ଡାଲି ଜାତ ଶସ୍ୟ ପ୍ରତି ଚାଷୀ ବିମୁଖ: ଆଗକୁ ବଢ଼ିବ ଡାଲି ଦର

ନୂଆଦିଲ୍ଲୀ, ( ୱାଇଏନ୍‌ଏସ୍‌): କରୋନା ମହାମାରୀ ବେଳେ ଦେଶର ଜନତାଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା ବେଳେ ଡାଲିର ଦାମ ମଧ୍ୟ ଆଗାମୀ ଦିନରେ ଆହୁରି ବଢ଼ିବାର ଆଶଙ୍କା ରହିଛି । କରୋନା ପାଇଁ ଡାଲି ଜାତୀୟ ଶସ୍ୟ ଅମଳ କମିବାର ସମ୍ଭାବନା ଥିବାରୁ ଏପରି ହେବ। ଚାହିଦା ତୁଳନାରେ ଯଦି ଦେଶରେ ଡାଲିର ଆବଶ୍ୟକତା କମ୍ ରହିବ ତାହେଲେ ଡାଲିର ଉତ୍ପାଦନ ବଢ଼ିବ ବୋଲି ଆକଳନ କରାଯାଉଛି। ସୂଚନାଯୋଗ୍ୟ, ଡାଲିକୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ବାଦ୍ ଦେବା ପରେ ମଧ୍ୟ ଡାଲିର ଦାମ ପୂର୍ବ ତୁଳନାରେ ବଢ଼ି ଚାଲିଛି। ଏବେ ହରଡ ଡାଲି କିଲୋ ପିଛା ୧୧୦ ଟଙ୍କା ରହିଛି। ଦେଶର ଡାଲି ଓ ଶସ୍ୟ ଜାତୀୟ ସଂଘ (ଆଇସିପିଜିଆଇ) କହିଛି ଚଳିତ ବର୍ଷ ଚାଷୀମାନେ ଡାଲିଜାତ ଶସ୍ୟ ଅମଳ ଉପରେ କମ୍ ଗୁରୁତ୍ୱ ଦେଉଛନ୍ତି। କରୋନା ପାଇଁ ମୁଖ୍ୟତଃ ବିଭିନ୍ନ ସମସ୍ୟା ଉପୁଜିବାରୁ ଚାଷୀ ଚଳିତ ବର୍ଷ ଡାଲି ଚାଷ ପ୍ରତି ମନୋନିବେଶ କରୁ ନାହାନ୍ତି। ତେଣୁ ଚଳିତ ବର୍ଷ ମସୁର, ଚଣା ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲର ଅଭାବ ଦେଖିବାକୁ ମିଳିପାରେ। ପ୍ରାରମ୍ଭିକ ଆକଳନ ଅନୁସାରେ ଚଳିତ ବର୍ଷ ୧୦ ଲକ୍ଷ ଟନ୍ ଡାଲି କମ୍ ଉତ୍ପାଦନ ହୋଇପାରେ। କୃଷି ମନ୍ତ୍ରାଳୟର ଓ୍ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ୨୦୨୦-୨୧ (ଫସଲ ବର୍ଷ) ଅନୁଯାୟୀ ହରଡ ଡାଲିର ଉତ୍ପାଦନ ପାଖାପାଖି ୭ ଲକ୍ଷ ଟନ୍ ଏବଂ ମୁଗ ଡାଲି ୫.୨୦ ଲକ୍ଷ ଟନ୍ କମ୍ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଖରିଫ ଋତୁରେ ୨.୧୨ ମିଲିଅନ ଟନ୍ ଡାଲି ଉତ୍ପାଦନ ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ ଦେଶରେ ଡାଲି ଜାତ ଶସ୍ୟ ପ୍ରତି ଚାଷୀ ଆକୃଷ୍ଟ ହେଉ ନାହାନ୍ତି। କମୋଡ଼ିଟି ବିଶେଷଜ୍ଞ କହିଛନ୍ତି ଯେଉଁ ସ୍ଥିତି ଏବେ ଉପୁଜିଛି ଅବା ଆଗକୁ ଉପୁଜିବାକୁ ଯାଉଛି ଏହାର ଅର୍ଥ ଡାଲିର ଚାହାଦା ବଢ଼ିବା ସହିତ ଦାମ ମଧ୍ୟ ବଢ଼ିବ। ତେଣୁ ଆସନ୍ତା ମାସରେ ଡାଲିର ଦାମ ମହଙ୍ଗା ହୋଇପାରେ। ତେଣୁ ଆଗୁଆ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଆବଶ୍ୟକତା ମେଣ୍ଟାଇବା ପାଇଁ ସରକାର ୨.୫ ମିଲିଅନ ଡାଲି ପ୍ରତିବର୍ଷ ଆମଦାନୀ କରୁଛନ୍ତି। ଅନ୍ୟପଟେ ପ୍ରତିବର୍ଷ ୧୦ ଲକ୍ଷ ଟନର ଆବଶ୍ୟକତା ବଢ଼ୁଥିବା ଜଣାପଡ଼ିଛି। ତେଣୁ ଆବଶ୍ୟକତା ମେଣ୍ଟାଇବା ପାଇଁ ସବୁବେଳେ ଆମଦାନୀ ଉପରେ ନିର୍ଭର କରିବା ଠିକ୍ ହେବନି। ଡାଲିର ଖୁଚୁରା ଦର ଏବଂ ହୋଲସେଲ ଦର ମଧ୍ୟରେ କିଲୋଗ୍ରାମ ପିଛା ୫୦ ଟଙ୍କାର ଅନ୍ତର ରହୁଥିବା ଆଇପିଜିଏ କହିଛି।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ