ଲୁଟେରା ଗାଙ୍ଗ୍ ର 12 ଗିରଫ୍ 

 ଅନୁଗୋଳ : ହୋଲି ଦିନ ଅନୁଗୋଳ ପୋଲିସ ହାତରେ ଧରାପଡିଥିବା ଲୁଟେରା ଗ୍ୟାଙ୍ଗର ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ଅନୁଗୋଳ ଡେରଜାଙ୍ଗ ଡ୍ୟାମ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ଖବରପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଏଥିରେ ଗାଙ୍ଗର ମୁଖ୍ୟ ଛେଣ୍ଡିପଦା ଅଞ୍ଚଳ ଘୁଣ୍ଟୁଳିପାଶି ଗାଁର ତରୁଣ ନାଏକ (୨୬) ଓ ଟିକନ ନାଏକ (୨୬)ଙ୍କ ସମେତ ବ୍ରାହ୍ମଣବିଲର ଦିବାକର ନାଏକ(୨୩), ଅନୁଗୋଳ ଥାନା ରାଜକିଶୋରପଡ଼ାର ଫିରୋ ଓରଫ ମୀରଜା ଫିରୋଜ ବାଗ (୨୩) ଓ ଦୀପୁ ଓରଫ ଦୀପକ ନାଏକ (୨୦), ହେମସୁରପଡ଼ାର ଚନ୍ଦୁ ଓରଫ ଚନ୍ଦ୍ରକାନ୍ତ ସେଠୀ (୨୧), ବୌଦ୍ଧ ଜିଲା ମନମୁଣ୍ଡା ଥାନା ବରୁଣ ଗ୍ରାମର କୃତ୍ତିବାସ କୁମ୍ଭାର (୨୩)ଙ୍କୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଥିଲା। ତେବେ ସେଠାରୁ ଅନୁଗୋଳ ମ୍ୟୁନିସିପାଲଟି କଲୋନୀର ପିଙ୍କୁ ଓରଫ ଆଶିଷ ନାଏକ ଫେରାର ହୋଇଯାଇଛନ୍ତି। ପଚରାଉଚରା ପରେ ଗିରଫ ଡକାୟତଙ୍କଠାରୁ ସୂଚନା ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଛେଣ୍ଡିପଦା ଅଞ୍ଚଳର ରତ୍ନାକର ନାଏକ (୧୯), ସୁଶାନ୍ତ ଓରଫ ଲକ୍ଷ୍ମୀଧର ନାଏକ (୧୯), ବୈଦ୍ୟନାଥ ନାଏକ (୧୯), ସୁଶାନ୍ତ ନାଏକ(୨୦) ଓ ଫକୀର ନାଏକ (୨୪)ଙ୍କୁ ଗିରଫ କରିଥିଲା। ଚନ୍ଦ୍ରକାନ୍ତଙ୍କ ନିକଟରୁ ପୋଲିସ ଏକ ଦେଶୀ ପିସ୍ତଲ ସହ ମାଗାଜିନ୍‌ ଓ ଗୋଟିଏ ୯ ଏମ୍‌ଏମ୍‌ ଜୀବନ୍ତ ଗୁଳି ଜବତ କରିଛି। ସେହିପରି ଅନ୍ୟମାନଙ୍କଠାରୁ ମାରଣାସ୍ତ୍ର, ମୋବାଇଲ ଆଦି ସହ ମୋଟ ୨୮ଟି ବାଇକ୍‌ ଜବତ କରିଛି। ଏ ସଂକ୍ରାନ୍ତରେ ନଂ. ୨୧୩/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଅନୁଗୋଳ ସହର ସମେତ ଛେଣ୍ଡିପଦା, ତାଳଚେର, ଦେବଗଡ଼ ଓ ବୌଦ୍ଧ ଅଞ୍ଚଳରୁ ସେମାନେ ଗାଡ଼ି ଚୋରି କରି ବିକ୍ରି କରୁଥିବା ପୋଲିସ କହିଛି। ଫେବୃୟାରୀ ୧୭ରେ ମଦନମୋହନ ଲଜ୍‌ ନିକଟରୁ ବାଇକ୍‌ ଚୋରି, ମାର୍ଚ୍ଚ ୧୨ରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଓ ମାର୍ଚ୍ଚ ୩ ରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗାଡ଼ି ଚୋରି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଛି। ସେହିପରି ବନ୍ଧୁକ ରଖିଥିବା ଚନ୍ଦ୍ରକାନ୍ତଙ୍କ ନାମରେ ପୂର୍ବରୁ ୬ଟି ମାମଲା ଥିବାବେଳେ ଚଳିତ ଥର ଆର୍ମସ୍‌ ଆକ୍ଟ ଲଗାଯାଇଥିବା ମଧ୍ୟ ଏସ୍‌ଡିପିଓ କହିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତଙ୍କ ନାମରେ ମଧ୍ୟ ପୂର୍ବରୁ ମାମଲା ଥିବା ଜଣାପଡିଛି। ଏହି ଖବରଦାତା ସମ୍ମିଳନୀରେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝି, ବିପ୍ଳବ ସାହୁ, ଏସ୍‌ଆଇ ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ