ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ସୁନାବେଶ

ବିପିନ ବିହାରୀ ମହାନ୍ତି

ଶ୍ରୀ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଚକ୍ର ଇତ୍ୟାଦି ଚତୁର୍ଦ୍ଧାମୂର୍ତ୍ତିମାନେ ପ୍ରକୃତରେ ପ୍ରତିମା ନୁହନ୍ତି । ଏମାନେ ଯଥାର୍ଥରେ ଗୋଟିଏ ଗୋଟିଏ ପ୍ରତୀକ । ଏମାନେ ହସ୍ତପଦ ଇତ୍ୟାଦି ଅବୟବ ରହିତବିଗ୍ରହ । ଏହି ବିଗ୍ରହମାନଙ୍କରେ ହସ୍ତପଦ ସଂଯୋଗକରି ଏବଂ ବିଭିିନ୍ନ ଆୟୁଧରେ ସଜାଇ ଭିନ୍ନଭିନ୍ନ ରୂପ ଦିଆଯାଏ । ଏମିତି ଏକ ବିଶେଷତ୍ୱ ଭାରତରେ ଅନ୍ୟତ୍ର ମନ୍ଦିର ବା ଠାକୁରମାନଙ୍କ ଠାରେ ପରିଲ୍ଲିଖିତ ହୁଏ ନାହିଁ ।
ଶ୍ରୀ ଜଗନ୍ନାଥଙ୍କୁ ସ୍ମାର୍ତ୍ତମତେ ପଞ୍ଚଦେବ ଉପାସନା ପଦ୍ଧତିରେ ପୂଜା କରାଯାଏ । ଏହି ପୂଜା ବା ଉପାସନାରେ ଦିନରାତି ୨୪ଘଣ୍ଟା, ସପ୍ତାହକ ୭ଦିନ ଏବଂ ମାସନେଇ, ବିଭିନ୍ନ ବସ୍ତ୍ର ଓ ଭୂଷଣାଦିଦ୍ୱାରା ସଜ୍ଜିତ କରାଯାଏ । ବର୍ଷର ବିଭିନ୍ନ ସମୟରେ ମୋଟ ଉପରେ ଚବିଶିପ୍ରକାର ବେଶର ବ୍ୟବସ୍ଥାକଥା ଅଛି । ଶାସ୍ତ୍ରମତେ :
ଚତୁବିଂଶତି ତତ୍ତ୍ୱ କଥା । ଚବିଶି ବେଶର ବ୍ୟବସ୍ଥା ।
କି ଦିବାନିଶି ତୁ ମଗନ, ଚବିଶି ବେଶରେ ମଉନ ।ା
ଏହି ବେଶ ବିନ୍ୟାସକୁ ପୁଣି ତିନିଭାଗରେ ବିଭକ୍ତ କରାଯାଇଛି । ଏହାକୁ ଶୃଙ୍ଗାରତ୍ରୟୀ ବୋଲି କୁହାଯାଇଛି । ଶୃଙ୍ଗାରର ଅପଭ୍ରଂଶରୂପ ସିଂଘାର ବୋଲି ଗ୍ରହଣ କରାଯାଇଛି । ଏହି ଶୃଙ୍ଗାରମାନେ ହେଲେ : ବସ୍ତ୍ର ଶୃଙ୍ଗାର, ଭୂଷଣ ଶୃଙ୍ଗାର ଏବଂ ପୁଷ୍ପ ଶୃଙ୍ଗାର । ବସ୍ତ୍ର ଶୃଙ୍ଗାରରେ ଦିନ ଓ ଠାକୁରଙ୍କ ରୂପନେଇ ବିଭିନ୍ନ ପ୍ରକାର ବସ୍ତ୍ରର ନିଯୋଗ, ଭୂଷଣରେ ପର୍ବ ଓ ସମୟ ନେଇ ମଣି, ମାଣିକ୍ୟ, ସୁନା ଓ ରୂପା ଇତ୍ୟାଦି ଅଳଙ୍କାର ଏବଂ ପୁଷ୍ପ ଶୃଙ୍ଗାରରେ ଯାହାକିଛି ଶୟନକାଳୀନ ଶାନ୍ତିପ୍ରଦ : ପୁଷ୍ପ, ଚନ୍ଦନ, ତୁଳସୀ, ଦୟଣା ଓ ଚିତା ଇତ୍ୟାଦିର ନିଯୋଗକୁ ବୁଝାଏ ।
ଶ୍ରୀଜୀଉମାନଙ୍କର ଶୃଙ୍ଗାର ନିମନ୍ତେ ଶ୍ରୀ ମନ୍ଦିରରେ ଅନେକ ବ୍ରାହ୍ମଣ ତଥା ଅବ୍ରାହ୍ମଣ ବଂଶାନୁକ୍ରମିକ ଧରି ସେବା ଯୋଗାଇ ଆସୁଛନ୍ତି । ଏମାନେ ବିଭିନ୍ନ ଶ୍ରେଣୀରେ ନାମିତ ଅଟନ୍ତି । ଯଥା : ବିଶ୍ୱକର୍ମା, ଚିତ୍ରକାର, ରୂପକାର, ଦତ୍ତଖଟଣି ନିଯୋଗ, ଦତ୍ତ ବିନିଯୋଗ, ପାଟୋରା ବିଷୋଇ, ରଙ୍ଗାପନାୟକ, ଭଣ୍ଡାର ମେକାପ, ଚଢ଼ଉ, ନିଯୋଗ, ରତ୍ନକମ ବିନ୍ଧାଣି, ଫୁଲଦାସୀ, ଚାଙ୍ଗଡ଼ା ମେକାପ, ପାଳିଆ ଖୁଣ୍ଟିଆ, ପତ୍ରିବଡ଼ ଖଟୁଆଣି, ମାଳଚଳା, ଦୟଣାମାଳି, ସିଂହାରି ବା ପୁଷ୍ପାଳ ।
ମହାପ୍ରଭୁଙ୍କର ଚବିଶିଟି ବେଶ ମଧ୍ୟରୁ ବର୍ଷକୁ ପାଞ୍ଚଥର ସୁନାବେଶ ହୁଏ । ଏହା ଯଥାକ୍ରମେ ବିଜୟୀ ଦଶମୀ, ପୌଷ ପୂର୍ଣ୍ଣମୀ, ଦୋଳପୂର୍ଣ୍ଣମୀ, କାର୍ତ୍ତିକ ପୂର୍ଣ୍ଣମୀ ଓ ଆଷାଢ଼ ଶୁକ୍ଲ ଏକାଦଶୀ ଦିନମାନଙ୍କର ଅନୁଷ୍ଠିତ ହୁଏ । ଏହି ସୁନାବେଶ ୧୨୩୨ଖ୍ରୀଷ୍ଟାବ୍ଦରୁ ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରଚଳିତ । ତେବେ ଏହି ସୁନାବେଶ ରତ୍ନବେଦୀ ଉପରେ ଚାରିଥର ଅନୁଷ୍ଠିତ ହେଲାବେଳେ ଆଷାଢ଼ ଶୁକ୍ଲ ଏକାଦଶୀରେ ସିଂହଦ୍ୱାର ସାମନା ରଥ ଉପର ସର୍ବସାଧାରଣଙ୍କ ଖୋଲା ଦର୍ଶନ ପାଇଁ ବର୍ଷକୁ ଥରଟିଏ ଅନୁଷ୍ଠିତ ହୁଏ । ଏ ବେଶକୁ ଜଗନ୍ନାଥଙ୍କର ରାଜା ରାଜେଶ୍ୱରୀ ବେଶ କୁହାଯାଏ । କାରଣ ଅନଙ୍ଗଭୀମଦେବ ତାଙ୍କୁ ଏହି ବେଶରେ ମଥାରେ ସୁନାମୁକୁଟ, ସୁନାର ଗୋଡ଼, ସୁନାର ହାତ ଓ ଅନ୍ୟାନ୍ୟ ସୁନାର ଭୂଷଣ ପିନ୍ଧାଇ ଉତ୍କଳ ସମ୍ରାଟ ତଥା ରାଷ୍ଟ୍ରଦେବତା ବୋଲି ଘୋଷଣା କରିଥିଲେ । ସେ ହିଁ ଓଡ଼ିଶା ଭୂଖଣ୍ଡର ପ୍ରକୃତ ଶାସକ । ଏଣୁ ଯଥାର୍ଥରେ ଏହାକୁ ଉପଲବ୍‌ଧ କରି ଗୋପବନ୍ଧୁ ଲେଖିଛନ୍ତି :
ଉତ୍କଳେ ନେତାର ନାହିଁ ପ୍ରୟୋଜନ
ଉତ୍କଳର ନେତା ସ୍ୱୟଂ ନାରାୟଣ ।ା
ଆଷାଢ଼ ଶୁକ୍ଲ ଏକାଦଶୀ ତଥା ସୁନାବେଶମାନଙ୍କରେ ତ୍ରିମୂର୍ତ୍ତିମାନଙ୍କର ସ୍ୱର୍ଣ୍ଣ ଭୂଷଣମାନଙ୍କ ସଂପର୍କରେ ଏଠାରେ ନିମ୍ନମତେ ସୂଚୀତ କରୁଅଛୁ ।
ଶ୍ରୀବଳଭଦ୍ର : ଶ୍ରୀପୟର. ଶ୍ରୀ ଭୁଜ,କିରୀଟ, ଓଡ଼ିଆଣୀ କୁଣ୍ଡଳ, ଚନ୍ଦ୍ର-ସୂର୍ଯ୍ୟ ଆଡ଼ିକାନି, ଘାଗଡ଼ାମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘନଖିମାଳି, ସେବତୀ ମାଳ ଓ ତିଖଣ୍ଡିକା କମର ପଟି ପ୍ରଭୃତି ଅଳଙ୍କାର ଲାଗିହୁଅନ୍ତି ।
ଶ୍ରୀ ସୁଭଦ୍ରା : କିରୀଟ ଓଡ଼ିଆଣିକାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ାମାଳି, ତଗଡ଼ି ଓ ସେବତୀମାଳି ଇତ୍ୟାତି ଲାଗିହୁଅନ୍ତି ।
ଶ୍ରୀ ଜଗନ୍ନାଥ : ଶ୍ରୀ ପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି ତିଳକ, ଚନ୍ଦ୍ରିକା, ଅଳକା, ଝୋବାବଣ୍ଠି, ସ୍ୱର୍ଣ୍ଣଚନ୍ଦ୍ର ଓ ରୌପଶଙ୍ଖ, ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମର ପଟି ପ୍ରଭୃତି ଅଳଙ୍କାର ଲାଗିହୁଅନ୍ତି ।
ତିନି ଠାକୁରଙ୍କର ଶ୍ରୀପୟର ଓ ଶ୍ରୀ ଭୁଜ ସୁନାରେ ତିଆରି ହୋଇ ଲଗାଯାଏ । ବାକିସବୁ ସ୍ୱର୍ଣ୍ଣାଳଙ୍କାର ଯଥା ସ୍ଥାନରେ ଅଳଙ୍କୃତ କରାଯାଏ । ଏ ସମସ୍ତ ଅଳଙ୍କାରରେ ଜିଉମାନେ ଅପରୂପ ସୌନ୍ଦର୍ଯ୍ୟର ଚମତକୃତ କରନ୍ତି । ଏ ଶୋଭାଅବର୍ଣ୍ଣନୀୟ ।
ଶୁଣାଯାଏ ବଡ଼ ଚଢାଉ ସେବାୟତଙ୍କ ଅନୁରୋଧକ୍ରମେ ରାଜା କପିଳେନ୍ଦ୍ରଦେବ ୧୩୮ ପ୍ରକାର ରତ୍ନଖଚିତ ସୁନାଅଳଙ୍କାର ନିର୍ମାଣକରି ଶ୍ରୀ ବିଗ୍ରହମାନଙ୍କୁ ରଥ ଉପରେ ବଡ଼ ଏକାଦଶୀ ଦିନ ସଜ୍ଜାଇ ଏହି ଚମତ୍‌କାର ମନ ମୁଗ୍ଧକର ବେଶ ପ୍ରଥମେ କରାଇଥିଲେ ଯଦିଓ ସୁନାବେଶ ଅନଙ୍ଗଭୀମଦେବଙ୍କ ସମୟରୁ ପ୍ରଚଳନ ଅଛି । ଏହି ସୁନାବେଶର ଆକର୍ଷଣ ଅତ୍ୟନ୍ତ ସୁଦୂର ପ୍ରସାରୀ ହେତୁ, ଏହିଦିନ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶ ଶ୍ରୀ ପୁରୁଷୋତ୍ତମରେ ହୋଇଥାଏ । ସୁନାବେଶର ଅନ୍ୟନାମ ବଡ଼ଚଢ଼ାଉ ବେଶ ବୋଲି ବିଦିତ ଅଛି :
ବିବିଧ ଚଢ଼ାଉଲାଗି ହୋଇବାମେ ବିରବର ଛୁରୀ
ନନ୍ଦିଘୋଷ ରହୁବରେ ଆରୋହଣ ଶ୍ରୀ ଭୁଜେ ଶଙ୍ଖଚକ୍ରଧରି ।ା
ଅଦ୍ଭୁତ ପ୍ରଭୁଙ୍କ ଲୀଳା । ସେ ରୂପ ପୁଣି ଅରୂପ । ସେ ଏକ ପୁଣି ଅନେକ, ସେ ପ୍ରତିମା ପୁଣି ପ୍ରତୀକ, ସେ କ୍ଷର ପୁଣି ଅକ୍ଷର, ସେ ବ୍ୟକ୍ତ, ପୁଣି ଅବ୍ୟକ୍ତ । ସେ ପୁଣି ସବୁରି ଉର୍ଦ୍ଧ୍ୱରେ ସବୁରି ନିୟମାଙ୍କ । ସେ ସର୍ବରୂପ; ସେ ସଗୁଣ ଓ ନିଗୁଣର ବିଚିତ୍ର ସମାହାର :
ଦେବ ଦେବ ଜଗନ୍ନାଥ ସର୍ବରୂପ ପରାୟଣମ୍ ।
ଏକ ନିର୍ଗୁଣ ଭଗବାନ ସଗୁଣେ ବହୁଧାସ୍ତଥା ।ା
ଆସନ୍ତୁ, ତାଙ୍କରି ସେ ଅପରୂପ ବେଶ ସଂଦର୍ଶନରେ ଆମର ଦେହ-ମନ-ନୟନକୁ କୃତାର୍ଥ ଓ ପବିତ୍ର କରିବା ।
‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଭବତୁମେ ।ା’

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ