ବାଧୁଛି ତେଲ ଦର

ବର୍ତ୍ତମାନ କେନ୍ଦ୍ରରେ ଏନ୍‌ଡିଏ ସରକାର ଶାସନରେ ତେଲ ଦରରେ ଦେଖା ଦେଇଥିବା ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ରାଜନୀତିକ ବିରୋଧୀ ଦଳମାନେ ମଧ୍ୟ ଏହି ତେଲ ଦର ତଥା ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ନେଇ ଚିନ୍ତା ବ୍ୟକ୍ତ କରିବା ସହିତ ରାଜରାସ୍ତାକୁ ଓହ୍ଲାଉଛନ୍ତି କିନ୍ତୁ ଏହାର କିଛି ବି ପ୍ରଭାବ ସରକାରଙ୍କ ଉପରେ ପଡୁନାହିଁ । ସରକାର ନିଜ ଜାଗାରେ ନିର୍ବିଘ୍ନରେ ଅଛନ୍ତି । ଅନ୍ୟପଟେ ଶାସକ ଦଳର ମନ୍ତ୍ରୀ ଏବଂ ବିରୋଧ ଦଳନେତାମାନଙ୍କ ମଧ୍ୟରେ ବାକ୍‌ ବିତଣ୍ଡା ଆରମ୍ଭ ହୋଇ ଯାଇଛି । ବିଭାଗୀୟ ଧର୍ମେନ୍ଦ୍ର ପ୍ରଧାନ ତୈଳ ଦର ବୃଦ୍ଧି ନେଇ ଆନ୍ତର୍ଜାତିକ କାରଣ ସବୁ ଦର୍ଶାଉଥିବା ବେଳେ, ଓପେକ୍‌ ରାଷ୍ଟ୍ରକୁ ତୈଳ ମୂଲ୍ୟ ହ ୍ରାସ କରିବା ଉପରେ ଚାପ ପ୍ରୟୋଗ କରାଯିବାର ଆଶ୍ୱାସନା ଦେଉଛନ୍ତି କିନ୍ତୁ ତୈଳ ଉପିାଦନକାରୀ ରାଷ୍ଟ୍ରଗୁଡ଼ିକ ଏହାର ପାଲଟା ଜବାବ୍‌ ଦେଇ ଭାରତ କରୋନା ଜନିତ ପ୍ରଥମ ଲକ୍‌ଡାଉନ୍‌ ସମୟରେ ଖୁବ୍‌ କମ୍‌ ମୂଲ୍ୟରେ କିଣି ଦେଶରେ ମହଜୁଦ୍‌ କରି ରଖିଥିବା ତୈଳକୁ କାହିଁକି କମ୍‌ ମୂଲ୍ୟରେ ଦେଶବାସୀଙ୍କୁ ଦେଉ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ କୋରନା ଜନିତ ଚିକିତ୍ସାରେ କେନ୍ଦ୍ର ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଥିବାରୁ ଏହାର ଭରଣା ପାଇଁ ତୈଳ ଦର ବୃଦ୍ଧି ଯଥାର୍ଥ ଥିବା ନେଇ ମଝିରେ ମଝିରେ କେନ୍ଦ୍ର ତୈଳମନ୍ତ୍ରୀ ମଧ୍ୟ ଯୁକ୍ତି ବାଢୁଛନ୍ତି କିନ୍ତୁ କରୋନାରେ ସଧାରଣ ତଥା ଗରିବ ଲୋକଙ୍କ ଅର୍ଥନୀତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ହାଣ୍ଡିଶାଳରେ ମହଙ୍ଗା ମାଡ଼ ସାଙ୍ଗକୁ ତୈଳଦର ବୃଦ୍ଧି ‘ବୋଝ ଉପରେ ନଳିତା ବିଡ଼ା’ ଭଳି ପରିସ୍ଥିତି ସୃଷ୍ଟି କରିଛି ।
ଏକଦା ୨୦୧୩-୧୪ ମସିହାରେ ଏହି ତୈଳ ଦରବୃଦ୍ଧିକୁ ନେଇ ବର୍ତ୍ତମାନର ଶାସକ ଦଳ ସେତେବେଳର ବିରୋଧ ଆସନରେ ବସି କ୍ଷମତାସୀନ କଂଗ୍ରେସ ଦଳକୁ ନାହିଁ ନଥିବା ବିରୋଧ ଓ ସମାଲୋଚନା କରିଥିଲା । ବିଡ଼ମ୍ବନାର କାରଣ ହେଉଛି, ଏବେ ସେହି ସରକାର ନିଜର ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଅତୀତରେ କଂଗ୍ରେସ ସରକାରରେ ଥିବା ବେଳେ କରିଥିବା କିଛି ଭୁଲ୍‌ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି କହି ଦୋଷ ଛଡ଼ାଇ ଦେବାର ପ୍ରୟାସ ହେଉଛି । ଦେଖିବାକୁ ଗଲେ ଆମ ଦେଶରେ ତୈଳଦରର ମୂଳ ଦର ଟିକସ ଠାରୁ ବି କମ୍‌ କିନ୍ତୁ ଟିକସର ପରିମାଣ ଏତେ ମାତ୍ରାରେ ବଢ଼ି ବଢ଼ି ଚାଲିବା ଦ୍ୱାରା ଆଜି ଦେଶର ସମସ୍ତ ରାଜ୍ୟରେ ତୈଳ ଦର ତିନି ଅଙ୍କକୁ ଅତିକ୍ରମ କରି ନିୟମିତ ଭାବରେ ବଢ଼ି ବଢ଼ି ଚାଲିଛି । ଗତ ୨ମାସର ବ୍ୟବଧାନ ମଧ୍ୟରେ ଥରେ କି ଦୁଇ ଥର ନୁହେଁ, ତୈଳ ଦର ମାତ୍ର ୩୩ ଥର ବଢ଼ିଛି । ଏଭଳି ପରିସ୍ଥିତିରେ ଖାଉଟୀ ମୁଦ୍ରାସ୍ପୀତି ମଧ୍ୟ ବଢ଼ି ଚାଲିଛି । ଖାଇବା ତେଲ, ରନ୍ଧନ ଗ୍ୟାସ ସାଙ୍ଗକୁ ତୈଳ ଦରର ଅହେତୁକ ମୂଲ୍ୟବୃଦ୍ଧି ପକେଟ୍‌କୁ ଖାଲି କରି ଦେଉଛି । ଅଥଚ ସରକାର କୌଣସି ମତେ ତେଲ ଦର କମାଇବା ସପକ୍ଷରେ ନାହାନ୍ତି । କହିବାକୁ ଗଲେ ଯିଏ ଯାହା ବାଟରେ । କହିବା ଲୋକ କିଏ, ଶୁଣିବା ଲୋକ କିଏ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ