ଷ୍ଟାନ ସ୍ଵାମୀଙ୍କ ବ୍ୟବସ୍ଥାଗତ ହତ୍ୟା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଆଦିବାସୀ ଅଧିକାର ଆନ୍ଦୋଳନର ବିଶିଷ୍ଠ ସାରଥି ତଥା ୮୪ ବର୍ଷ ବୟସ୍କ ନିର୍ଦ୍ଦୋଷ ସାମାଜିକ କର୍ମୀ ଫାଦର ଷ୍ଟାନ ସ୍ଵାମୀ ମିଥ୍ୟା ଦେଶଦ୍ରୋହ ଅଭିଯୋଗରେ ଓ ମହାରାଷ୍ଟ୍ରର ଭୀମା କୋରେଗାଁଓ ମାମଲାରେ ଗିରଫ ହୋଇ ଯେପରି ନ୍ୟାୟ ନପାଇ ମୃତ୍ୟୁ ବରଣ କଲେ, ତାହାକୁ ସାରା ଦେଶରେ ତୀବ୍ର ନିନ୍ଦା କରାଯାଇଛି । ଭାରତୀୟ ନ୍ୟାୟ ବ୍ୟବସ୍ଥା ‘ ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷୀ ଦଣ୍ଡ ନପାଉ’ ନୀତି କୁ ସ୍ପଷ୍ଠ ଉଲଂଘନ କରି ବିଳମ୍ବିତ ବିଚାର ପ୍ରକ୍ରିୟା ଓ ଚିକିସ୍ଛାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଏକ ଆନୁଷ୍ଠାନିକ ହତ୍ୟା ବୋଲି ଆଜି ରାଜଧାନୀ ଭୁବନେଶ୍ୱର ରେ ଆୟୋଜିତ ପ୍ରତିବାଦରେ ମାନବିକ ଅଧିକାର ଓ ରାଜନୈତିକ କର୍ମୀ ମାନେ ଅଭିଯୋଗ କରିଛନ୍ତି ।ଭିନ୍ନମତ ପୋଷଣ କରୁଥିବା ଓ ସରକାରଙ୍କ ନୀତି ସହ ଏକମତ ହେଉନଥିବା ବୁଦ୍ଧିଜୀବୀ, ଶିକ୍ଷାବିତ, ସାମାଜିକ ଓ ରାଜନୈତିକ କର୍ମୀ ଓ ନେତାମାନଙ୍କୁ ଯେପରି ମିଥ୍ୟା ମକଦ୍ଦମାରେ ଫସାଇ ଦିଆଯାଉଛି ତାହା ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ସରକାରଙ୍କ ସମସ୍ତ ଅଗଣତାନ୍ତ୍ରିକ ନୀତି ଓ ସମ୍ବିଧାନ ବିରୋଧୀ କାର୍ଯ୍ୟ ନିକଟରେ ନ୍ୟାୟପାଳିକା ଅତ୍ୟନ୍ତ ନିର୍ଲଜ ଭାବେ ଆତ୍ମ ସମର୍ପଣ କରିଛି ବୋଲି ଦର୍ଶାଇ ସେମାନେ ଫାଦର ଷ୍ଟାନ ସ୍ଵାମୀଙ୍କ ମୃତ୍ୟୁ ପାଇଁ ଉଭୟ କେନ୍ଦ୍ର ସରକାର ଓ ନ୍ୟାୟପାଳିକାକୁ ଦାୟୀ କରିଛନ୍ତି । ୟୁ.ଏ. ପି.ଏ, ଦେଶଦ୍ରୋହ,ଆଫସ୍ପା, ମୃତ୍ୟୁଦଣ୍ଡ ଆଇନ ଭଳି ଶ୍ରମିକ, କୃଷକ ଓ ଗଣତାନ୍ତ୍ରିକ ଅଧିକାର ଗୁଡିକୁ କ୍ଷୁର୍ଣ କରୁଥିବା ସମସ୍ତ କଳା ଆଇନ ଗୁଡିକୁ ବାତିଲ କରିବା, ସମସ୍ତ ରାଜନୈତିକ ବନ୍ଦୀ ମାନଙ୍କୁ ଖଲାସ କରିବା,ଭୀମା କୋରେଗାଁଓ ମାମଲାରେ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଅବିଳମ୍ବେ ଜାମିନ ପ୍ରଦାନ କରି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଚାର ଶେଷ କରିବାକୁ ସେମାନେ ଦାବି କରିଥିଲେ । ଆଜିର ଏହି ପ୍ରତିବାଦରେ ଅଖିଳ ଭାରତ ଜନମଞ୍ଚ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଆମ ଅଧିକାର, ଇନସାଫ,ଏନ.ଏ.ପି.ଏମ, ରାଜନୈତିକ ବନ୍ଦୀମୁକ୍ତି କମିଟି ଓ ଅନ୍ୟାନ୍ୟ ସଂଗଠନର ରାଧାକାନ୍ତ ସେଠୀ, ବିଶ୍ଵପ୍ରିୟ କାନୁନଗୋ, ମହେନ୍ଦ୍ର ପରିଡା, ଶ୍ରୀକାନ୍ତ ମହାନ୍ତି, ଅମିୟ ପାଣ୍ଡବ, ଦେବରଞ୍ଜନ, ନରେନ୍ଦ୍ର ମହାନ୍ତି,କଲ୍ୟାଣ ଆନନ୍ଦ, ସ୍ଵାତୀ ମିଶ୍ର, ଶ୍ରୀମନ୍ତ ମହାନ୍ତି, ରୁମିତା କୁଣ୍ଡୁ, ବଟକୃଷ୍ଣ ସ୍ଵାଇଁ, ମାନସ ପ୍ରଧାନ, ବଂଶିଧର ପରିଡା , ନିରଞ୍ଜନ ମହାନ୍ତି, ପାର୍ଥ ସାରଥି , ଡଃ ଶ୍ରୀଚରଣ ବେହେରା ପ୍ରମୁଖ ନେତୃତ୍ଵ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ