଚକଟା ଗଡିବାକୁ ଆରମ୍ଭ କଲାଣି ଆଉଗୋଟାଏ ରାସ୍ତାରେ । ସେ ରାସ୍ତା ଛାତ୍ରରାଜନୀତିର ରାସ୍ତା । ନାଟକର ଅଭିନୟ, ଫିଲ୍‌ମ୍‌ର ଆମନ୍ତ୍ରଣ ଛାଡିଲି, ହେଲେ ରାଜନୀତିର ଆହ୍ୱାନରୁ ମୁଁ ମୁହଁ ଫେରାଇପାରିଲିନି ଆଉ । ସେ ଆହ୍ୱାନ ମତେ କର୍ମତତ୍ପର କରାଇଆସିଛି ଏଯାବତ୍ ।

ରାଜନୀତି କହିଲେ ମୁଁ ବୁଝେ ଚଉକିର ସଉକି ନୁହେଁ, ବରଂ ଜନସ୍ୱାର୍ଥର ଜାଗ୍ରତ ଚଉକିଦାରି ! ଏ ସମାଜରେ ସଂଖ୍ୟାବହୁଳ ସର୍ବହରାର ଜଣେ ଅକିଂଚନ ଉପସ୍ଥାପକ ହେବାରେ ଯେତେ ଆତ୍ମତୃପ୍ତି ମିଳେ, ତା’ ଆଗରେ କୁର୍ସି ପାଇଁ କସରତ ମତେ ଲାଗେ ନିତାନ୍ତ ତୁଚ୍ଛ । ରାଜନୀତିର ଆହ୍ୱାନରେ ମୁଁ ତେଣୁ ମୋର ସ୍ୱଭାବସୁଲଭ ରୁଚିରେ ବାଛିନେଲି ବାମପନ୍ଥୀ ଆଦର୍ଶ । ଘର ଛାଡିଲି । ମତେ ନିଜର କରିନେଲେ ଘର ବାହାରର ଅନେକ ମଣିଷ – ଦୁର୍ଗତ ଆଦିବାସୀଙ୍କଠାରୁ ଆରମ୍ଭ କରି ଦୁଃସ୍ଥ ଶ୍ରମିକବର୍ଗ ପର୍ଯ୍ୟନ୍ତ କେତେ କିଏ । ଛୋଟ ଘରର ମାୟାମମତା ଛାଡି ମୁଁ ପାଇଲି କାହିଁ କେତେଗୁଣ ବଡ ଗୋଟାଏ ସଶ୍ରଦ୍ଧ ସଂସାର ।

୧୯୭୫ ମସିହା ଜୁନ୍ ୨୫ ତାରିଖ ରାତିଅଧିଆ ସାରା ଦେଶରେ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଜାରି ହେଲା ଜରୁରୀକାଳୀନ ପରିସ୍ଥିତି । ସେଇ ସମୟରେ କଟକ ସେଂଟ୍ରାଲ୍ ଜେଲ୍‌ରେ ମତେ କଟାଇବାକୁ ପଡିଥିଲା ଦେଢବର୍ଷରୁ ଉର୍ଦ୍ଧ୍ୱକାଳ ଜଣେ ରାଜବନ୍ଦୀର ଜୀବନ । ସେଇଠି ଜଣେ ଅନନ୍ୟ ମଣିଷ ନବକୃଷ୍ଣ ଚୌଧୁରୀଙ୍କ ସହିତ ଆରମ୍ଭ ହେଲା ପ୍ରତ୍ୟକ୍ଷ ଆନ୍ତରିକ ସଂପର୍କ । ଓଡିଶା ରାଜନୀତିରେ ନବବାବୁ କେବଳ ଏକ ଅବିସ୍ମରଣୀୟ ଉଜ୍ୱଳ ନକ୍ଷତ୍ରର ନାମାନ୍ତର ନୁହନ୍ତି, ସାରା ଭାରତବର୍ଷରେ ତାଙ୍କ ଉଦାର ବ୍ୟକ୍ତିତ୍ୱ ଯୋଗୁ ଏକ ଉଦାହରଣ ମଧ୍ୟ । ଏପରିକି ପ୍ରଧାନମନ୍ତ୍ରୀ ନେହରୁଙ୍କୁ ଅପେକ୍ଷା କରି ଯେତେବେଳେ ବାହାରେ ଗୋଟାଏ ବିରାଟ ଭିଡ ଜମି ରହିଥାଏ, ସେତେବେଳେ ସରଳ ସ୍ୱଚ୍ଛନ୍ଦ ନବବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ବେଡ୍‌ରୁମ୍ ଦରଜା ପାଖରେ ପହଂଚିବାରେ କିଚି ବାଧାବାରଣ ନ ଥିଲା । ନେହରୁ ଖୁବ୍ ଭଲ ପାଉôତଲେ ନବବାବୁଙ୍କୁ । ଏଇ ସେଇ ମହାନ୍ ଜନନେତା ନବକୃଷ୍ଣ ଚୌଧୁରୀ – ଓଡିଶା ରାଜନୀତିରେ ସରଳତମ ଅଥଚ ଅସାଧାରଣ ଜଣେ ବ୍ୟକ୍ତିତ୍ୱ – ଯିଏ କାହିଁକି କେଜାଣି ମତେ ତାଙ୍କ ସ୍ନେହଭାଜନ ହେବାର ସୌଭାଗ୍ୟ ଦାନ କରିଥିଲେ, ତାର କୌଣସି ଯୁକ୍ତିସଂଗତ କାରଣ ବା ଅନୁମାନର ଆଦିଅନ୍ତ ଆଜି ବି ଖୋଜିବସିଲେ ମୁଁ ପାଇପାରେନା ।

କଟକ ସେଂଟ୍ରାଲ୍ ଜେଲ୍‌ରେ ମତେ ଦିନେ ନବବାବୁ ପାଖକୁ ଡାକି ଆଦରରେ ବସାଇଲେ । କହିଲେ- ମାୟାଧର, ଖାଲି ରାଜନୀତି କଲେ ହେବନି । ରାଜନୀତି କରିବା ଭିତରେ ତମେ ତ ଜନସ୍ରୋତ ସହିତ ନିଜକୁ ମିଶାଇଦେଇଚ । ଅନେକ ଜାଗା, ଅନେକ ଲୋକ ଦେଖିସାରିବଣି । ସେଇ ବିଭିନ୍ନ ସ୍ଥାନର ଲୋକମାନଙ୍କ ଦୁଃଖସୁଖକୁ ନେଇ ଏବେ କିଛି ଲେଖ । ଦେଖିବ, ଏ ଜେଲ୍ ରହଣିଟା କୁଆଡେ କେମିତି ମିଳେଇ ଯିବ ଜାଣିପାରିବନି ।

ମୁଁ – ପୁଣି ଲେଖାଲେଖି ? ବିଶ୍ୱାସ ହେଲାନି । ମୋ ଭିତରେ କେବେ କେଉଁଦିନ ମୁହୂର୍ତକ ପାଇଁ ସୁଦ୍ଧା ଲେଖକଟିଏ ଶୋଇରହି କର ଲେଉଟାଇ ଥିବାର ଅନୁଭବ କରିନି ମୁଁ । ଅଥଚ ନବବାବୁଙ୍କ ନିର୍ଦ୍ଦେଶ ମଧ୍ୟରେ କି ମନ୍ତ୍ର ଥିଲା ଜାଣିନି, ଦିନେ କଲମ ଧରିଲି । କଅଣ ଲେଖିବି ? ବୁଦ୍ଧିବାଟ କିଛି ଦିଶିଲାନି । କିଛିଦିନ ଭାରି ବ୍ୟସ୍ତ ହେଲି । ନବବାବୁଙ୍କର ସେଇ ପଦେ ଦି’ପଦ କଅଁଳ କଥା ମତେ ସେଦିନ ପଙ୍ଗୁକୁ ଗିରିଲଂଘନ କରିବାର କଡା ହୁକୁମ୍‌ଠାରୁ ସୁଦ୍ଧା ଆହୁରି କଠିଣ ମନେହେଲା । ନା, ମୋ ଦେଇ ଏସବୁ ହେବନି ।

କିଛିଦିନ ପରେ ସେଇ ସେଂଟ୍ରାଲ୍ ଜେଲ୍‌ର ଗୋଟିଏ ଯୁବକଏଦୀ ଆସି ମୋ ପାଖରେ ଅଧିକାଂଶ ସମୟ ଆପେଆପେ ବସିରହିଲା – ମୋର ସେବାଯତ୍ନ କରିବାକୁ ଆଗଭର ହେଲା । ବସୁବସୁ ସେ ତା’ର ଜୀବନକାହାଣୀ ଶୁଣାଇଲା । ଅତି ମାମୁଲି ମଣିଷ ସେ । ମିଛ ମାମଲାରେ ଫସି ସେ ଆସି ପଶିଚି ଏ ବନ୍ଦୀଶାଲାରେ ।

ମୁଁ କଅଣ ସେଦିନ ଜାଣିଥିଲି – ସେଇ ଦୁର୍ଭାଗା ଯୁବକଟି ହେବାକୁ ଯାଉଛି ମୋ ଲେଖାର ପ୍ରଥମ ଚରିତ୍ର ?

ମୋ ଭଳି ଗୋଟାଏ ଅଲେଖକ – ଯିଏ ଆଗରେ ପୁଳାଏ କାଗଜ ଥୋଇ ଲେଖାଲେଖି କରିବାକୁ କଲମ ଟେକିଚି, ଅଥଚ ବୁନ୍ଦାଏ କାଳି ଝରୁନି ସେ କଲମରୁ – ତାର ପ୍ରଥମ ଲେଖାଟା ହେବ ଗୋଟାଏ ଉପନ୍ୟାସ ? ହେଲେ ସେ ଯୁବକଏଦୀର ଜୀବନବୃତାନ୍ତ ମତେ ସେଦିନ ଟାଣିନେଇଥିଲା ଗୋଟାଏ ଭିନ୍ନ ଦୁନିଆକୁ – ଯେଉଁଠି ମୋ ଅପେକ୍ଷାରେ ଥିଲେ ଆଗାମୀ କାଲି ଲେଖିବାକୁ ଥିବା ଗୁଡିଏ ଗଳ୍ପର ଚରିତ୍ର, ଘଟନା ଆଉ ଅଙ୍ଗେନିଭା ଅନୁଭୂତିସବୁ ।

ନା, ମୁଁ ଲେଖକ ନ ଥିଲି । ଲେଖୁଲେଖୁ ଲେଖିଦେଲି – ଲେଖି ଚାଲିଲି – ଆଜି ବି ଲେଖୁଛି । ସେଇ କଟକ ସେଂଟ୍ରାଲ୍ ଜେଲ୍ ହିଁ ମୋ ଲେଖାର ଏନ୍ତୁଡିଶାଳ । ଯେଉଁ ନବବାବୁ ମତେ ଲେଖିଯାଅ ବୋଲି କହିଥିଲେ, ସେଇ ନବବାବୁଙ୍କୁ ମୁଁ କିନ୍ତୁ ଲେଖିବା ପରେ କୌଣସି ଲେଖା ଦେଖାଇପାରିବାର ସୁଯୋଗ ନ ଥିଲା । ଯେତେବେଳେ ସେସବୁ ଦିନରେ ସେ ମତେ ପ୍ରଶ୍ନ କରନ୍ତି – କଅଣ ମାୟାଧର, କିଛି ଲେଖିଲ ? ମୁଁ ମୁଣ୍ଡ ତଳକୁ କରିଦିଏ । ମାତ୍ର ମୁଁ ଲେଖିଲାବେଳକୁ ସେ କଟକ ସେଂଟ୍ରାଲ୍ ଜେଲ୍‌ରୁ ଚାଲିଯାଇଥାନ୍ତି ଅନ୍ୟ ଜେଲ୍‌କୁ ।

ଆଜି ସେଦିନର ଅନେକ କଥା ମନେପଡେ । ସେଦିନର ସେ ସହୃଦୟତା, ସଂପର୍କର ଉଷ୍ଣତା ଏବେ ଉଦ୍ଭାନ୍ । ସେମିତି ମଣିଷ ବି ଆଖିରେ ପଡୁନାହାନ୍ତି, ଯାହାଙ୍କ ସହିତ ମନ ମିଶାଇହେବ, ପଦେଦି’ପଦ ଦୁଃଖସୁଖ ହେଇହେବ । ସବୁଆଡେ ଭଦ୍ରବ୍ୟକ୍ତି, ଭଦ୍ରମହିଳା, ନାଗରିକ, ମପାଚୁପା ଲୋକ, ଭୋଟର୍ ଭିଡର ଭଉଁରି । ସେମାନଙ୍କ ଭିତରେ ଭାଇଟିଏ, ବନ୍ଧୁଟିଏ, ବିରାଦରଟିଏ କି ମାଆମାଉସୀଟିଏ ଖୋଜି ପାଇବା କାଠିକର ପାଠ । ରାଜନୀତିର ଧାରା ବଦଳିଚି, ଲୋକଚରିତ୍ର ବି । ଲୋକଙ୍କ ପକେଟ୍‌ରେ ପଇସା ଭର୍ତି, କିନ୍ତୁ ଛାତି ତଳେ ହୃଦୟ ନାହିଁ ।

ଅନେକ ଅଦଳବଦଳ ହୋଇସାରିଛି ଏ ସମାଜରେ । ସେଦିନ ସର୍ବହରାର ପଟୁଆର ଦେଖିଛି, ଆଜି ବିସ୍ଥାପିତର ବାହୁଡା ଦେଖୁଛି । ଏ ବାହୁଡିା କୁଆଡେ ?ଗୋଟାଏ ଅନିର୍ଦ୍ଦିଷ୍ଟ ଉପତ୍ୟକାର ଶୂନ୍ୟତାଆଡେ ।

କୁହୁଡି ଭିତରେ ମଣିଷ ଆଜି ଖୋଜୁଚି ନିଜକୁ । ଧୂଆଁ ଭିତରେ ନିଆଁ ଖୋଜୁଚି ତା’ ନିଜର ଇତିହାସ । ଏଭଳି ଏକ ସନ୍ଧିକ୍ଷଣ ମୋ ସାମ୍ନାରେ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ