ଡକାୟତି ଯୋଜନା ବେଳେ ଧରାପଡିଲେ ୫ ଡକାୟତ

କଟକ:(ଦୀପକ୍ କୁମାର ବେଉରା) କଟକ କମିଶନରେଟ ପୋଲିସ ହାତରେ ଧରା ପଡ଼ିଲେ ଡକାୟତ ଗ୍ୟାଙ୍ଗ । ଡକାୟତି ଯୋଜନା କରିଥିଲା ବେଳେ ଚାଉଳିଆଗଞ୍ଜ ଥାନା ପୁଲିସ କଲା ଗିରଫ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢାଉ କରି ୫ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ରିଭଲଭର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରି, ଗୋଟିଏ ଲୁହା ରଡ଼, ୪ଟି ମୋଟର ସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଦୋଳମଣ୍ଡପ ସାହିର ବିଶ୍ୱଜିତ ମହାରଣା ଓରଫ ମିଲନ(୨୩), ପୋତାପୋଖରୀର ସୁଧିର ଦାସ ଓରଫ ଗେଡ଼(୨୧), ଗୋପବନ୍ଧୁ ନଗରର ବିନୋଦ କୁମାର ସ୍ୱାଇଁ ଓରଫ ବାବୁ(୨୧), ବିଦ୍ୟାଧରପୁର ଛକାସାହିର ଦେବାଶିଷ ମହାରଣା ଓରଫ ଜଗା(୨୧) ଓ ଷଷ୍ଠ ବାଟାଲିୟନ କ୍ୟାମ୍ପସ ଓଏମପି ବସ୍ତିର ଅଜୟ ଦେହୁରି ଓରଫ ନଣ୍ଡା(୨୫) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ରାତିରେ ବିଦ୍ୟାଧରପୁର ତେଲି ସାହି ପଡ଼ିଆ ନିକଟରେ କେତେକ ଯୁବକ ମାରାଣାସ୍ତ୍ର ସହ ଏକତ୍ରିତ ହୋଇ ଜାତୀୟ ରାଜପଥ ୫୫ରେ ଡକାୟତି କରିବାକୁ ଯୋଜନା କରୁଥିଲେ । ଏତିକିବେଳେ ଚାଉଳିଆଗଞ୍ଜ ପୁଲିସ ନିକଟରେ ଗୁପ୍ତ ସୂଚନା ପହଞ୍ଚଥିଲା । ସଙ୍ଗେ ସଙ୍ଗେ ଥାନା ପକ୍ଷରୁ ଚଢାଉ କରାଯାଇ ୫ ଜଣଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଛୁରି, ଲୁହା ରଡ଼ ଜବତ କରାଯାଇଥିଲା । ଥାନାକୁ ଆଣି ପଚରା ଉଚରା ସମୟରେ ସେମାନେ ଜାତୀୟ ରାଜପଥରେ ବିଭିନ୍ନ ଲିଟର ସାମିଲ ଥିବାର ସ୍ୱୀକାର କରିଥିଲେ । ଅଭିଯୁକ୍ତ ମାନଙ୍କ ବିରୋଧରେ ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନାରେ ଗୋଟିଏ ଲେଖାଏ ମାମଲା ରହିଥିବାବେଳେ ଜଗା ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୪ଟି ଓ ବାଦାମବାଡ଼ି ଥାନାରେ ଗୋଟିଏ, ନଣ୍ଡା ଓ ବାବୁ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୩ଟି ଲେଖାଏ ମାମଲା ରହିଥିବା ଜଣାପଡ଼ିଛି । ସେମାନଙ୍କ ଅପରାଧିକ କାର୍ଯ୍ୟ କଳାପର ତଦନ୍ତ ଜାରିଥିବାବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ