ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ମମତା ବାନାର୍ଜୀ : ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗ, (ୱାଇଏନ୍‌ଏସ୍‌): ଜୟ ଶ୍ରୀରାମ୍ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ବୋଲି ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖନୀୟ, ଏହି ନିର୍ବାଚନ ପ୍ରଚାର କରିବା ଅବସରରେ ପଶ୍ଚିମବଙ୍ଗରେ ବାସ କରୁଥିବା ଓଡିଆ ଲୋକମାନେ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସକୁ ମୂଳମନ୍ତ୍ର କରିଛନ୍ତି । ଏହି ମନ୍ତ୍ରରେ ପ୍ରଧାନମନ୍ତ୍ରୀ ହିନ୍ଦୁ କିମ୍ବା ମୁସଲିମ ପାର୍ଥକ୍ୟ ନଦେଖି ପଶ୍ଚିମବଙ୍ଗବାସୀଙ୍କୁ ଆବାସ ଯୋଜନାରେ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ, କରୋନା ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫ କେଜି ଚାଉଳ, ପରିବାର ପିଛା ଡ଼ାଲି, ଗ୍ୟାସ, ଜନଧନ ଯୋଜନାରେ ମହିଳାଙ୍କୁ ଟଙ୍କା ତଥା ଅନ୍ୟାନ୍ୟ ଆର୍ଥିକ ଏବଂ ଆନୁଷଙ୍ଗିକ ସହଯୋଗ ଦିଆଯିବାର ବ୍ୟବସ୍ଥା କରିଛନ୍ତି । ଅପରପକ୍ଷରେ କିନ୍ତୁ ମମତା ଦିଦି ଜୟ ଶ୍ରୀରାମ ନାରାକୁ ଗାଳି ମାନୁଛନ୍ତି । ପଶ୍ଚିମବଙ୍ଗରେ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଭଗବାନ ମନାଯାଉଥିବା ବେଳେ ମମତା ଦିଦି ଏଥିରେ ଉତକ୍ଷିପ୍ତ କାହିଁକି? ଏହା କଣ ପଶ୍ଚିମବଙ୍ଗର ସଂସ୍କୃତି? ମମତା ଦିଦି ସାମ୍ପ୍ରଦାୟିକତାବାଦକୁ କାହିଁକି ନୀତି କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ପଶ୍ଚିମବଙ୍ଗରେ ୧୦ ବର୍ଷର ଟିଏମସି ଶାସନରେ ଦୁର୍ନୀତି, ଲୁଟ୍‌, ଲାଂଚ ବୃଦ୍ଧି ପାଇଛି । ଏହି କାରଣରୁ ଚଳିତ ନିର୍ବଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ବିକାଶମୁଖୀ ସରକାର କରିବା ପାଇଁ ପଶ୍ଚିମବଙ୍ଗର ଜନତା ମନ ବନାଇସାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଦେଇ ମମତା ଦିଦି ହାରିବା ଭୟରେ ଭୟଭୀତ ହୋଇଯାଇଛନ୍ତି । ଆସନ୍ତା ମଇ ୨ ତାରିଖରେ ତୃଣମୂଳ କଂଗ୍ରେସର ସଭାନେତ୍ରୀ ମମତା ଦିଦିଙ୍କ ପରାଜୟ ସୁନିଶ୍ଚିତ ହେବ । ପଶ୍ଚିମବଙ୍ଗରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ଏଠାକାରବାସୀ ପ୍ରତିବଦ୍ଧ ଥିବା କହିଛନ୍ତି ଶ୍ରୀ ପ୍ରଧାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ