ସରସଦା ସମିତି ଅଧିନ ଚାଷୀ ହନ୍ତସନ୍ତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) ; ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସରସଦା ସମିତି ଅଧିନ ଚାଷୀମାନେ ଅନେକ ଦିନ ହେବ ହନ୍ତସନ୍ତ ହେଉଛନ୍ତି । ସମିତିର ମୋଟ ୫ଜଣ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ନିଲମ୍ବିତ ହୋଇ ଏଠାରୁ ଅପସାରଣ ହେବାପରେ ଜଣେ ପିଅନ ଓ ଜଣେ ଡିଓକୁ ନେଇ କାର୍ଯ୍ୟାଳୟ ନାମକୁମାତ୍ର ଚାଲିଛି । ଏହାଛଡା କିଛିଦିନ ଧରି ସମ୍ପାଦକ ଦାୟିତ୍ୱ ତୁଲାଉଥିବା ସମ୍ପାଦକ ମଧ୍ୟ ଏଠାରୁ ବଦଳି ହୋଇଯାଇଛନ୍ତି । ଅବଶ୍ୟ ସମବାୟ ପ୍ରଶାସନିକ ଅଧିକାରୀ ତେସିଙ୍ଗା ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କୁ ସରସଦା ସମିତି ସମ୍ପାଦକ ଭାବେ ଅସ୍ଥାୟୀ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ କର୍ମଚାରୀ ଅଭାବ ଥିବାରୁ ଶ୍ରୀ ଖଣ୍ଡାଇ ସମସ୍ତ କାର୍ଯ୍ୟ ତୁଲାଇ ପାରୁନଥିବା କାରଣରୁ ସମିତିର ଅଚଳାବସ୍ଥା ଦେଖାଦେଇଛି । ଏପଟେ ନିଲମ୍ବିତ କର୍ମଚାରୀ ଓ ବିଦାୟୀ ସମ୍ପାଦକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଖରିଫ ଋଣ ପାଇଁ ସମୟ ଆସିଯାଇଥିବାରୁ ଚାଷୀମାନେ ସମିତିକୁ ଆସି ବାରମ୍ବାର ଫେରିକି ଯାଉଛନ୍ତି । ସମିତିରେ ପାଖାପାଖି ୯କୋଟି ଟଙ୍କାର ବକେୟା ଋଣ ପଡିଛି । ଯାହାକି କର୍ମଚାରୀ ବିନା ଆଦାୟ ହୋଇପାରୁନାହିଁ । ଏପଟେ ସରକାର ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଋଣ ଦେବା ପାଇଁ ଚାହୁଁଥିବାବେଳେ ସରସଦା ସମିତିର ଅବ୍ୟବସ୍ଥା ଯୋଗୁ ଏଥିରୁ ସମସ୍ତେ ବଞ୍ଚିତ ହେବେ ବୋଲି ଜଣାପଡିଛି । ସମ୍ପାଦକ ଭାବେ ଅସ୍ଥାୟୀ ଦାୟିତ୍ୱ ତୁଲାଉ ଥିବା ଶ୍ରୀ ଖଣ୍ଡାଇଙ୍କୁ ଏସମ୍ପର୍କରେ ପଚାରିବାରୁ କାଗଜପତ୍ର କାମ ପାଇଁ ଅବଶ୍ୟକ କର୍ମଚାରୀ ନଥିବାରୁ ଦେଣନେଣ କାର୍ଯ୍ୟ ସହ ଚାଷୀ ମାନଙ୍କ ଅଭାବ ଅସୁବିଧା ବୁଝିହେଉନଥିବା କହିଛନ୍ତି । ସର୍ବୋପରି ଲୋକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରସଦା ସମିତିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ହେଲେ କର୍ମଚାରୀ ନିଯୁକ୍ତି ଅପରିହାର୍ଯ୍ୟ ହୋଇପଡିଛି । ତେଣୁ ଏହା ଉପରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସମିତି ଅଧିନ ଚାଷୀମାନେ ଦୃଢ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ