ନକଲି ଔଷଧ କାରବାର

କରୋନା କବଳରୁ ବଞ୍ଚିବା ପାଇଁ ମଣିଷ ଲଢ଼େଇ କରୁଥିବା ବେଳେ ଏବେ କରୋନା ସମେତ ଥଣ୍ଡା, ଜ୍ୱର, କାଶ ଆଦି କେତେକ ରୋଗ ପାଇଁ ଟ୍ରକ୍‌ ଟ୍ରକ୍‌ ନକଲି ଔଷଧ କଟକରୁ ଜବତ୍‌ ହୋଇଛି । ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଅଞ୍ଚଳରେ ରହିଥିବା ଏକ ଔଷଧ କମ୍ପାନୀକୁ ହିମାଚଳ ପ୍ରଦେଶର ମାନୁଫାକcରିଙ୍ଗ ମୋହର ଥିବା ଏହିସବୁ ନକଲି ଔଷଧ ଆସିଥିଲା । ପରେ ଏହିସବୁ ନକଲି ଔଷଧ ସେହିଠାରୁ ଓଡ଼ିଶାକୁ ଆସିଥିବା ଅନୁମାନ କରାଯାଉଛି । ବୋଧ ହୁଏ ଓଡ଼ିଶା ବଜାରରେ ବର୍ତ୍ତମାନ ବିପୁଳ ପରିମାଣର ନକଲି ଔଷଧ ପଶିଯାଇଛି । କରୋନା ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ହେଉଥିବା ଔଷଧଗୁଡିକ ମଧ୍ୟରୁ କେତୋଟି ନକଲି ବାହାରିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଗଲା । ଫାଭିପିରାଭିର୍‌ ସମେତ କାଶ, ଥଣ୍ଡା, ଏସିଡିଟି ଆଦି ଭଳି ପ୍ରାୟ ନଅଟି ରୋଗର ନକଲି ଔଷଧ କଟକରୁ ବିପୁଳ ପରିମାଣର ଗୋଟିଏ ଦୋକାନରୁ ଜବତ୍‌ କରାଗଲା । ଏଣେ ଯେଉଁ ଦୋକାନରୁ ଏସବୁ ଜବତ୍‌ ହୋଇଛି ସେ ଏହି ଔଷଧଗୁଡିକ କମ୍ପାନୀମାନଙ୍କ ଠାରୁ ବିଲ୍‌ରେ କିଣିଥିବା ଦାବି କରି ତାଙ୍କ ଚଢ଼ାଉକୁ ଚ୍ୟାଲେ୍‌ କରିଛନ୍ତି । ବର୍ତ୍ତମାନ ଏହାକୁ ନେଇ ଏକ ଦ୍ୱନ୍ଦ ସୃଷ୍ଟି ହୋଇଛି । କେବଳ ଗୋଟିଏ ଦୋକାନରେ ନୁହଁ, ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଦୋକାନରେ ଏହିଭଳି ନକଲି ଔଷଧ ମିଳୁଥିବାର ବର୍ତ୍ତମାନ ନଜରକୁ ଆସିଲାଣି । ଏହି ସବୁ ଔଷଧ ଖୋଳ ଭିତରେ ପ୍ରାୟତଃ ପାରାସିଟାମଲ୍‌ ଭର୍ତ୍ତି କରି ପେକିଙ୍ଗ୍‌ କରାଯାଉଥିବା ଦେଖିବାକୁ ମିଳିଛି । ସାଧାରଣତଃ ଶରୀରର ଉତ୍ତାପ କମାଇବା ପାଇଁ ଜ୍ୱର ଭଳି କ୍ଷେତ୍ରରେ କିମ୍ବା ଥଣ୍ଡା ସର୍ଦ୍ଦି କ୍ଷେତ୍ରରେ ପାରାସିଟାମଲ୍‌ ବ୍ୟବହାର କରାଯାଏ । ଏହା ଏକ ଅତ୍ୟନ୍ତ ଶସ୍ତା ଔଷଧ ଏବଂ ଖୋଳ ଭିତରେ ପେକିଙ୍ଗ୍‌ ହୋଇଗଲା ପରେ କେଉଁ ଔଷଧ କ’ଣ ତାହା ଜାଣିବାର କୌଣସି ଉପାୟ ନାହିଁ । ରୋଗୀ କିମ୍ବା ଔଷଧ ପାଇଁ ଚିଠା ଲେଖୁଥିବା ଡ଼ାକ୍ତର କେହି ବି ଏହା ଜାଣିପାରିବେ ନାହିଁ । ତେବେ କଥା ହେଉଛି ରୋଗୀ ବଞ୍ଚିବା ପାଇଁ ଚିକିତ୍ସା କରୁଥିବା ବେଳେ ଏବଂ ଔଷଧ ଖାଉଥିବା ସ୍ଥଳେ, ନକଲି ଔଷଧ ରୋଗୀର ଜୀବନକୁ ବିପନ୍ନ କରି ଦେବା ଜାଣି ସୁଦ୍ଧା ନକଲି ଔଷଧ କାରବାର କରିବା ଏକ ହତ୍ୟା ଷଡଯନ୍ତ୍ର ଭାବରେ ବିବେଚିତ ହେବା ଉଚିତ୍‌ । ରୋଗୀମାନଙ୍କର ଜୀବନ ସହିତ ଖେଳିବା, ମିଥ୍ୟା ଔଷଧ ଦେଇ ସେମାନଙ୍କ ଠାରୁ ପ୍ରକୃତ ଔଷଧର ମୂଲ୍ୟ ଲୁଟି ନେବା, ଔଷଧ ବ୍ୟବସାୟ କ୍ଷେତ୍ରରେ ସଚ୍ଚୋଟତା ରକ୍ଷା କରାନଯିବା ଆଦି ଅପରାଧଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ମାନବ ସମାଜ ପାଇଁ ଏକ ଷଡଯନ୍ତ୍ର । ଏଭଳି ଘଟଣାଗୁଡ଼ିକ ବର୍ତ୍ତମାନ କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ସାଂଘାତିକ ଘଟଣା ଏବଂ ଔଷଧ କିଣି ଖାଉଥିବା ରୋଗୀ ଔଷଧ ନକଲି ବୋଲି ଜାଣିଲେ ହୁଏତ ସେମାନଙ୍କର ଅଚାନକ ହୃଦଘାତ ହୋଇଯିବ । କାରଣ ମାନସିକ ସ୍ତରରେ ଜଣେ ରୋଗୀ ସୁସ୍ଥ ଲୋକଠାରୁ ଦୁର୍ବଳ ଥାଏ । ଏଭଳି ପରିସ୍ଥିତିରେ ରୋଗୀମାନଙ୍କ ଜୀବନ ସହିତ ଖେଳୁଥିବା ଔଷଧ ବ୍ୟବସାୟୀ ସଂସ୍ଥା ଏବଂ ଦୋକାନୀମାନେ କିଭଳି ନୃଶଂସ ଏବଂ ଅର୍ଥ ଉପାର୍ଜନ ପାଇଁ ସେମାନେ କେତେ ତଳକୁ ଖସିଯାଇପାରନ୍ତି ଏହା ହେଉଛି ତା’ର ଏକ ଉଦାହରଣ । ସ୍ୱାସ୍ଥ୍ୟସେବା ଏବଂ ଔଷଧ କ୍ଷେତ୍ରରେ ଯେ କୌଣସି ପ୍ରକାରର ନକଲି କାରବାରକୁ ହତ୍ୟା ଷଡଯନ୍ତ୍ର ସହିତ ସମାନ ଅପରାଧ ଭାବରେ ଗ୍ରହଣ କରାଯିବା ଉଚିତ୍‌ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ