ଗୁରୁକୁଳ ଓ ସଂସ୍କୃତି ଶିକ୍ଷାର କର୍ଣ୍ଣଧାର ଥିଲେ ସ୍ୱାମୀ ବ୍ରହ୍ମାନନ୍ଦ ୧୦୩ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଓଡ଼ିଶାରେ ଗୁରୁକୁଳ ଆନ୍ଦୋଳନର ଅଗ୍ରଣୀ ନେତା, ଗୁରୁକୁଳ ବେଦବ୍ୟାସ ଭଳି ୩୨ଗୋଟି ଗୁରୁକୁଳର ପ୍ରତିଷ୍ଠାତା, ଓଡ଼ିଶାରେ ଆର୍ଯ୍ୟସମାଜର ପ୍ରମୁଖ ପ୍ରଚାରକ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୧୦୩ତମ ଜୟନ୍ତୀ ଉତ୍ସବ ଆଜି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡ଼ିଶାରେ ପାଳିତ ହୋଇଯାଇଛି । ଆର୍ଯ୍ୟସମାଜ, ଓଡ଼ିଶା ଓ ଯୁବ ଆର୍ଯ୍ୟସମାଜ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ୱେବିନାର ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆର୍ଯ୍ୟସମାଜର ଶିରୋମଣି ସଂସ୍ଥା ସାର୍ବଦେଶିକ ଆର୍ଯ୍ୟ ପ୍ରତିନିଧି ସଭାର ପ୍ରମୁଖ ସଭାପତି ସ୍ୱାମୀ ଆର୍ଯ୍ୟବେଶ କହିଲେ ଯେ, ୧୯୫୦ରୁ ୧୯୭୫ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ସଂସ୍କୃତ ଶିକ୍ଷା ଓ ଗୁରୁକୁଳ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାର ଦଳିତ, ନିର୍ଯ୍ୟାତିତ, ଗିରିଜନ, ମାଳଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାରେ ତାଙ୍କର ଅବଦାନକୁ ଓଡ଼ିଶାବାସୀ ଭୁଲିପାରିବେ ନାହିଁ । ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ କହିଲେ ଯେ, ସଂସ୍କୃତ ଭାଷା କୌଣସି ଏକ ଜାତିର ଭାଷା ନୁହେଁ, ଏହା ଓଡ଼ିଶାରେ ପ୍ରମାଣ କରି ଦେଖାଇ ଦେଇଛନ୍ତି ସ୍ୱାମୀ ବ୍ରହ୍ମାନନ୍ଦ । ଅନ୍ୟତମ ଅତିଥି ଯୁବ ସନ୍ନ୍ୟାସୀ ସ୍ୱାମୀ ଆଦିତ୍ୟବେଶ କହିଲେ ଯେ, ସ୍ୱାମିଜୀ ଓଡ଼ିଶାରେ ଯୁବକମାନଙ୍କ ପ୍ରେରଣାର ସ୍ରୋତ ଥିଲେ । ସ୍ୱାମୀ ଜଗନ୍ନାଥାନନ୍ଦ, ସ୍ୱାମିଜୀଙ୍କୁ ଜଣେ ସମାଜ ସଂସ୍କାରକ ବୋଲି କହିଥିଲେ । ତିରୁପତିର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ସ୍ୱାମିଜୀଙ୍କୁ ଜଣେ କର୍ମଯୋଗୀ ବୋଲି ବର୍ଣ୍ଣନା କରିଥିଲେ । ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ସହ ସ୍ୱାମିଜୀ, ‘ପରୋପକାରାୟ ସ୍ୱର୍ଗାୟ’ ଶ୍ଲୋକର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି କିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ଶିକ୍ଷାବିତ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସ୍ୱାମିଜୀଙ୍କୁ ମହାପୁରୁଷ ଭାବେ ବର୍ଣ୍ଣନା କରିଥିଲେ । ଗୁରୁକୁଳ ବେଦବ୍ୟାସ ଆଶ୍ରମର ଛାତ୍ର ପ୍ରଫେସର ବୁଦ୍ଧଦେବ ଷଡ଼ଙ୍ଗୀ କହିଲେ ଯେ, ସ୍ୱାମିଜୀ ଜଣେ ନିଚ୍ଛକ ସାଧକ ଥିଲେ । ନିନ୍ଦା, ପ୍ରଶଂସାରୁ ସେ ଉର୍ଦ୍ଧ୍ୱରେ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବ ଆର୍ଯ୍ୟସମାଜ ଓଡ଼ିଶା ସଭାପତି ପ୍ରବୀର ଆର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଓ ଗୁରୁକୁଳ ବେଦବ୍ୟାସର ଟ୍ରଷ୍ଟି ତଥା ସମ୍ପାଦକ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଆଜି ଦିବସବ୍ୟାପୀ କାର୍ଯ୍ୟକ୍ରମ ଜାରି ରହିଥିଲା । ପୂର୍ବାହ୍ଣ ୮ ଘଟିକାରେ ଘରେ ଘରେ ଯଜ୍ଞ କାର୍ଯ୍ୟକ୍ରମକୁ ବରିଷ୍ଠ ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀ ଉଦ୍‌ଘାଟନ କରିଥିଲେ । ବୈଦିକ ଗୁରୁକୁଳ ଆଶ୍ରମ ବେଦବ୍ୟାସ ପକ୍ଷରୁ ଆୟୋଜିିତ ୱେବିନାରରେ ଆଶ୍ରମର ମୁଖ୍ୟ ଅଧିଷ୍ଠାତା ଆଚାର୍ଯ୍ୟ ଡଃ ଦେବବ୍ରତ ପୌରହିତ୍ୟ କରିଥିଲେ ଓ ପଣ୍ଡିତ ଉମାକାନ୍ତ ପଣ୍ଡା ସଂଯୋଜନା କରିଥିଲେ । କରୋନା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଆର୍ଯ୍ୟ ବୀରଦଳର ବହୁ ସଦସ୍ୟସଦ୍ୟାମାନେ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ