ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା କରି ଆଶ୍ୱସ୍ତ କରିଥିବା ବେଳେ, ଆଉ କେଉଁଠି ହେବନି, ସେହି ନ୍ୟାୟରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ମହାବାହୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ହେବନାହିଁ ବୋଲି କହି କେନ୍ଦ୍ରାପଡା ଜନସାଧାରଣଙ୍କୁ ଅତଙ୍କିତ କରିଛନ୍ତି । ବାର୍ଷିକ ନୀତିକାନ୍ତିର ଅଂଶବିଶେଷ ଭାବେ ନିଜ ବଡଦାଣ୍ଡରେ ରଥଯାତ୍ରା କେବଳ ପୁରୀ ଶ୍ରୀଜଗନ୍ନାଥଙ୍କର ନୁହେଁ କେନ୍ଦ୍ରାପଡାର ଶ୍ରୀବଳଦେବଜୀଉଙ୍କର ମଧ୍ୟ ସମାନ ପରମ୍ପରାରେ ଅନୁଷ୍ଠିତ ହୁଏ । ଏପରି ସ୍ଥଳେ କେନ୍ଦ୍ରାପଡା ରଥଯାତ୍ରା ବନ୍ଦ କରିବା ନିଷ୍ପତି ଯେଉଁମାନେ ନେଉଛନ୍ତି ସେମାନେ କିଏ ? ସ୍ୱାସ୍ଥ୍ୟ ବିଶେଷଜ୍ଞ, କର୍ମକାଣ୍ଡବିତ୍ , ବିଦ୍ୱାନ୍ ,ସଂସ୍କୃତି ବିଶେଷଜ୍ଞ, ପ୍ରଚ୍ଛଦରେ ଥିବା ରାଜନେତା ନା’ ଜନସେବୀ ସାଧାରଣ ପ୍ରଶାସକ ? କରୋନା ସଂକ୍ରମଣ ଓ ନିୟନ୍ତ୍ରଣ ଜନସଂପୃକ୍ତି ଆଧାରିତ । ଅତଏବ ଗତବର୍ଷ ଏଭଳି ଭୁଲ ନିଷ୍ପତିକୁ ସର୍ବୋଚ୍ଚ ନ୍ୟାୟାଳୟ ପରିବର୍ତ୍ତନ କରି ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନୀତିକାନ୍ତିକୁ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଇସ୍ପାତ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନଭାବନା ଅନୁରୂପ ସକ୍ରୀୟ ଭୂମିକା ଉଦାହରଣୀୟ ଥିଲା । ଅବଶ୍ୟ କୋଭିଡ ନିୟମ ପାଳନ ସହିତ ସୀମିତ ଲୋକଙ୍କ ସଂପୃକ୍ତିରେ ଯାହା ସଫଳତାର ସହିତ ସଂମ୍ପନ୍ନ ହୋଇ ସରକାର ବହାବା ନେଇଥିଲେ । କ’ଣ ସବୁସମାନ ପ୍ରସଙ୍ଗରେ ନିଷ୍ପତି ପାଇଁ ସର୍ବୋଚ୍ଚ ଅଦାଲତକୁ ଯିବାକୁପଡିବ ନିଜର ମୈାଳିକ ଅଧିକାର ସାବ୍ୟସ୍ତ କରିବାକୁ ? ଯଦି ସେପରି କଥା , ଗତ ବର୍ଷ ଅହମ୍ମଦାବାଦ ରଥଯାତ୍ରା, ଯାଜପୁରରେ ମା ବିରଜାଙ୍କ ରଥଯାତ୍ରା ଓ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ ନିଷ୍ପତି କ’ଣ ଅଦାଲତରୁ ଆସିଥିଲା ନା ବିବେକପୂର୍ଣ ପ୍ରଶାସନିକ ବ୍ୟବସ୍ଥାରୁ ? ମୁଁ ସେତେବେଳେ ଓ ଆଜିବି ଧନ୍ୟବାଦ ଦେଉଛି ସେଠାକାର ସ୍ଥାନୀୟ ଜନପ୍ରତିନିଧି ପ୍ରଣବ ବାବୁ ଓ ଅଶୋକ ବାବୁଙ୍କୁ ଯେଉଁମାନେ ମହାମାରୀ ସମୟର ବିଧିନିଷେଧ ଅନୁପାଳନ ପୂର୍ବକ ସ୍ଥାନୀୟ ଜନତାର ମୈାଳିକ ଧାର୍ମିକ ଅଧିକାର , ଭାବନା ଓ ସଂସ୍କୃତିକୁ ସମ୍ବର୍ଦ୍ଧନ କରିବାର ଉଦାହରଣ ଛାଡିଯାଇଛନ୍ତି । ଏଦିଗରେ ଆମ ଜନପ୍ରତିନିଧିମାନଙ୍କ ଠାରୁ ସେଭଳି ସକ୍ରିୟ ଦାୟିତ୍ୱପୂର୍ଣ୍ଣ ଭୂମିକା ଅପେକ୍ଷା କରାଯାଏ । ସତରେ କ’ଣ ସରକାରଙ୍କ ଏହି ନିଷେଧ ଆଜ୍ଞା ଜଗତର ସବୁସ୍ଥାନରେ ଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଠାକୁରଙ୍କୁ ବନ୍ଧା ନା କଣ ? ଲାଇସେନ୍ସ ପାଇଥିବା ନିଶା ଦୋକାନୀ କୋଭିଡ ନିୟମ ମାନି ବେପାର କରିପାରିବ । ମାତ୍ର କର୍ମକାଣ୍ଡର ନିୟମକୁ ମାନି ଶହ ଶହ ବର୍ଷ ଧରି ଚାଲିଆସିଥିବା ଭକ୍ତମାନେ କୋଭିଡ ନିୟମ ମାନି ରଥଯାତ୍ରାରେ ଚାଲିପାରିବେନି ? ୫ନମ୍ବର (କ) ଜାତୀୟ ରାଜପଥରେ ହଜାର ହଜାର ଟ୍ରକ, ଲରି, ଟ୍ୟାଙ୍କର ସବୁ ସମୟରେ ଯାଆସ କରିପାରିବ । ମାତ୍ର ନିଜ ବଡଦାଣ୍ଡରେ ମାଲିକ ମହାପ୍ରଭୁ ଶ୍ରୀ ବଳିଆରଭୁଜ ନିଜ ଭାଇ ଓ ଭଉଣୀକୁ ନେଇ ବ୍ରହ୍ମତାଳଧ୍ୱଜରେ ଯାଇପାରିବେନି ? କଣ ଏଥିପାଇଁ ମୋ ଠାକୁରଙ୍କୁ ପ୍ରତ୍ୟକ୍ଷତାର ପରୀକ୍ଷା ଦେବାକୁ ହେବ ? ବଡଦାଣ୍ଡର ସତ୍ୱାଧିକାର ପଟ୍ଟା ଦେଖାଇବାକୁ ପଡିବ ? ପ୍ୟାରୀ, ପ୍ରଶାନ୍ତଙ୍କ ପୃଷ୍ଠପୋଷକତାରେ ତିଆରି ହୋଇଥିବା ମନ୍ଦିର ସହିତ ଧାଡିରେ ଛିଡାହେବାକୁ ପଡିବ ପଦ୍ମପୁରାଣ ବର୍ଣ୍ଣିତ ମୋଗଲ ବିଧ୍ୱଂସିତ, ମରହଟ୍ଟା ନିର୍ମିତ ତୁଳସୀ କ୍ଷେତ୍ରର ମନ୍ଦିରକୁ ? ପ୍ରାଚୀନତା, ପୈାରାଣିକ ପୃଷ୍ଠଭୂମି, ଆଧ୍ୟାତ୍ମିକ ସ୍ୱତନ୍ତ୍ରତା ଓ କ୍ଷେତ୍ରୀୟମାନ୍ୟତା ଦୃଷ୍ଟିରୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ଭଳି ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି କଲାଭଳି ନିଷ୍ପତି ଆଇନଗତ, ସମ୍ବିଧାନଗତ, ସଂସ୍କୃତିଗତ ଓ ଦେବାଧିକାରଗତ ତଥା ଜନଭାବନା ବିରୋଧି । ଏପରି ସ୍ଥଳେ ସରକାର ନିଜର ବେଆଇନ ତଥା ଅସମ୍ବିଧାନିକ ନିଷ୍ପତି ପ୍ରତ୍ୟାହାରକରି କୋଭିଡ ଅନୁରୂପ ବିଧିନିଷେଧ ସହିତ କେନ୍ଦ୍ରାପଡା ତୁଲସୀକ୍ଷେତ୍ର କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଳନରେ ସ୍ୱସୃଷ୍ଟ ବାଧା ଦୂରକରନ୍ତୁ । ଅନ୍ତତଃ କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ ପ୍ରତିନିଧି ଓ ଲୋକସଭାକ୍ଷେତ୍ରର ସାଂସଦ ଏବଂ ସବୁଦଳର ବରିଷ୍ଠ ନେତୃମଣ୍ଡଳୀ ଏଦିଗରେ ଜନତା ଓ ସ୍ଥାନୀୟ ଅସ୍ମିତା ପ୍ରତିଥିବା ନିଜର ସକରାତ୍ମକ ଉତ୍ତରଦାୟିତ୍ୱ ନିର୍ବାହ କରିବାପାଇଁ ବିନମ୍ର ନିବେଦନ କରିଛନ୍ତି ଜିଲ୍ଲା ଜନ ଅଧିକାର ଅଭିଯାନର ସଭାପତି ଭୂବନ ମୋହନ ଜେନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ