ଏସିଆନ ରେସଲିଂ ଚାମ୍ପିୟନସିପରେ ଟାଇଟଲ ବଜାୟ ରଖିଲେ ସରିତା ମୋର୍

ଆଲମାଟି, (‌ୱାଇଏନ୍‌ଏସ୍‌): ଏସିଆନ ରେସଲିଂ ଚାମ୍ପିୟନସିପରେ ଭାରତର ସରିତା ମୋର୍ ଟାଇଟଲ ବଜାୟ ରଖିଛନ୍ତି । ସେ ୫୯ କେଜି ବର୍ଗରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବିଜେତା ହୋଇଛନ୍ତି । ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ସୀମା ବିସଲା (୫୦ କେଜି) ଏବଂ ପୂଜା (୭୦ କେଜି) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ସହ ଅଭିଯାନ ଶେଷ କରିଛନ୍ତି । ସରିତା ଗତବର୍ଷ ଦିଲ୍ଲୀରେ ଅନୁଷ୍ଠିତ ସଂସ୍କରଣରେ ସ୍ୱର୍ଣ୍ଣ ଜିତିଥିଲେ । ଏଥର ମଧ୍ୟ ସେ ତାଙ୍କ ଶ୍ରେଷ୍ଠତ୍ୱ ଜାହିର କରିଛନ୍ତି । ଫାଇନାଲରେ ତାଙ୍କ ମୁକାବିଲା ମଙ୍ଗୋଲିଆର ଶୁବଡୋର ବାଟାରଜାଭଙ୍କ ସହ ହୋଇଥିଲା । ସେ ଏକଦା ୭-୧ରେ ପଛୁଆ ରହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଲଢୁଆ ପ୍ରତ୍ୟାର୍ତ୍ତନ କରି ସରିତା ୧୦-୭ ସ୍କୋରରେ ଜିତିବା ସହ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଟାଇଟଲ ହାତେଇଥିଲେ ।ବାଟାରଜାଭଙ୍କ ଠାରୁ ସରିତା ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ । ତେବେ ପରବର୍ତ୍ତୀ ରାଉଣ୍ଡରେ ସେ କାଝାକସ୍ତାନର ଡାଏନା କାୟୁମୋଭାଙ୍କୁ ଟେକ୍ନିକାଲ ସୁପରିୟୋରିଟି ଭିତ୍ତିରେ ବିଜୟ ହାସଲ ପୂର୍ବକ ନିଜ ଅଭିଯାନକୁ ଟ୍ରାକକୁ ଆଣିଥିଲେ । କିର୍ଗିଜସ୍ଥାନର ନୁରାଏଦା ଆନାରାକୁଲୋଭାଙ୍କ ବିପକ୍ଷ ସେମିଫାଇନାଲରେ ସେ ପୁଣି ଚମତ୍କାର ପ୍ରଦର୍ଶନ ସହ ଫାଇନାଲ ଟିକେଟ୍ ନିଶ୍ଚିତ କରିିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ