ଭସ୍ମର ଭୂମିକା ପାଉଁଶର ପାଦଟୀକା

ମାୟାଧର ନାୟକ

ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ! ଇିଶ୍ୱର ପ୍ରତ୍ୟେକ ମାନବର କାମ୍ୟ । ଶାନ୍ତି ପାଇଁ ଯୁଦ୍ଧ ଅନିବାର୍ଯ୍ୟ ହୋଇପଡେ । ୫୦ବର୍ଷ ପୂର୍ବେ ହାଡର ହିଡରେ ରକ୍ତର ସିଆର କାଟି ବାଂଲାଦେଶର ଜନ୍ମ, ନିଆଁର ବହ୍ନି – ଧୂଆଁର ଦଲୀଲରୁ ଯାହା ଦର୍ଶାଯାଏ – ବାଂଲାଦେଶ ମୁକ୍ତି ସଂଗ୍ରାମରେ ଯୁବକଛାତ୍ରମାନେ ଅତ୍ୟନ୍ତ ଭାବପ୍ରବଣ ହୋଇ ରକ୍ତନଦୀର ଉପତ୍ୟକାରେ ବିଚରଣ କରି ଆତ୍ମ ବଳିଦାନ କରିଛନ୍ତି ଯାହା ହୁଏ ତ ସେ ଦେଶର ଇତିହାସରେ ଅମର କାହାଣୀ ଭାବେ ବର୍ଣ୍ଣନା ହୋଇ ନପାରେ । କିନ୍ତୁ ସେମାନଙ୍କ ଜୀବନଦାନ ବ୍ୟର୍ଥ ହୋଇନି ରକ୍ତାକ୍ତ ରୂପସୀ ବାଂଲା ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି । ୧୯୭୧ ମସିହା ୨୫ ମାର୍ଚ୍ଚ ପୂର୍ବରୁ ପାକିସ୍ଥାନର ସୁଶୃଙ୍ଖଳିତ ସୈନ୍ୟବାହିନୀ ସେହି ଦେଶରେ ନିରୀହ ଜନଗଣଙ୍କ ଉପରେ ଅତ୍ୟାଚାର କରିପାରେ ଏ କଥା ବିଶ୍ୱାସ ନକଲେ ମଧ୍ୟ ପ୍ରମାଣିତ ହୋଇଥିଲା । ପାକିସ୍ଥାନ ସୈନ୍ୟବାହିନୀ କେବଳ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ଏହା ନୁହେଁ ସୁଧର୍ମୀ ମୁସଲମାନ ମାନଙ୍କ ଉପରେ ମଧ୍ୟ ହତ୍ୟାର ତାଣ୍ଡବଲୀଳା ସୃଷ୍ଟି କରୁଥିଲେ । ସ୍ୱାର୍ଥ ଓ କ୍ଷମତା ଦଖଲ ପାଇଁ ଧର୍ମକୁ ବ୍ୟବହାର କରିବା ଇତିହାସରେ ବାରମ୍ବାର ଦେଖାଦେଇଛି । ଦେଖାଯାଏ କେତେକ ହିନ୍ଦୁ ମୁସଲମାନମାନଙ୍କୁ ଶଇତାନ ବୋଲି ଆଖ୍ୟା ଦେଇ ସାମ୍ପ୍ରଦାୟିକ ବିଷମଞ୍ଜି ବୁଣି ସାମାଜିକ ବିଭୀଷିକା ସୃଷ୍ଟି କରନ୍ତି । ହିନ୍ଦୁମାନେ ମଧ୍ୟ ହିନ୍ଦୁଙ୍କୁ ପ୍ରବଳ ଶୋଷଣ କରନ୍ତି । ଜାତି ଅଜାତି ପ୍ରଶ୍ନ ନେଇ ହିନ୍ଦୁହିନ୍ଦୁ ମଧ୍ୟରେ ହଜାର ହଜାର ବର୍ଷ ଧରି ବିଭେଦ ସୃଷ୍ଟି କରି ହିନ୍ଦୁମାନେ ହିନ୍ଦୁଙ୍କୁ ଶୋଷଣ କରିଚାଲିଛନ୍ତି । ମୁସଲମାନ ମାନେ ମଧ୍ୟ ଜାତିଭେଦ ସୃଷ୍ଟି କରି ସିୟା=ସୁନି ଅହମଦିୟ ସୃଷ୍ଟି କରି ସେହି ମୁସଲମାନ ମାନଙ୍କୁ ମଧ୍ୟ ଶୋଷଣ ଅତ୍ୟାଚାର କରନ୍ତି । ଅଧ୍ୟାବଧି ଧର୍ମ ଓ ଜାତିକୁ ନେଇ ବିଭିନ୍ନ ଦେଶର ପ୍ରଗତିରେ ପ୍ରଚଣ୍ଡ ବାଧା ସୃଷ୍ଟି କରିଛି । ବାସ୍ତବରେ ସାରା ବିଶ୍ୱରେ ଇତିହାସର ଅମୋଘନିୟମରେ ଦୁଇଟି ଜାତି ଦୁଇଟି ଶ୍ରେଣୀ ଅଛନ୍ତି ଧନୀଗରିବ ଜାତି, ଶ୍ରମିକ ଶ୍ରେଣୀ ଓ ପୁଂଜିପତି ଶ୍ରେଣୀ । ଯୁଗ ଯୁଗ ଧରି ଜାତିଗତ ସଂଘର୍ଷ ଚାଲିଛି । କେବଳ ବଂଧୁକମୂନରେ ଧର୍ମ ଓ ଜାତିଗତ ବିଭେଦ ସଂଘର୍ଷ ଏଡାଇ ଦେଇ ହେବନାହିଁ । ପାକିସ୍ଥାନରେ ପୂର୍ବ ଉପରେ ପଶ୍ଚିମର ଯେଉଁ ନିର୍ମମ ଅତ୍ୟାଚାର ଏହା ଅଛପା ନଥିଲା । ଅର୍ଥନୈତିକ ଶୋଷଣ, ସାମାଜିକ ଅବିଚାର, ରାଜନୈତିକ ପ୍ରତିହିଂସା, ସାଂସ୍କୃତିକ ଓ ଯୁଦ୍ଧ ଭାବେ ଅସମାନତା ଥିବାରୁ ପୂର୍ବ ପାକିସ୍ଥାନ ଆଜିର ବଂଗଳାଦେଶ ଉପରେ ପଶ୍ଚିମ ପାକିସ୍ଥାନ ବର୍ତମାନର ପାକିସ୍ଥାନ ସବୁବେଳେ ଦାଦାଗିରୀ କରିଆସୁଥିଲା ।  ପାକିସ୍ଥାନ ମୁସଲମାନ ବହୁଳ ଦେଶ ହେଲେ ମଧ୍ୟ ଜାତୀୟଭାଷା ବୋଲି କିଛି ନଥିଲା । ଉର୍ଦ୍ଦୁକୁ ସମସ୍ତଙ୍କ ଉପରେ ଲଦି ଦିଆଯାଇଥିଲା । କିନ୍ତୁ ପୂର୍ବ ପଶ୍ଚିମର ଦୂରତ୍ୱ ହଜାରେ ମାଇଲ । ପୂର୍ବ ପାକିସ୍ଥାନରେ ମୁସଲମାନ ମାନଙ୍କ ମୁଖ୍ୟ ଭାଷା ଥିଲା ବଂଗଳା । ଭାଷା ଓ ଜାତୀୟତାର ପ୍ରଶ୍ନ ନେଇ ଭାଷା ଆନ୍ଦୋଳନ ଆରମ୍ଭରୁ ବିଭିନ୍ନ ପର୍ଯ୍ୟାୟରେ ମଧ୍ୟ ଦେଇ ଆଜି ସ୍ୱାଧୀନ ବଂଗଳାଦେଶ । ଭାଷାସାହିତ୍ୟ ମାନେତ – ଜାତିଧର୍ମ ଅଂଚଳ କୁସଂସ୍କାର ପ୍ରତିରୋଧ – ସାରା ବିଶ୍ୱର ଚତୁର୍ଦିଗରେ ତା’ର ବିଚରଣ । ବାଂଲାଦେଶ ଭାଷା ଆନ୍ଦୋଳନ ଐକ୍ୟବଦ୍ଧ କରି ସମସ୍ତ ଜାତିଙ୍କୁ ପ୍ରଗତିଶୀଳ ଭୂମିକାରେ ଅବତୀର୍ଣ୍ଣ କରାଇଛି । ଭାଷା ଆନ୍ଦୋଳନ ଭିତରେ ମୌନବାଦ ଅସୂର୍ଯ୍ୟ ଇଲାକାରେ ଆତ୍ମଗୋପନ କରିଛି । ଭାଷା ପ୍ରତି ଗଭୀର ଆନୁଗତ୍ୟ ସେମାନଙ୍କୁ ସ୍ୱାଧୀନତାର ସ୍ୱାଦ ଆଡକୁ ଟାଣି ନେଇଛି – ଧର୍ମୀୟ କୁସଂସ୍କାର କୂପମଣ୍ଡୁକତାରୁ ଦୂରେଇ ନେଇ ପ୍ରଗତିଶୀଳ ଧର୍ମ ନିରପେକ୍ଷ ଭୂମିକାରେ ଅବତୀର୍ଣ୍ଣ କରାଇଛି । ବାଂଲାଦେଶରେ ବାରମ୍ବାର ରାଜନୈତିକ-ଅର୍ଥନୈତିକ ଅସ୍ଥିରତାରେ ପ୍ରଚଣ୍ଡ ତୋଫାନ ସୃଷ୍ଟି ହୋଇଛି – କିନ୍ତୁ କଳା ସାହିତ୍ୟ ଅଗ୍ରଗତୀର ପଥକୁ କେହି ରୋଧକରି ପାରିନାହାନ୍ତି । ଅବଶ୍ୟ ସେହି ସ୍ୱାଧୀନ ବଂଗଳା ଦେଶର ଗଣତନ୍ତ୍ର କେତେବେଳେ ବନ୍ଧା ପଡିଯାଉଛି ତ କେତେବେଳେ କାରଗାର ଅନ୍ଧକାର ମଧ୍ୟରେ ଲୁଚି ରହୁଛି । ପୁଣି କେତେବେଳେ ପଦାକୁ ବାହାରିଲେ ସେହି ଗଣତନ୍ତ୍ର ଉପରେ ଆରମ୍ଭ ହେଉଛି ସ୍ୱେଚ୍ଛାଚାରୀ ଅତ୍ୟାଚାର । ପୁଣି ଗଣତନ୍ତ୍ର ଅଣନିଶ୍ୱାସୀ । ସଂପ୍ରତି ଗଣତନ୍ତ୍ର ପୁନଃର୍ଜୀବନ ପାଇଛି । ଦେଖାଯାଉ କେତେଦିନ ଏ ଜୀବନ ? ସାମ୍ରାଜ୍ୟବାଦୀ ବ୍ରିଟିଶ ବିରୋଧରେ ଆଜିର ବଂଗଳାଦେଶ, ପାକିସ୍ଥାନ, ଭାରତ ଅଖଣ୍ଡ ଭାରତ ବର୍ଷ ଭାବେ ଲଢୁଥିଲା । ସେତେବେଳେ ଧର୍ମଜାତି ବୋଲି କିଛି ନଥିଲା । କେବଳ ସାମ୍ରାଜ୍ୟବାଦୀ ଶକ୍ତି ଓ ପରାଧୀନ ଜାତି ମଧ୍ୟରେ ଲଢେଇ । ଭାରତର ସ୍ୱାଧୀନତା ଆନ୍ଦୋଳନ ପରେ ହିନ୍ଦୁ, ମୁସଲମାନ, ଶିଖ, ଜୈନ ବୌଦ୍ଧ, ଖ୍ରୀଷ୍ଟିଆନ ସବୁ ଭାଇଭାଇ ହୋଇ କାନ୍ଧକୁ କାନ୍ଧ ମିଶାଇ ଆତ୍ମତ୍ୟାଗର ବଳିଷ୍ଠ ସ୍ୱାକ୍ଷର କରିଯାଇଛନ୍ତି । ସ୍ୱାଧୀନତାର ସଂଗ୍ରାମ ଅମର କାହାଣୀ ଆଜି ମଧ୍ୟ ପ୍ରାଣବନ୍ତ । ଯେକୌଣସି ଲଢେଇ-ମୁକ୍ତି-ସ୍ୱାଧୀନତାରେ ଲକ୍ଷ୍ୟ-ଉଦ୍ଦେଶ୍ୟ-ରାସ୍ତା-ନେତୃତ୍ୱର ପ୍ରଶ୍ନ ଅତ୍ୟନ୍ତ ଜରୁରୀ । ଯଦି ଦଳେ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ଅନ୍ୟମାନଙ୍କୁ ବ୍ୟବହାର କରନ୍ତି – ସେଇଠୁ ଆରମ୍ଭ ହୁଏ ବିଷକ୍ରିୟା ଯାହା ଦିନେ ସମାଜକୁ ମଣିଷଙ୍କୁ ଜାଳି ପୋଡି ପାଉଁଶ କରିଦିଏ । ଯାହାଫଳରେ ଅଖଣ୍ଡ ଭାରତ ଦ୍ୱିଖଣ୍ଡ ଭାରତ-ପାକିସ୍ତାନ ପୁଣି ୫୦ବର୍ଷ ପରେ ପାକିସ୍ଥାନ ଦ୍ୱିଖଣ୍ଡ ହୋଇ ବଂଗଳାଦେଶର ସୃଷ୍ଟି । ପୁଣି ଏକାଦେଶ ତିନି ଦେଶରେ ପରିଣତ ହୋଇ ଖଣ୍ଡ ଖଣ୍ଡ ହେବା ପାଇଁ ବିଷମଂଜି କାମ ଦେଉଛି । ଦଳେ ଅଖଣ୍ଡ ଅଖଣ୍ଡ କହି କହି ବାରମ୍ବାର ଖଣ୍ଡ ଖଣ୍ଡ କରିବା ଉଦ୍ୟମ ଜାରି ରଖିଛନ୍ତି । ଯାହାଫଳରେ ଦଙ୍ଗା-ହତ୍ୟାର ବିଭିଷିକା ଲାଗି ରହୁଛି । ଏହା ଶୋଷକ ମାନଙ୍କ ବାଁହାତର ଖେଳ ବେଳେ ଶୋଷିତମାନଙ୍କର କାଳ ହୋଇ ଯାଇଛି । ଗୋଟିଏ ଦେଶର ଯୁଦ୍ଧ, ଗୃହଯୁଦ୍ଧରେ ଲାଗିଲେ ତା’ର ଭଲମନ୍ଦ ପ୍ରଭାବ ଅନ୍ୟଦେଶରେ ପଡେ । କେଉଁଠି ଭଲ ବି ହୁଏ, କେଉଁଠି ମଧ୍ୟ ଖରାପ ହୁଏ । ପାକିସ୍ଥାନ ଗୃହଯୁଦ୍ଧରେ ଭାରିଓଜନ ଭାରତଉପରେ ପଡିଥିଲା । ବହୁ ଶରଣାର୍ଥୀ ପୂର୍ବବଂଗରୁ ପଳାଇ ଆସି ଆସାମ, ମେଘାଳୟ, ତ୍ରିପୁରା, ପଶ୍ଚିମବଂଗ, ଓଡିଶାରେ ଆଶ୍ରୟ ନେଇଥିଲେ । ସେମାନଙ୍କ ଖାଦ୍ୟ ଆଶ୍ରୟ ବାବଦ ଅବଶ୍ୟ ଦେଶବାସୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଛି ମାନବିକତା ଦୃଷ୍ଟିକୋଣରୁ । ବାମପନ୍ଥୀ, ପ୍ରଗତିଶୀଳ ରାଜନୈତିକ ଦଳ, ସ୍ୱେଚ୍ଛାସେବି ସଂଗଠନ ଦେଶଭିତରୁ ରିଲିଫ ସଂଗ୍ରହକରି ବାଂଲା ଶରଣାର୍ଥୀ ମାନଙ୍କୁ ସାହାଯ୍ୟ ଓ ସେବା ମଧ୍ୟ କରିଥିଲେ । ପ୍ରତ୍ୟେକ ଭାରତୀୟଙ୍କ ଧନରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଶରଣାର୍ଥୀ ମାନଙ୍କ ଖାଦ୍ୟ ଓ ଆଶ୍ରୟରେ । ଶେଷରେ ଭାରତ ସରକାର ସାମରିକ ସାହାଯ୍ୟ ବଂଗଳାଦେଶର ସ୍ୱାଧୀନତାରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । ସେଦିନ ଆଜି କେତେ ତଫାତ୍ । ଆଭ୍ୟନ୍ତରୀଣ ଶାନ୍ତି – ନିରାପତା ସମ୍ପୂର୍ଣ୍ଣ ବିପନ୍ନ । ପ୍ରତିମୂହୂର୍ତରେ ବିପଦ ମାଡି ଆସୁଛି । ଜନଗଣ ଅସ୍ତବ୍ୟସ୍ତ-ଛିନ୍‌ଛତ୍ର-ଅଭାବଅନାଟନ-ଦାରିଦ୍ରର କଷାଘାତରେ ଜର୍ଜରୀତ-ବିବେକ ଉପରେ ପଦାଘାତ – ଶୋଷିତ, ନିର୍ଜ୍ଜାତିତ – ଅତ୍ୟାଚାରୀତ – ଅବହେଳିତ ହେବା ସେମାନଙ୍କର ଚିରସାଥୀ ହୋଇ ରହିଛି । ପ୍ରଗତିଶୀଳ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ବିରୋଧରେ ପ୍ରବଳ ଆନ୍ଦୋଳନ ଚଳାଇଛନ୍ତି । ପ୍ରତିକ୍ରିୟାଶୀଳ ଗୋଷ୍ଠୀଙ୍କ ଦମନ ଅତ୍ୟାଚାର ମଧ୍ୟଯୁଗୀୟ ଅତ୍ୟାଚାର ଠାରୁ ବଳିଯାଇଛି । ବାରମ୍ବାର ରାଜନୈତିକ ଅସ୍ଥିରତା ଲାଗିରହିବ । ମୌଳବାଦୀ ଶକ୍ତିମାନେ ଧର୍ମକୁ ଆଖିଠାର ମାରି କ୍ଷମତା ଦଖଲ ପାଇଁ ବାରମ୍ବାର ଲାଳାୟିତ ହୋଇଛନ୍ତି । ଅଳ୍ପ ସମୟ ପାଇଁ କ୍ଷମତା ଅଂଶିଦାର ହୋଇ ଗଣତନ୍ତ୍ରଙ୍କୁ କବର ଦେଇଛନ୍ତି । ଦାରିଦ୍ର‌୍ୟ ଓ ଅସ୍ଥିରତାର ସୁଯୋଗ ନେଇ ସାମ୍ରାଜ୍ୟବାଦୀ ପୁଂଜିବାଦୀ ଦେଶ ମାନଙ୍କର ପ୍ରଭାବ ବଂଗଳାଦେଶ ଉପରେ ବୃଦ୍ଧି ପାଇଛି । ଶିକ୍ଷା ସଂପୂର୍ଣ୍ଣ ବିର୍ପଯ୍ୟସ୍ତ ହୋଇଛି । ସାମରିକ ସେନାପତି ମାନେ ବାରମ୍ବାର କ୍ଷମତାର ସ୍ୱାଦ ଚାଖିବାକୁ ହତ୍ୟାକାଣ୍ଡର ଆଶ୍ରୟ ନେଇଛନ୍ତି । ସମଗ୍ର ବାଂଲାରେ ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବାରମ୍ବାର ରାଜନୈତିକ ବିପର୍ଯ୍ୟୟ, ଅର୍ଥନୈତିକ ପତନ, ସାମାଜିକ ଅବ୍ୟବସ୍ଥା, ସାଂସ୍କୃତିକ ଅବକ୍ଷୟ ବଢିଚାଲିଛି – ତାସତ୍ୱେ ମଧ୍ୟ ଅନ୍ଧାରୀ ଅଧ୍ୟାୟକୁ ଶାଣିତ ସ୍ମୃତିର ସ୍ୱରଲିପିରେ ଯୁବଛାତ୍ର ସମାଜ ପୋଛି ଦେବାକୁ ବଦ୍ଧପରିକର । ଧର୍ମନିରପେକ୍ଷ ଗଣତନ୍ତ୍ର ବାଂଲାଦେଶ ବୋଲି ଯେତେ କଣ୍ଠ ଫଟାଇ ନେତାମାନେ ଗର୍ଜୁଛନ୍ତି ସେତେ ବିରୁଦ୍ଧାଚରଣ କରୁଛନ୍ତି । ଜନଗଣ ବିଶେଷକରି ଶିକ୍ଷିତ ସଂପ୍ରଦାୟ ଯୁବସମାଜ ମଧ୍ୟରେ ନୀତିଆଦର୍ଶ କର୍ମ ପ୍ରଗତିଶୀଳ ହେଲେ ପ୍ରଚଳିତ ବ୍ୟବସ୍ଥାର ପରିବର୍ତନ ହେଲେ – ଲୋକେ ସୁଖଦାୟୀ ମୈତ୍ରୀ, ସାମ୍ୟ କ’ଣ ଅନୁଭବ କରିବେ । ୫୦ବର୍ଷ ଗୋଟିଏ ଦେଶ ପକ୍ଷେ କିଛି ନୁହେଁ । ଭୂଲଭ୍ରାନ୍ତିକୁ ସଂଶୋଧନ କରି ବାଂଲାଦେଶ ଏକବିଂଶ ଶତାଦ୍ଦୀର ପ୍ରଗତିଶୀଳ ଦେଶ ଭାବେ ବିଶ୍ୱରେ ପ୍ରତିପାଦିତ ହେଉ – ଜୟ ବାଂଲା ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ