ଦେଶର ପ୍ରାୟ ୬୫% ଟ୍ରକ୍ ବର୍ତ୍ତମାନ ବନ୍ଦ ହୋଇ ପଡିଛି

ମୁମ୍ବାଇ, (ୱାଇଏନ୍‌ଏସ୍‌): ଲକଡାଉନ୍‌ ଯୋଗୁ ଦେଶର ପ୍ରାୟ ୬୫% ଟ୍ରକ୍‌ ବର୍ତ୍ତମାନ ବନ୍ଦ ହୋଇ ପଡିଛି। ବିଭିନ୍ନ ରାଜ୍ୟରେ ଏହି କ୍ଷେତ୍ରକୁ ୪୨ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ସୂଚନା ମିଳିଛି। ସାମଗ୍ରୀ ପରିବହନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣ କ୍ଷେତ୍ରରେ ଏହି କ୍ଷେତ୍ରର ଏକ ପ୍ରମୁଖ ଭୂମିକା ରହିଛି। ମାତ୍ର କର୍ଫ୍ୟୁ ଏବଂ ଲକ୍‌ଡାଉନ ଯୋଗୁ ଉକ୍ତ କ୍ଷେତ୍ର ସମସ୍ୟା ଦେଇ ବର୍ତ୍ତମାନ ଗତି କରୁଛି। ସମସ୍ୟା ରହିଥିବାରୁ ସରକାର ସହାୟତା ଦିଅନ୍ତୁ ବୋଲି ସଂଘ ପକ୍ଷରୁ ନିବେଦନ କରାଯାଇଛି। ଋଣ କିସ୍ତି କ୍ଷେତ୍ରରେ ଆଶ୍ୱସ୍ତି, ବିନା କୌଣସି କୋଲାଟେରାଲରେ ସଫ୍ଟ ଲୋନ ପ୍ରୋଭିଜନ, ଟିକସ ଛାଡ, ବୀମା ବୈଧତା ଅବଧି ବୃଦ୍ଧି ଭଳି ବିଭିନ୍ନ ସୁବିଧା ଯୋଗାଣ ଦିଗରେ ପଦକ୍ଷେପ ଆସିବାର ଆବଶ୍ୟକତା ରହିଛି ବୋଲି ସଂଘର ଅଧ୍ୟକ୍ଷ ବାଲ୍‌ ମାଲକିତ ସିଂ କହିଛନ୍ତି। ଏହି କ୍ଷେତ୍ରକୁ ଯଦି ସରକାର କୌଣସି ସହାୟତା ପ୍ରଦାନ ନ କରନ୍ତି ତେବେ ଶିଳ୍ପର ସମସ୍ୟା ବଢିଯିବ। ଟ୍ରକ୍‌ ମାଲିକମାନେ କାରବାର ହରାଇବାର ଆଶଙ୍କା ରହିଥିବା ବେଳେ ଉକ୍ତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଲୋକ ଚାକିରି ହରାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦେଶର ପ୍ରାୟ ୮୦% ବର୍ତ୍ତମାନ ଲକ୍‌ଡାଉନ ରହିଛି। ଫଳରେ ପ୍ରାୟ ୯୫ ଲକ୍ଷ ଟ୍ରକ୍‌ ବର୍ତ୍ତମାନ ଛିଡା ହୋଇଛି। ଚାହିଦା କମ୍‌ ଥିବାରୁ କେବଳ ୪୦ ଲକ୍ଷ ଟ୍ରକ୍‌ ବର୍ତ୍ତମାନ ଚଳାଚଳ କରୁଥିବା ସିଂ ମତ ପ୍ରକାଶ କରିଛନ୍ତି।
ସିଂ ପୁଣି କହିଛନ୍ତି, ଟ୍ରକ୍‌ ଚଳାଚଳ କ୍ଷେତ୍ରର ଦୈନିକ କ୍ଷତି ୧୬୦୦ କୋଟି ଟଙ୍କା ରହିଛି। ଏହା ଏପ୍ରିଲ ପ୍ରାରମ୍ଭରେ ୪୦୦ କୋଟି ଟଙ୍କା ରହିଥିଲା। କୋଭିଡ୍‌ କଟକଣା ବଢିବା ଯୋଗୁ ବର୍ତ୍ତମାନ ଅଧିକାଂଶ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପ୍ରିଲର ପ୍ରଥମ ୧୫ ଦିନରେ ଶିଳ୍ପର କ୍ଷତି ୪୦୦ କୋଟି ଟଙ୍କା ଥିଲା ଏବଂ ୩୦ ଏପ୍ରିଲ ବେଳକୁ ଏହା ୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହା ୨ ଗୁଣ ବଢି ୧୬୦୦ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ମୋଟ କ୍ଷତି ପ୍ରାୟ ୪୨ ହଜାର କୋଟି ଟଙ୍କା ରହିଛି। ସେହିଭଳି ଡିଜେଲ ଦର ବୃଦ୍ଧି ଶିଳ୍ପର ସମସ୍ୟାକୁ ଆହୁରି ବଢାଇଛି ବୋଲି ସିଂ ସ୍ପଷ୍ଟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ