ସିବିଏସ୍‌ଇ ପରୀକ୍ଷା ବାତିଲ ପରେ ନିର୍ଦ୍ଧାରିତ ମାନଦଣ୍ଡରେ ମିଳିବ ମାର୍କ

ମାର୍କକୁ ନେଇ ଯଦି  ଛାତ୍ରଛାତ୍ରୀ ସ‌ନ୍ତୁଷ୍ଟ ନହୁଅନ୍ତି ତେବେ ଦେଇପାରିବେ ପରୀକ୍ଷା 

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାକୁ ବାତିଲ କରିଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ବର୍ତ୍ତମାନ ସ୍ଥିତିରେ  ସ୍ଥଗିତ ରଖିଛି । ଜୁନ୍‌ରେ ସ୍ଥିତିକୁ ଦୃଷ୍ଟିରେ ରଖି ଦ୍ୱାଦଶ ପରୀକ୍ଷା ନେଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କୁହାଯାଇଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ବିଭିନ୍ନ ସ୍ତରରେ ଆୟୋଜିତ ହେବାକୁ ଥିବା ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ମାନଦଣ୍ଡ ଅନୁଯାୟୀ ଦଶମ ଶ୍ରେଣୀ ବୋର୍ଡ ଫଳାଫଳ ପ୍ରସ୍ତୁତ କରାଯିବ । ଏହି ଆଧାରରେ ଦିଆଯାଇଥିବା ମାର୍କରେ ଯଦି କୌଣସି ଛାତ୍ରଛାତ୍ରୀ ସ‌ନ୍ତୁଷ୍ଟ ନହୁଅନ୍ତି ତା’ହେଲେ ସ୍ଥିତିରେ ସୁଧାର ଆସିଲେ ଏବଂ ପରୀକ୍ଷା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେଲେ ସେମାନେ ପରୀକ୍ଷା ଦେଇପାରିବେ । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏବଂ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସରକାରଙ୍କ ମୁଖ୍ୟ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଥିଲେ । ସେ ମଧ୍ୟ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ହିତ ପ୍ରତି ଧ୍ୟାନ ଦିଆଯିବ । ସେମାନଙ୍କର ସୁସ୍ଥତା ପ୍ରତି ଧ୍ୟାନ ଦିଆଯିବା ସହିତ ଶିକ୍ଷାଗତ ସ୍ୱାର୍ଥ ହାନି ଯେପରି ହେବ ନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯିବ । ଆସନ୍ତା ମାସ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରକାଶଥାଉକି ସିବିଏସଇ ପକ୍ଷରୁ ଆସନ୍ତା ୪ ମଇ ରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆୟୋଜନ କରାଯିବା ଲାଗି ନିର୍ଦ୍ଧାରଣ ହୋଇଛି । ବର୍ତ୍ତମାନ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ଅନ୍ୟ ରାଜ୍ୟ ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏଭଳି ପରିସ୍ଥିତିରେ ୧୧ଟି ରାଜ୍ୟରେ ସ୍କୁଲ ବନ୍ଦ ରଖାଯାଇଛି। ସିବିଏସଇର ଏକ ସର୍ବଭାରତୀୟ ବ୍ୟବସ୍ଥା ରହିଛି । ତେଣୁ ରାଜ୍ୟ ବୋର୍ଡ ଭଳି ଭିନ୍ନ ରାଜ୍ୟରେ ଅଲଗା କରି ପରୀକ୍ଷା ଆୟୋଜନ କରାଯିବା ସମ୍ଭବପର ନୁହେଁ । ସାରା ଦେଶରେ ସିବିଏସଇ ପରୀକ୍ଷା ଏକକାଳୀନ ଆୟୋଜନ କରାଯାଇଥାଏ । ମହାମାରୀ ପରିସ୍ଥିତିରେ ସ୍କୁଲ ବନ୍ଦ ରହିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତାକୁ ଦୃଷ୍ଟିରେ ରଖି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ,ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ପରବର୍ତ୍ତୀ ସମୟରେ ଆୟୋଜନ କରାଯିବ । ଜୁନ ପହିଲାରେ ବୋର୍ଡ ସ୍ଥିତି ସମୀକ୍ଷା କରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବ ଓ ତଦନୁଯାୟୀ ବିସ୍ତୃତ ବିବରଣୀ ଦିଆଯିବ । ପରୀକ୍ଷା ଆୟୋଜନ କରାଯିବାର ଅତିକମରେ ୧୫ ଦିନ ପୂର୍ବରୁ ନୋଟିସ ଦିଆଯିବ । ସେହିଭଳି ମଇ ୪ରୁ ଜୁନ ୧୪ ପର‌୍ୟ୍ୟନ୍ତ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ