ଶୁକ୍ରବାରରେ ଟୀକା ଗ୍ରହଣ, ଶନିବାରରେ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳା ଗତ ଶୁକ୍ରବାର ଦିନ କୋଭିଡ୍ ଟୀକା ଗ୍ରହଣ କରିଥିଲେ । ଶୁକ୍ରବାର ରାତ୍ରରେ ଗୁରୁତର ହୋଇ ଶନିବାର ଦିନ ମୋହନା ଡାକ୍ତରଖାନାରେ ଭର୍ତ୍ତି ହେବା ବେଳେ ଡାକ୍ତର ମହିଳାଙ୍କର ମୃତ ଘୋଷଣା କରିଥିଲେ । ନବ ବିବାହିତାଙ୍କର ଏହି ସନ୍ଦେହ ଜନକ ମୃତ୍ୟୁକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଚାନ୍ଦିପୁଟ ଗ୍ରାମର ହରିଶଙ୍କର ପୃଷ୍ଟି (୪୦) ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଆଚାରୀ ଗତ ଶୁକ୍ରବାର ଦିନ ମୋହନା ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଡୋଜ କୋଭିଡ୍ ଟୀକା ଗ୍ରହଣ କରିଥିଲେ । କିଛି ସମୟ ସେଠାରେ ରହିବା ପରେ ଘରକୁ ଫେରିଥିଲେ । ଘରକୁ ଫେରିବା କିଛି ଘଣ୍ଟା ପରେ ଲକ୍ଷ୍ମୀ ଅସୁସ୍ଥ ହେବା ଯୋଗୁଁ ସ୍ୱାମୀ ତାଙ୍କୁ କିଛି ଔଷଧ ଖାଇବାକୁ ଦେଇଥିଲେ । ପରେ ଅଧରାତ୍ରରେ ଲକ୍ଷ୍ମୀଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଶନିବାର ସକାଳେ ସ୍ୱାମୀ ହରିଶଙ୍କର ପତ୍ନୀ ଲକ୍ଷ୍ମୀଙ୍କୁ ଚିକିତ୍ସା ପାଇଁ ମୋହନା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଡାକ୍ତର ନମିତା ପଣ୍ଡା ଲକ୍ଷ୍ମୀଙ୍କୁ ଚିକିତ୍ସା ପାଇଁ ଦେଖିବା ବେଳେ ମୃତ ଘୋଷଣା କରିବା ସହ ଡାକ୍ତର ଘଟଣା ନେଇ ମୋହନା ଥାନାକୁ ଜଣାଇଥିଲେ । ଘଟଣା ନେଇ ମୋହନା ଡାକ୍ତର ନମିତା ପଣ୍ଡା କହିଛନ୍ତି, କୋଭିଡ୍ ଟୀକା ଗ୍ରହଣ ଦ୍ୱାରା ତାଙ୍କର ମୃତ୍ୟୁ ହୋଇନାହିଁ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଦିଆଯିବା ଠିକ ନୁହେଁ । ତେଣୁ ତାଙ୍କର ମୃତ୍ୟୁ କୋଭିଡ୍ ଟୀକାକରଣ ଯୋଗୁଁ ହୋଇନାହିଁ । ଡାକ୍ତରଙ୍କ ପରାମର୍ଶ ବିନା ଯଦି ସେପରି କିଛି ଔଷଧ ବ୍ୟବହାର କରିଥାନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ । ପ୍ରତ୍ୟେକ ବ୍ୟକ୍ତି ଟୀକା ଗ୍ରହଣ କରି ନିଜ ନିଜକୁ କରୋନାରୁ ଦୂରେଇ ରୁହନ୍ତୁ ବୋଲି ଡାକ୍ତର ପଣ୍ଡା ଆହ୍ୱାନ ଦେଇଛନ୍ତି । ଅପରପକ୍ଷରେ ଏହି ଘଟଣା ନେଇ ମୋହନା ପୋଲିସ ଏକ ଅପମୃତ୍ୟୁ ମାମଲା ୮/୨୧ରେ ରୁଜୁ କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ଗତକାଲି ପଠାଯାଇଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତର ପ୍ରକୃତ କାରଣ ଜଣାପଡିବ । ତଥାପି ଘଟଣା ନେଇ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ