ଗଜପତିରେ ସାଂସଦ ପାଣ୍ଠିରୁ ଅତ୍ୟାଧୁନିକ ଜୀବନ ରକ୍ଷକ ଆମ୍ବୁଲାନ୍ସ ପହଂଚିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ହାତ ପାଣ୍ଠିରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅତ୍ୟାଧୁନିକ ଜୀବନ ରକ୍ଷକ ୧୦୮ ଆମ୍ବୁଲାନ୍ସ ଗୁରୁବାର ଦିନ ପହଂଚିଛି । ସୂଚନା ଯୋଗ୍ୟ ଯେ, ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବହୁ ୧୦୮ ଆମ୍ବୁଲାନ୍ସ ରହିଥିଲେ ମଧ୍ୟ ଜୀବନ ରକ୍ଷକ ଭଳି ଆମ୍ବୁଲାନ୍ସ ସେବା ନଥିଲା । ବର୍ତ୍ତମାନ କରୋନା ସଂଙ୍କଟ ସମୟରେ ସାଂସଦ ଶ୍ରୀ ସାହୁଙ୍କ ହାତପାଣ୍ଠିରୁ ଏପରି ଏକ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଆସିଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । କାରଣ ୧୦୮ ଆମ୍ବୁଲାନ୍ସରେ କେବଳ ଅମ୍ଲଜାନ ବ୍ୟତୀତ ଆଉ କିଛି ସୁବିଧା ନଥିବା ଫଳରେ ଗୁରୁତର ହୋଇପଡିଥିବା ରୋଗୀଙ୍କୁ ଅନ୍ୟତ୍ର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କଲାବେଳେ ପହଂଚିବା ପୂର୍ବରୁ ରାସ୍ତାରେହିଁ ମୃତ୍ୟୁମୁଖରେ ପଡୁଥିଲେ । ବର୍ତ୍ତମାନ ଏହି ଅତ୍ୟାଧୁନିକ ସୁସଜ୍ଜିତ ଜୀବନ ରକ୍ଷକ ୧୦୮ ଆମ୍ବୁଲାନ୍ସ ସେବା ଗଜପତିରେ ଆରମ୍ଭ ହେବା ଫଳରେ ବହୁ ପ୍ରାଣ ରକ୍ଷା ହୋଇପାରିବ ବୋଲି ଚର୍ଚ୍ଚା ହେଉଛି । ଉକ୍ତ ଆମ୍ବୁଲାନ୍ସକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ବିଭାଗୀୟ କର୍ମଚାରୀ ତଥା ଫାର୍ମାସିଷ୍ଟ ଓ ଆମ୍ବୁଲାନ୍ସ ଚାଳକ ମାନେ ଉପସ୍ଥିତ ରହି ବିଭିନ୍ନ ନିରୀକ୍ଷଣ କରିଥିଲେ । ସୂଚନା ଯୋଗ୍ୟ ଯେ, ଜନସାଧାରଙ୍କ ବାବାରମ୍ବାର ଦାବିକୁ ରକ୍ଷା କରି ସାଂସଦ ଶ୍ରୀ ସାହୁ ୫୦ଲକ୍ଷଟଙ୍କା ନିଜ ହାତପାଣ୍ଠିରୁ ପ୍ରଦାନ କରିଥିଲେ । ଏନେଇ ସାଂସଦ ଶ୍ରୀ ସାହୁ କହିଛନ୍ତି ଗଞ୍ଜାମ ଓ ଗଜପତି ଜିଲ୍ଲାପାଇଁ ଗୋଟିଏ ଲେଖାଁଏ ଏଭଳି ଆମ୍ବୁଲାନ୍ସର ଅତ୍ୟାବଶକୀୟ ରହିଥିଲା । ଜନସାଧାରଙ୍କ ବୃହତ୍ତ ସ୍ୱାର୍ଥ ଦୃଷ୍ଟିରୁ ଜନପ୍ରତିନିଧି ହିସାବରେ ମୁଁ ମୋର କର୍ତ୍ତବ୍ୟ କରିଛି ବୋଲି କହିଥିଲେ । ସାଂସଦଙ୍କ ଏଭଳି ପଦକ୍ଷେପ ଯୋଗୁଁ ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ