ଜଙ୍ଗଲରେ ନିଆଁ, ସହରରେ ନିଆଁ

ସୁବାସ କୁମାର ତାରଣି

ବୃକ୍ଷ ଓ ମଣିଷ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ବୃକ୍ଷ ହିଁ ଜୀବନ । ବୃକ୍ଷ ସହିତ ମଣିଷର ସମ୍ପର୍କ କେଉଁ ଆଦିମ ଯୁଗରୁ ରହିଆସିଛି । ବୃକ୍ଷ ହିଁ ସମଗ୍ର ବିଶ୍ୱର ଏକମାତ୍ର ଅନବଦ୍ୟ ସୃଷ୍ଟି ଯିଏକି ବିନା ଦ୍ୱିଧାରେ, ବିନା ସ୍ୱାର୍ଥରେ ସମସ୍ତଙ୍କୁ ସେବା ଯୋଗାଇ ଆସିଥାଏ । ଗୋଟିଏ ବୃକ୍ଷ ତାର ତମାମ ଜୀବନକାଳ ମଧ୍ୟରେ ବିଶୁଦ୍ଧ ବାୟୁ, ଜଳ, ଖାଦ୍ୟ, ଜାଳେଣି, ମୃତ୍ତିକା ସଂରକ୍ଷଣ ଓ ସର୍ବୋପରି ପଶୁପକ୍ଷୀମାନଙ୍କ ପାଇଁ ଉପଯୋଗୀ ବାସସ୍ଥଳୀ ଯୋଗାଇଥାଏ । ଆଦିମ ମଣିଷମାନେ ଜଙ୍ଗଲରେ ବସବାସ କରୁଥିଲେ, ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି କ୍ଷୁଧା ମେଣ୍ଟାଉଥିଲେ ଏବଂ ଦୁଇଖଣ୍ଡ ପଥରକୁ ଘସି, ସେଥିରୁ ନିଆଁ ତିଆରି କରି ଜଙ୍ଗଲର ପଶୁ ପକ୍ଷୀଙ୍କ ମାଂସକୁ ପୋଡ଼ି ଖାଉଥିଲେ ମଧ୍ୟ ସେ ନିଆଁରେ ଜଙ୍ଗଲର କୌଣସି କ୍ଷୟକ୍ଷତି ଘଟୁନଥିଲା । ଆମ ଦେଶ ଭାରତ ହେଉଛି ମୁନିଋଷିମାନଙ୍କ ଦେଶ, ଋଷି ପରମ୍ପରା ଆମର ଧର୍ମ । ଏହି ମୁନିଋଷିମାନେ ମଧ୍ୟ ଗଛ ତଳେ ବସି ଯୋଗ ସାଧନା କରିବା ସହିତ ବିଭିନ୍ନ ଔଷଧୀୟ ଗଛର ପତ୍ର, ଫୁଲ, ଫଳ ଓ ଚେରରୁ ଆୟୁର୍ବେଦ ଔଷଧ ତଆରି କରୁଥିଲେ ଏବଂ ଏହି ଔଷଧକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ଦୂରାରୋଗ୍ୟରୁ ମୁକ୍ତି ପାଉଥିଲେ । ତେଣୁ ଜଙ୍ଗଲ ସହିତ ମଣିଷର ସମ୍ପର୍କ ଓତଃପ୍ରୋତ ଭାବେ ଜଡ଼ିତ । ଏବେ କ୍ରମାଗତ ଭାବେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଭୟଙ୍କର ରୂପ ଧାରଣ କରିଛି । ଶିମିଳିପାଳ ଅଭୟାରଣ୍ୟ ଠାରୁ ଆରମ୍ଭ କରି ତମାମ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ରାଜ୍ୟ ସରକାର, ବନ ବିଭାଗ ଓ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ସାଜିଛି । ନିଆଁଲିଭା କାର୍ଯ୍ୟରେ ପାଖାପାଖି ୮୦୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଜଙ୍ଗଲ ସର୍ବେକ୍ଷଣ ତଥ୍ୟ ଅନୁସାରେ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଦେଶରେ ଓଡ଼ିଶା ପ୍ରଥମ । ୨୦୧୭ ମସିହାରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ ୫ ହଜାର ୪୬୭ଟି ଜଙ୍ଗଲ ନିଆଁ ଲାଗିବା କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ଏକ ତଥ୍ୟରୁ ଜଣାପଡ଼ିଛି ଜଙ୍ଗଲର ସୁରକ୍ଷା ତଥା ବନାଗ୍ନିକୁ ନିୟନ୍ତ୍ରଣରେ ରଖିବା ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ୪ କୋଟି ୫୦ ଲକ୍ଷ ଟଙ୍କାରୁ ୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଏହି ବ୍ୟୟ ବରାଦ ପ୍ରତିବର୍ଷ ବଢିଚାଲିଛି । ତଥାପି ମଧ୍ୟ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ । ଜଙ୍ଗଲ ନିଆଁକୁ କିପରି ଆୟତ୍ତ କରାଯିବ, ସେଥିପ୍ରତି ଦୃଷ୍ଟି ନଦେଇ ବରଂ ଜଙ୍ଗଲ ନିଆଁକୁ ନେଇ ରାଜନୀତି ଜୋର ଧରିଛି । ସାଧାରଣତଃ ଫେବୃୟାରୀ ମାସରୁ ଜୁନ୍ ମାସ ମଧ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥାଏ ଓ ଏହି ସମୟ ମଧ୍ୟରେ ଦେଶ ତଥା ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ଜଙ୍ଗଲରେ ନିଆଁ ଲାଗିବା ମନୁଷ୍ୟକୃତ । ବିଶେଷକରି ଶିକାରୀମାନେ ବନ୍ୟଜନ୍ତ୍‌ୁ ଶିକାର କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇଥାନ୍ତି ଏବଂ ପରବର୍ତ୍ତୀ ସମୟରେ ଏହି ନିଆଁ ସାରା ଜଙ୍ଗଲକୁ ବ୍ୟାପିଥାଏ । ସେହିପରି ବିଡ଼ି, ସିଗାରେଟ ଆଦି ଟାଣିବା ଦ୍ୱାରା ମଧ୍ୟ ଜଙ୍ଗଲରେ ନିଆଁ ଲାଗିଥାଏ । ଶାଳ ମଞ୍ଜି, ମହୁଲ ଫୁଲ ଓ ମହୁ ସଂଗ୍ରହ କରିବାକୁ ଯାଉଥିବା ଲୋକମାନେ ସେହିସବୁ ଗଛମାନଙ୍କରେ ନିଆଁ ଲଗାଇଥାନ୍ତି ଯାହା ଜଙ୍ଗଲରେ ନିଆଁ ଲାଗିବାରେ ସହାୟକ ହୋଇଥାଏ । ଏବେ ଅଧିକାଂଶ ଯୁବପିିଢି ଜଙ୍ଗଲରେ ବଣଭୋତି କରିବାକୁ ପସନ୍ଦ କରୁଛନ୍ତି । ସେମାନେ ଜଙ୍ଗଲରେ ରୋଷେଇ କରି ଭୋଜିଭାତ ଖାଇବା ସହିତ ବିଭିନ୍ନ ନିଶାଦ୍ରବ୍ୟ ସେବନ କରିଥାନ୍ତି ଓ ପରେ ନିଶାଗ୍ରସ୍ତ ହୋଇ ନିଆଁକୁ ଲିଭାଇବା ପାଇଁ ସେମାନେ ଭୁଲିଯାଆନ୍ତି । ପରେ ରୋଷେଇ ନିଆଁରୁ ସାରା ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇଥାଏ । ସମ୍ପ୍ରତି ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲ ଆଜି ଧ୍ୱଂସାଭିମୁଖୀ । ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଛଅ ଋତୁ ଆଜି ସାତସପନ । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପମାନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ପରିବେଶ ପ୍ରଦୂଷଣର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ଦେଖାଦେଇଛି ଭୂତଳ ଜଳସ୍ତର ହ୍ରାସ, ବିବର୍ତ୍ତମାନ ପରିବେଶ, ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି । ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ବନ ତଥା ବନ୍ୟଜନ୍ତୁଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରକୃତିକୁ ସୁରକ୍ଷିତ ରଖିଲେ ପ୍ରକୃତି ଆମକୁ ସୁରକ୍ଷା ଦେବ । କଥାରେ ଅଛି ଜଙ୍ଗଲ ମେଁ ମଙ୍ଗଲ । ତେଣୁ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକମାନେ ନିଜର ସାମାନ୍ୟ କିଛି ଲାଭ ବଦଳରେ ଅଧିକ କ୍ଷତି ପହଞ୍ଚାଇ ଥାଆନ୍ତି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଅନେକ ବୃକ୍ଷ, ଲତା, ଗୁଳ୍ମ ନଷ୍ଟ ହେଉଥିବା ବେଳେ ବିଭିନ୍ନ ପଶୁପକ୍ଷୀ, କୀଟପତଙ୍ଗ ଓ ସରୀସୃପ ପ୍ରାଣୀ ଅକାଳରେ ମୃତ୍ୟୁବରଣ କରିଥାନ୍ତି । ବିଭିନ୍ନ ଔଷଧୀୟ ବୃକ୍ଷ ସହିତ ବିରଳ ପଶୁପକ୍ଷୀ ଓ କୀଟପତଙ୍କ ବଂଶ ଲୋପ ପାଇଥାଏ, କୋଟି କୋଟି ଟଙ୍କାର ମୂଲ୍ୟବାନ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଥାଏ, ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ ହୋଇଥାଏ । ଏହାର କୁପ୍ରଭାବ ମଣିଷ ସମାଜ ଉପରେ ପଡୁଛି । କାରଣ ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲର ହିଂସ୍ରଜନ୍ତୁ ଯଥା ବାଘ, ଭାଲୁ, ହାତୀ ଓ ଭୟଙ୍କର ସରୀସୃପ ନିଜ ଜୀବନ ବଞ୍ଚାଇବା ଲାଗି ଜନବସତି ଅଞ୍ଚଳକୁ ମୁହାଁଇଥାନ୍ତି । ଫଳରେ ମନୁଷ୍ୟ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥାଏ । ଏଥିରେ ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ମୃତ୍ୟୁବରଣ କରିଥାନ୍ତି । ଜଙ୍ଗଲରୁ ଜନବସତି ମୁହାଁ ହେଉଥିବା ହାତୀପଲ ଓ ଭାଲୁ ମନୁଷ୍ୟର ବିଭିନ୍ନ ଫସଲର କ୍ଷୟକ୍ଷତି ଘଟାଇଥାନ୍ତି । ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବା ଓ କ୍ରମାଗତ ଭାବେ ବୃକ୍ଷ ଛେଦନ ଫଳରେ ଜଙ୍ଗଲ କ୍ଷୟ ହେଉଛି । ଅନ୍ୟପଟେ ଦୃତ ଜନସଂଖ୍ୟା ବୃଦ୍ଧି ଓ ସଂଖ୍ୟାଧିକ ଯାନବାହାନର ବ୍ୟବହାର ଫଳରେ ଏହାର କୁପ୍ରଭାବ ପରିବେଶ ଉପରେ ପଡୁଛି । ଫଳରେ ଦିନକୁ ଦିନ ଦେଶ ଓ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଜୁନ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିଥାଏ । ଏହି ସମୟ ମଧ୍ୟରେ ତାପମାତ୍ରା ୪୫ ଡିଗ୍ରୀରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ସହରଠୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥାଏ । ଅଗ୍ନିବର୍ଷୀ ଭଳି ଝାଞ୍ଜିରେ ଜନ ଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଥାଏ । ଅନେକ ଲୋକ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି । ଏକ ସର୍ଭେରୁ ଜଣାପଡିଛି ଓଡ଼ିଶାରେ ବିଗତ ୧୨ ବର୍ଷ ମଧ୍ୟରେ ୨୭୩୪ ଜଣ ଲୋକ ଅଂଶୁଘାତରେ ମୃତ୍ୟୁବରଣ କରିଛନ୍ତି । ଅନେକ ନିରୀହ ପଶୁ ପକ୍ଷୀ, ବୁଲା ଗାଈ, ଗୋରୁ ପାଣି ଟୋପେ ପାଇଁ ଡ଼ହଳ ବିକଳ ହୋଇ ଅଂଶୁଘାତର ଶିକାର ହୋଇଥାନ୍ତି । ସେଥିମଧ୍ୟରୁ ଅନେକ ମୃତ୍ୟୁବରଣ ମଧ୍ୟ କରିଥାନ୍ତି । ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇ ପଥଚାରୀମାନଙ୍କୁ ଜଳ, ବେଲପଣା, ସରବତ, ଦହିପାଣି ଇଦ୍ୟାଦି ବଣ୍ଟନ କରାଯାଉଛି । ଗ୍ରୀଷ୍ମପ୍ରବାହ ସମୟରେ ଘରୁ ବାହାରିଲେ ସାଙ୍ଗରେ କଳା ଚଷମା, ଟୋପି, ଗାମୁଛା ଓ ଛତା ଆଦି ସାଙ୍ଗରେ ନେଇ ଯିବାକୁ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଛି । ଜଙ୍ଗଲରେ ନିଆଁ ଲାଗିବା କିଛି ନୂଆକଥା ନୁହେଁ । ଏହାର ନିରାକରଣ ପାଇଁ ବିଭିନ୍ନ ଉପାୟ ବି ରହିଛି । ପ୍ରଥମତଃ ଜନସତେନତା ଏହାର ମୁଖ୍ୟ କାରଣ । ଅଧିକ ସଂଖ୍ୟାରେ ବନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇ ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ଜଙ୍ଗଲ ସଂରକ୍ଷଣ କମିଟି ଗଠନ କରି ସ୍ଥାନୀୟ ଲୋକମାନଙ୍କୁ ସାମିଲ୍ କରି ଜଙ୍ଗଲକୁ ସୁରକ୍ଷା ଦେବା, ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ସଚେତନ କରାଇବା, ବନ କର୍ମଚାରୀ ଓ ବନବିଭାଗ ସହିତ ସଦାସର୍ବଦା ଯୋଗସୂତ୍ର ରକ୍ଷା କରିବା, ବନକର୍ମଚାରୀମାନଙ୍କୁ ମୋବାଇଲ ଯୋଗାଇ ଦେଇ ଏକ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା କରିବା ଯେପରିକି ଜଙ୍ଗଲରେ ନିଆଁ ଲାଗିଲେ ସେମାନେ ସଙ୍ଗେ ସଙ୍ଗେ ଏହାର ଫଟୋ ଉତ୍ତୋଳନ କରି ତୁରନ୍ତ ବନ ବିଭାଗକୁ ସୂଚନା ପ୍ରଦାନ କରିବା ସହିତ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦେଇ ସେମାନଙ୍କ ସାହାଯ୍ୟ ସହଯୋଗ ଲୋଡ଼ିପାରିବେ । ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ନୂତନ ଜଙ୍ଗଲମାନ ସୃଷ୍ଟି କରବା, ବେସରକାରୀ ଭାବେ ସାଧାରଣ ଜନତାଙ୍କୁ ବୃକ୍ଷରୋପଣ କରିବା ପାଇଁ ସଚେତନ କରିବା, ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ସଂକଳ୍ପ ନେଇ ଏହାର ରକ୍ଷଣା ବେକ୍ଷଣ କରି ନୂଆ ନୂଆ ଜଙ୍ଗଲ ସୃଷ୍ଟି ହେଲେ ପରିବେଶ ପ୍ରଦୂଷଣ ରୋକାଯାଇପାରିବ ଏବଂ ବିଶ୍ୱ ତାପମାତ୍ରା ହ୍ରାସ ପାଇବା ସହିତ ଅଂଶୁଘାତରୁ ମୁକ୍ତି ମିଳିପାରିବ ।

ମୋ : ୮୩୨୮୮୪୦୨୧୪
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ