ଗଜପତି ପ୍ରଶାସନର ପଦକ୍ଷେପ: ଓଡିଶା ସୀମାରେ ଆନ୍ଧ୍ରର ବେଆଇନ୍ ପୋଖରୀ ଖୋଳା କାର୍ଯ୍ୟ ବନ୍ଦ ହେଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁର ଗ୍ରାମ ନିକଟ ଓଡିଶାର ଜମିରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ମନରେଗାରେ ପୋଖରୀ ଖନନ କାର୍ଯ୍ୟକୁ ଗତକାଲି ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ବନ୍ଦ କରିଥିବା ସୂଚନା ମିଳିଛି । ଆନ୍ଧ୍ରର ମଞ୍ଜୁଷା ତହସିଲ ପ୍ରଶାସନ ଓଡିଶାର ଗଜପତି ଜିଲ୍ଲା ସୀମାରେ ଥିବା ଚମ୍ପାପୁର ଗ୍ରାମ ନିକଟ ଜମିରେ ଜବରଦସ୍ତି ପୋଖରୀ ଖୋଳା ଚଲାଇଥିଲେ । ଏହାକୁ ଗଙ୍ଗାବାଡ ପଞ୍ଚାୟତବାସୀ ପ୍ରତିବାଦ କରି ବିରୋଧ କରିଥିଲେ । ଅନ୍ୟ ପକ୍ଷରେ ପୋଖରୀ ଖୋଳୁଥିବା ଆନ୍ଧ୍ରର ଠିକାଦାରଙ୍କ ସମର୍ଥକ ଓ ଆନ୍ଧ୍ରର କିଛି ଲୋକ ଓଡିଶା ବାସୀଙ୍କ ଏହି ବିରୋଧକୁ ପ୍ରତିବାଦ କରି ପୋଖରୀ ଖୋଳା ଯାଉଥିବା ଜମିଟି ଆନ୍ଧ୍ରର ବୋଲି ଯୁକ୍ତି ବାଢିଥିଲେ । ଏଭଳି ଯୁକ୍ତିତର୍କକୁ ନେଇ ଉଭୟ ଆନ୍ଧ୍ର ଓ ଓଡିଶାବାସୀ ମୁହାଁ ମୁହିଁ ହୋଇଥିଲେ । ଯଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥିଲା । ଏ ସବୁକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ ତହସିଲଦାର ଲିଳାବତୀ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ସବୁକିଛି ଅନୁଧ୍ୟାନ କରିବା ସହ ପୋଖରୀ ଖୋଳା କାର୍ଯ୍ୟକୁ ବନ୍ଦ କରିଥିଲେ । ଏହି ପୋଖରୀ ଖୋଳା କାର୍ଯ୍ୟକ୍ରମରେ ନିୟୋଜିତ ଆନ୍ଧ୍ରର ଠିକାଦାର ଓ ମଞ୍ଜୁଷା ତହସିଲର କର୍ମଚାରୀଙ୍କୁ ତାଗିଦ୍ କରି କହିଥିଲେ ଯେ,ଏହି ବିବାଦୀୟ ନିର୍ମାଣ କାର୍ଯ୍ୟ ନେଇ ଉଭୟ ଆନ୍ଧ୍ର ଓ ଓଡିଶା ପଦସ୍ଥ ଅଧିକାରୀଙ୍କ ସମାଧାନ ବୈଠକ ନ ହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ । ଯଦି ଏହାକୁ ଅମାନ୍ୟ କରି କେହି ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ତେବେ ଗଜପତି ପ୍ରଶାସନ ତରଫରୁ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାୟଗଡ ତହସିଲଦାରଙ୍କ ଏହି ତାଗିଦ୍ ପରେ ଗତକାଲି ଠାରୁ ଏହି ପୋଖରୀ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ