ଓଡ଼ିଶା-ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାର ପ୍ରୋତ୍ସାହନକୁ ନେଇ ଦ୍ୱି-ପାକ୍ଷିକ ଗୋଲଟେବୁଲ ବୈଠକ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଦକ୍ଷିଣ କୋରିଆ ଓ ଓଡ଼ିଶା ମଧ୍ୟରେ ଦ୍ୱି-ପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ଓଡ଼ିଆ ସରକାରଙ୍କ ଇପିକଲ ସହିତ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଏକ ଗୋଲଟେବୁଲ ବୈଠକର ଆୟୋଜନ କରିଛି । ଏହି ଭର୍ଚୁଆଲ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର କହିଲେ ଯେ ଓଡ଼ିଶା ଓ ଦକ୍ଷିଣ କୋରିଆ ମଧ୍ୟରେ କେତେକ ଚିହ୍ନଟ କରାଯାଇଥିବା ସେକଫର ଉପରେ ଅନେକ ସମ୍ଭାବନା ରହିଛି । ଓଡ଼ିଶା ତା’ର ଭିଜନ-୨୦୩୦କୁ ନେଇ ପ୍ରସ୍ତୁତ ରଣନୀତିକୁ କାର୍ଯ୍ୟକାରୀ କରୁଛି । ଏଥିରେ ଓଡ଼ିଶାରେ ନିର୍ମିତ ୫୦ ପ୍ରତିଶତ ପ୍ରାଥମିକ ମେଟାଲ ଉତ୍ପାଦର ମୂଲ୍ୟଯୁକ୍ତ ରାଜ୍ୟରେ କରାଯିବା ପାଇଁ ପ୍ରାବଧାନ ରଖାଯାଇଛି । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତରେ ଅବସ୍ଥାପିତ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ଶ୍ରୀ ସିନ୍ ବୋଙ୍ଗକିଲ୍ କହିଲେ ଯେ, ଗତ ବର୍ଷେ ମଧ୍ୟରେ ଦକ୍ଷିଣ କୋରିଆର ୬୬ଟି ନୂତନ କମ୍ପାନୀ ଭାରତରେ କାରବାର ଆରମ୍ଭ କରିଛନ୍ତି । ଏହି କମ୍ପାନୀଗୁଡ଼ିକ ୨୦୨୦ରେ ୧୭ ମିଲିୟନ୍ ୟୁଏସ୍ ଡଲାର ପୁଞ୍ଜିବିନିଯୋଗ କରିଛନ୍ତି, ଯାହାକି କୋଭିଡ୍ ମହାମାରୀ ସମୟରେ ଏକ ବୃହତ୍ ରାଶି ବୋଲି ସେ ସୂଚିତ କରିଛନ୍ତି । କୋରିଆର ବିଶାଳ ଷ୍ଟିଲ ଉତ୍ପାଦନକାରୀ ସଂସ୍ଥା ‘ପୋସ୍କୋ’ ଭାରତ ଇତିହାସରେ ପ୍ରଥମ ଏକକ ବିଦେଶୀ ସିଧାସଳଖ ପୁଞ୍ଜିବିନିଯୋଗକାରୀ କମ୍ପାନୀ ଭାବରେ ପ୍ରାୟ ୧୨ ବିଲିୟନ୍ୟୁ ଏସ୍ ଡଲାରର ରେକର୍ଡ ପରିମାଣର ବିନିଯୋଗ କରି ଓଡ଼ିଶାରେ ସମନ୍ୱିତ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବାକୁ ଯାଉଥିବା ସେ ଦର୍ଶାଇଥିଲେ । ଅକ୍ଷୟ ଶକ୍ତି, ଜଳ ବିଶୋଧନ ଏବଂ ସ୍ମାର୍ଟ ସିଟି ପ୍ରକଳ୍ପ କ୍ଷେତ୍ରରେ କାମ କରିବାକୁ କୋରିଆନ୍ କମ୍ପାନୀଗୁଡ଼ିକ ଅତି ଉତ୍ସାହିତ ଥିବା କୋଟ୍ରାର ନିର୍ଦ୍ଦେଶକ ଡ. ୟଙ୍ଗ ସେଓନ୍ ପାର୍କ ପ୍ରକାଶ କରିଥିଲେ । ଏଥି ପାଇଁ ଆଗାମୀ ସେପେଫମ୍ବର ମାସରେ ଲଗାତାର ବୈଠକ ଅନୁଷ୍ଠିତ ହେବ ଏବଂ ସ୍ମାର୍ଟ ସିଟି ଉପରେ ଅଧିକ ସୁଯୋଗକୁ ଅନ୍ୱେଷଣ କରାଯିବ ବୋଲି କହିଥିଲେ । ଏହି ଭର୍ଚୁଆଲ ବୈଠକରେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଇପିକଲର ପରିଚାଳନା ନିର୍ଦ୍ଦେଶକ ଡ. ନିତୀନ ଭାନୁଦାସ ଜୱାଲେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଓଡ଼ିଶାର ସାମର୍ଥ୍ୟ ଓ ବିବିଧତା ବିଷୟରେ ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରିଥିଲେ । ସେ ରାଜ୍ୟରେ ଆଗାମୀ ଦିନରେ ୨ ଲକ୍ଷ କୋଟିର ପୁଞ୍ଜିବିନିଯୋଗର ସମ୍ଭାବନା ଥିବା ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସର ଓଡ଼ିଶା ଚାପ୍‌ଟରର ଅଧ୍ୟକ୍ଷ ଜେ.ବି. ପାଣି ସଂଯୋଜନା କରିଥିବାବେଳେ କନ୍‌ସୁଲ ଜେନେରାଲ ରିପବ୍ଲିକ୍ ଅଫ୍ କୋରିଆ ଶ୍ରୀ ସିଦ୍ଧାନ୍ତ କାଉଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ