ମହଙ୍ଗା ପଡିବ ସୋସିଆଲ ମିଡିଆରେ ଟିକା ପ୍ରମାଣ ପତ୍ର ସେୟାର କରିବା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଟିକା ନେବାପରେ ସୋସିଆଲ ମିଡିଆରେ ନିଜର ଟିକା ପ୍ରମାଣ ପତ୍ର ସେୟାର କରୁଥିଲେ ହୋଇଯାଆନ୍ତୁ ସାବଧାନ୍‌। ପ୍ରମାଣ ପତ୍ରରେ ଥିବା ‘କ୍ୟୁଆର୍‌ କୋଡ’ ଆପଣଙ୍କ ପାଇଁ ବିପଦ ହୋଇପାରେ। ଏଭଳି ସତର୍କ ସୂଚନା ଜାରି କରିଛି କମିସନରେଟ ପୋଲିସ। ରାଜ୍ୟରେ ସାଇବର ଠକ ବେଶ୍‌ ସକ୍ରିୟ ରହିଛନ୍ତି। ଭିନ୍ନ ଭିନ୍ନ ଆଳରେ ଲୋକଙ୍କ ଆକାଉଣ୍ଟ ଖାଲି କରୁଥିବାବେଳେ, ଏବେ ଏମାନଙ୍କ ପାଇଁ ଆଉ ଏକ ଅସ୍ତ୍ର ପାଲଟିଛି ଟିକା ପ୍ରମାଣ ପତ୍ରରେ ଥିବା ‘କ୍ୟୁଆର୍‌ କୋଡ’। ପୂର୍ବରୁ ଆଧାରକାର୍ଡ, ଫୋନନମ୍ବର, ଓଟିପି, ଓଏଲଏକ୍ସ, ଆକର୍ଷଣୀୟ ଅଫର୍‌ ଇତ୍ୟାଦି ମାଧ୍ୟମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟିଥିବା ନଜିର ରହିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଟିକା ଟ୍ରେଣ୍ଡ ଚାଲିଛି। ଯେଉଁମାନେ ଟିକା ନେଉଛନ୍ତି, ସେମାନେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରମାଣ ପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ‘ମୁଁ ଟିକା ନେଲି ଆପଣ ବି ନିଅନ୍ତୁ’ ଏଭଳି ବି କିଛି କ୍ୟାପ୍‌ସନ୍‌ ଦେଇ ନିଜର ପ୍ରମାଣ ପତ୍ରକୁ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଏଣିକି ଭୁଲ୍‌ରେ ବି ଏଭଳି କାମ କରନ୍ତୁ ନାହିଁ। କଟକ ଡିସିପି କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଟୁଇଟ ଯୋଗେ ଏକ ସତର୍କ ସୂଚନା ଜାରି କରାଯାଇଛି। ସୋସିଆଲ ମିଡିଆରେ ଟିକା ପ୍ରମାଣ ପତ୍ର ସେୟାର କରିବାକୁ ବାରଣ କରାଯାଇଛି। କାରଣ ଏଭଳି କରିବା ଦ୍ୱାରା ସାଇବର ଠକମାନେ ସହଜରେ ଯେକୌଣସି ବକ୍ତିଙ୍କର ବ୍ୟକ୍ତିଗତ ଡାଟା ସଂଗ୍ରହ କରିପାରିବେ ଏବଂ ସାଇବର ଠାକାମିର ଶିକାର ହେବାର ସମ୍ଭାବନା ଅଧିକ ରହିଛି। ଟିକା ନେବାପରେ ବ୍ୟକ୍ତିବିଶେଷଙ୍କୁ ଦିଆଯାଉଥିବା ପ୍ରମାଣ ପତ୍ରରେ ବ୍ୟକ୍ତିଗତ ତଥ୍ୟ ସାଙ୍ଗକୁ କିଛି ଗୁପ୍ତ ତଥ୍ୟ ମଧ୍ୟ କ୍ୟୁଆର୍‌ କୋଡ ମାଧ୍ୟମରେ ଦିଆଯାଇଥାଏ। ତେଣୁ ଆଗକୁ ଏଭଳି ଭୁଲ୍‌ ନକରିବାକୁ ସତର୍କ କରିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ