କ୍ଷୁଦ୍ର ମାନବର କ୍ଷୁଧା

ମାୟାଧର ନାୟକ

ଲୋକବିଶ୍ୱାସରେ ଗଚ୍ଛିତ ଅଛି ନିହତ ଯୁଗର ନାନା ନୃତାତ୍ୱିକତା । ଅତି ପୁରାତନ ଭାବକଳ୍ପର ଭଗ୍ନାଂଶଗୁଡ଼ିକ ବେଳେବେଳେ ମନେହୁଏ କେଉଁ ବିସ୍ମୃତ, ବିଲୁପ୍ତ ବାସ୍ତବତାର ଭିତିଚିତ୍ର – ନ ହେଲେ କେଉଁ କାୟାତୀତ କ୍ଳୁପ୍ତକାଳର କଂକାଳ … ସେଥିପାଇଁ ପ୍ରାଚୀନ ରୂପକଥା ଓ ଲୋକକଥାରେ ପରିବେଷିତ ପରିବେଶ ଆମ ମନଶ୍ଚେତନାରେ ସୃଷ୍ଟି କରେ ରୋମାଂଚକର ରହସ୍ୟବୋଧ । ପୁରାଣର ‘ଗରୁଡ଼’ ଏକ ଗରିମାମୟ ପକ୍ଷୀକଳ୍ପ, ଯାହାର ଅତିକଳ୍ପନାକୁ ଅନୁସରଣ କରିବା ପରି, ଲୋକକଥାରେ ବର୍ଣ୍ଣିତ ଗଣ୍ଡଭୈରବ ପକ୍ଷୀ ବିରାଟ ଡେଣା ବିସ୍ତାର କରି ଘୋଡ଼ାଇଦିଏ ଆକାଶର ମେଘଖଣ୍ଡ ! ସେମିତି ପୌରାଣିକ ପକ୍ଷୀ ସଂପାତି – ଯିଏ ସୂର୍ଯ୍ୟକୁ ଆବୋରିବାକୁ ଯାଇ ପାଂଶୁଳ କରିଦେଇଚି ନିଜର ଦୁଇ ବିଶାଳ ପକ୍ଷ । ତା’ ସାନଭାଇ ଜଟାୟୁ – ପୁରାଣର ସୀତାପହର୍ତା ରାବଣ ସହିତ ଘମାଘୋଟ ଯୁଦ୍ଧ କରି, ଯିଏ ହରାଇଛି ନିଜ ବିସ୍ତାରିତ ଡେଣାଦୁଇଟି !
ଏମାନେ ପ୍ରକୃତରେ କାଳ୍ପନିକ ପକ୍ଷୀ ନା ପ୍ରାଗୈତିହାସିକ ପକ୍ଷୀସମାଜର ପୂର୍ବ ପ୍ରତିନିଧି – ଅତିକଳ୍ପନା ଓ ଅତିବାସ୍ତବତା ମଝିରେ ଏହା ଏକ ପ୍ରକାଣ୍ଡ ପ୍ରଶ୍ନବାଚୀ ଚିହ୍ନ ! ଯେମିତି ଡାଇନୋସର୍‌ମାନେ ଏକଦା ଏ ପୃଥିବୀରେ ଚଳପ୍ରଚଳ କରୁଥିଲେ, ସେମିତି ପ୍ରକାଣ୍ଡକାୟ ପକ୍ଷୀମାନେ କ’ଣ ଆକାଶରେ ସେଦିନ ଉଡୁଥିଲେ ଅବାଧ ଭାବରେ ? ଆକାଶ ! ସବୁଦିନେ ଏ ହତଚକିତ ମହୀମଣ୍ଡଳ ଆଗରେ ବିଶାଳ ବିସ୍ମୟବାଚୀ ! ଡାଇନୋସର୍‌ମାନଙ୍କ ପୃଥିବୀ ଉପରେ ହୁଏତ ସେଦିନ ବେଢ଼ିଥିବ ପ୍ରାଗୈତିହାସିକ ପକ୍ଷୀସମାଜର ସେ ଆଶ୍ଚର୍ଯ୍ୟଜନକ ଆକାଶ !
ହୁଏତ ବି ସେମିତି ବିଦ୍ୟମାନ ଥିବ ଅଦ୍ଭୁତକର୍ମା ଅତିକାୟ ଅସୁର ସାମ୍ରାଜ୍ୟ – ଦୁର୍ବାର ଦାନବର ଦୁର୍ଭେଦ୍ୟ ଦୁର୍ଗ । କୁହାଯାଏ, ଆକାଶ ହେଉଛି ଦିବ୍ୟ ଦେବାଧିଷ୍ଠାନ । ସେଥିପାଇଁ ଦେବାଧୀନ ଆକାଶ ସହିତ ଦାନବାଧିକୃତ ମର୍ତ୍ୟର ସେଇ ନିରବଚ୍ଛିନ୍ନ ସଂଘର୍ଷ ବଳବତର ରହିଥିଲା ବହୁକାଳ – ଯେଉଁ ମହାସଂଘର୍ଷର ସ୍ପର୍ଶ ଆମେ ଅନୁଭବ କରୁ ପୌରାଣିକ ପରିକଳ୍ପନାରୁ ଆରମ୍ଭ କରି ଲୌକିକ କଥିତ-କାହାଣୀର ପରିସୀମା ପର୍ଯ୍ୟନ୍ତ । ଅବଶେଷରେ ଘଟିଛି ମାନବର ମହାବିର୍ଭାବ । ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା – ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ । ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି ଅତଳ ପାତାଳରେ ! ତୁଷ୍ଟି ଓ ତୋଷାମଦିରେ ଦେବତାର ଅନ୍ତର ଜୟ କରି ମାନବ ଏହାପରେ ହାସଲ କରୁଛି ମର୍ତ୍ୟ । ଏପରିକି ଦାନବରାଜ ଦାନବୀର ବଳୀକୁ ପାତାଳ ପେଷିବା ପାଇଁ ଭଗବାନ ବିଷ୍ଣୁ ସ୍ୱୟଂ ବରଣ କରିଛନ୍ତି ବାମନାବତାର ! ଏ ‘ବାମନ’ – ଆକୃତିରେ ‘କ୍ଷୁଦ୍ରମାନବ’ – ପ୍ରକୃତିରେ ‘ନବମାନବ’ !
ଦେବଦେବୀ ରହିଗଲେ ସ୍ୱର୍ଗରେ, ଦାନବଦାନବୀ ପାତାଳରେ । ଦାନବାଧିକାରକୁ ଧ୍ୱସ୍ତ କରି ମାନବ ହାସଲ କଲା ମର୍ତ୍ୟର ମାଲିକାନା ।
ଏସବୁ ଯେତେ ପୌରାଣିକ କାହାଣୀର କଳ୍ପନା ନୁହେଁ, ମନେହୁଏ ସେତେ ବିସ୍ମୃତ ବାସ୍ତବତାର ବିଲୁପ୍ତ ବୃତାନ୍ତ ଯେପରି ! ଅତିକାୟତା ଅନ୍ତର୍ହିତ; କ୍ଷୁଦ୍ରତା ସର୍ବବ୍ୟାପ୍ତ ।

ଦେବ ଓ ଦାନବ ମ୍ମରେ ସନ୍ଧି କେବେ ସ୍ୱାକ୍ଷରିତ ହୋଇପାରିଲା ନାହିଁ ବୋଲି ମାନବ ଅର୍ଜିପାରିଲା ଅପରିମିତ ମୁନା‘ା । ଦାନବକୁ କ୍ଷୁଦ୍ରମାନବ ପାତାଳକୁ ପେଷିଦେବା ପରେ ଏବେ ମର୍ତ୍ୟରୁ ଚାହୁଁଚି ମହାକାଶକୁ । କ୍ଷୁଦ୍ରମାନବର କ୍ଷୁଧା ନିଜର କ୍ଷୁରଧାରରେ ସମଗ୍ର ସଂସାରରେ ସଂତ୍ରାସ ସଂଚାର କରିସାରିଛି କେବଠୁ ।
ଅତିକାୟ ଅସୁରର ଏତେବଡ଼ ଆଁ’ – ଯାହା ଭିତରେ ନିଅଣ୍ଟ ପଡୁଥିଲା ସାତଶଗଡ଼ଭର୍ତି ଖାଦ୍ୟସାମଗ୍ରୀର ସୁବିପୁଳ ସମ୍ଭାର, ସେ ଆଁ’ଠୁ ଆଜି ଅୟୁତନିୟୁତ ଗୁଣ ବଡ଼ ମୁନା‘ାଖୋର୍ ମଣିଷର ଆଁ’ !
କ୍ଷୁଦ୍ରମାନବର କ୍ଷୁଧା…
ସ୍ୱର୍ଗ-ମର୍ତ୍ୟ-ପାତାଳ – ସବୁକୁ ଚରି, ଚବ୍ୟ-ଚୋଷ୍ୟ-ଲେହ୍ୟ ଅନ୍ତେ, ଚଳୁ କରି ଦେଇପାରେ ଦିନେ । ସେଦିନ କ୍ଷୁଦ୍ରମାନବର ଇତିହାସ – ହୁଏତ ପାଲଟିଯାଇପାରେ ଭବିଷ୍ୟତର ଭସ୍ମଲିପି … ପାଉଁଶ ପୁରାଣ !
ଯଦି କେହି ମାଆ ଜାଗି ରହିଥାଏ ସେଦିନ ଯାଏଁ, ହୁଏତ ତା’ଠୁ ତା’ କୋଳପିଲାଟି ଶୁଣୁଥିବ କାନ୍ଦୁରା କାହାଣୀ … ଦିନେ ‘ମଣିଷ’ ଥିଲା ଏଇଠି – ଏଇ ମାୟାମଣ୍ଡଳରେ !
… ମାତ୍ର ନିଜର ଅତିକାୟ କ୍ଷୁଧାଗର୍ଭରେ ସେ କ୍ଷୁଦ୍ରମାନବ ନିଜେ ହିଁ ପାଲଟିଗଲା ଅସହାୟ ଅନ୍ତିମ ଆହାର !
ସେ ସାତଜଣ ।
ନିର୍ଜଳ ମରୁଭୂମିରେ ଖୋଜୁଥିଲେ ଏକ ଅନ୍ତଃସଲିଳାର ଅସ୍ତିତ୍ୱ । ନଦୀ, ଉପନଦୀ, ଶାଖାନଦୀ – ନଦୀମାନଙ୍କର ନାନାଦି ନକ୍‌ସା ତଲାସୁ ତଲାସୁ ସେମାନେ ଆବିଷ୍କାର କରିଥିଲେ ଏଇ ଅଦ୍ଭୁତ ଅନ୍ତଃସଲିଳାର ଅତୀତ ! ସେ ଅତୀତ ଥିଲା ସପ୍ତଶତୀ ସହସ୍ରାବ୍ଦ ପୂର୍ବର ଅପୂର୍ବ ଅତୀତ । ଏକଦା ପ୍ରବାହିତ ହେଉଥିଲା ପ୍ରଖର ସ୍ରୋତସ୍ୱତୀ, ଯାହାର ଦୁଇକୂଳେ ଅରଣ୍ୟାନୀ ଥିଲା ଅନନ୍ତ ଆକାଶର ଆଶୀର୍ବାଦପ୍ରାପ୍ତ । ସେତେବେଳେ ପ୍ରକୃତି ଥିଲା ପ୍ରସାରିତ – ବନୌଷଧିର ବାସ୍ନା ସମେତ ଅନେକ ଅନେକ ଅନାମିକା ‘ୁଲର ସୁଗନ୍ଧି କିନ୍ତୁ ରହିଆସିଥିଲା ଅନାଘ୍ରାତ । ଲକ୍ଷାଧିକ ବର୍ଷ । ଶେଷଆଡ଼କୁ ହଜାରହଜାର ବର୍ଷ ସେଇ ଲକ୍ଷଲକ୍ଷ ବର୍ଷ ଭିତରେ କେଉଁଠି କେଜାଣି ଦାନା ବାନ୍ଧିବାକୁ ଆରମ୍ଭ କରୁଥିଲା ଧୀରେଧୀରେ । ପ୍ରକୃତି କୋଳରେ ଆବିର୍ଭୂତ ହେବାକୁ ଆରମ୍ଭ କଲେ ନାନା ନୂତନ ଆକୃତି କାଳାନୁକ୍ରମେ ।
ଜଳରେ ମୀନ, ସ୍ଥଳରେ ମନୁଷ୍ୟ, ବ୍ୟୋମରେ ବିହଙ୍ଗମ – ସେଇ ଅନେକ ଆକୃତି ମ୍ମରୁ ଏ ତିନୋଟି ହେଉଛି ପ୍ରତିପାଦିତ ପ୍ରତୀକର ପ୍ରତିରୂପ । ପ୍ରଥମଟି ମଗ୍ନ – ଦ୍ୱିତୀୟଟି ନଗ୍ନ – ତୃତୀୟଟି ସଂଲଗ୍ନ । ଯିଏ ମଗ୍ନ, ସେ ମୃତିକାଭାଗରେ ମୃତପ୍ରାୟ । ଯିଏ ନଗ୍ନ, ସେ ପାତାଳଗଙ୍ଗାରୁ ପାରିଜାତ ଉଦ୍ୟାନ ପର୍ଯ୍ୟନ୍ତ ଉନ୍ମୁଖ । ଯିଏ ସଂଲଗ୍ନ, ସେ ମୃତିକା ସହିତ ମହାଶୂନ୍ୟତାର ସଂଯୋଗସ୍ଥଳରେ ସତତ ସଂଚରଣଶୀଳ । ପ୍ରତୀକତ୍ରୟ ଯଥାକ୍ରମେ ସଂତରଣ, ସଂଧାନ, ସଂଚରଣର ସୂଚକ । ମାତ୍ର ମ୍ମପ୍ରତୀକଟିର ସଂଧାନ ମ୍ମରୁ ସୃଜ୍ୟମାଣ ସଭ୍ୟତାର ସଜାଗ ସଂଚାର । ନଗ୍ନତା ଉପରେ ଏ ସଭ୍ୟତା ଅତଏବ ଏକ ଆଚ୍ଛାଦନ, ଯାହା ତଳେ ଲୁଚିରହିଗଲା ଆଦିମତା, ବର୍ବରତା, ବନ୍ୟତା ।
ସେ ପ୍ରଖର ସ୍ରୋତସ୍ୱତୀ କୂଳେକୂଳେ ମୀନାବତାର କଥା ଶୁଭୁଥିଲା ମୁନିମୁଖରୁ । ନଦୀ-ବନ-ଗିରି-ଆକାଶ ସର୍ବତ୍ର ଲୀଳା ପ୍ରକାଶକାରୀ ଏକ ଅଦୃଶ୍ୟ ସଂଚାର ବିଚିତ୍ର ବିଶ୍ୱାସ ବନ୍ୟମନୁଷ୍ୟକୁ କଲା ଧର୍ମଭୀରୁ । ଶିକାରୀ ମନୁଷ୍ୟ ପାଲଟିଲା କର୍ମପ୍ରବଣ କୃଷିକାର । କ୍ରମେ କୃଷ୍ଟିକୁ ସୃଷ୍ଟି କଲା ଏଇ କୃଷିକର୍ମ । ସଂସ୍କୃତିକୁ ଜନ୍ମ ଦେଲା ସଭ୍ୟତା । କଳ୍ପନାରୁ କଳା, କଳନାରୁ କାରିଗରି, ସଂଧିତ୍ସାରୁ ସର୍ବସାର ଜ୍ଞାନ, ସଂଶୟରୁ ଷଡ଼ଦର୍ଶନ, ବିସ୍ମୟରୁ ବେଦମନ୍ତ୍ର, ବିଷାଦରୁ ଯୋଗ, ବିଶ୍ଳେଷଣରୁ ବିଜ୍ଞାନ – ସଭ୍ୟତାର ସ୍ଥୂଳ ସ୍ତର ପରେ ସୂକ୍ଷ୍ମ ସ୍ତରସବୁ ଏସବୁ ।
ସେ ସୁନ୍ଦରୀ ସ୍ରୋତସ୍ୱତୀ ମନନଶୀଳ ମନୁଜ ମନୀଷୀମାନଙ୍କୁ ମନେହେଲା ଶୁଭ୍ରବସନା ସରସ୍ୱତୀ । ମାନବବିଦ୍ୟାର ମହାଦେବତୀ । ମନ୍ତ୍ର ଓ ତତ୍ୱର ଶୁଭ୍ର ସରସ୍ୱତୀ କ୍ରମେ କିନ୍ତୁ କାୟାନ୍ତରିତ ହୋଇ ତନ୍ତ୍ର ଓ ମହାସାଧନାରେ ଜନ୍ମାନ୍ତର ନେଲା ମୂର୍ତିମତୀ ନୀଳସରସ୍ୱତୀ ! ବିବର୍ତନର ବୈଚିତ୍ର‌୍ୟ ବେଳେବେଳେ ବିଭ୍ରାଟରେ ବିଡ଼ମ୍ବିତ – ବନଗମନରୁ ବିବର-ବରଣ ! ପ୍ରକୃତିରୁ ବିକୃତି ! ଶ୍ଳୋକରୁ ଶୋକ ! ବିପ୍ଳବରୁ ବିଭୀଷିକା ! ମନୁଷ୍ୟ ନିଜେ ଊର୍ଦ୍ଧ୍ୱାରୋହୀ ହେବାର ଅଦମ୍ୟ ଇଚ୍ଛାରେ ସ୍ୱକଳ୍ପିତ ଭଗବାନକୁ ସୁଦ୍ଧା କଲା ଅବରୋହୀ – ତେଣୁ ନିଜ ଅବତରଣ ପର୍ଯ୍ୟାୟରେ ଭଗବତ୍‌-ସଂଚାର ନାନା ଅବତାର – ମୀନରୁ ମହାବୁଦ୍ଧବ୍ୟାପୀ । ଏପରିକି ନିଜ ନିରନ୍ତର ମୃତ୍ୟୁଭୀତିବୋଧକୁ ସେଦିନ ମନୁଷ୍ୟ ତା’ର ସାମୂହିକ ଅବଚେତନଗତ ପ୍ରତିଶୋଧ-ପ୍ରବୃତି ବା ପିପାସା ଦ୍ୱାରା ପରିଚାଳିତ ହୋଇ ଶିଆଳୀଲଟାର ଜଙ୍ଗଲରେ ସେଇ ଅବତାରୀ ଈଶ୍ୱରର କୃଷ୍ଣାବତାରକୁ ଦେଲା ମର୍ମନ୍ତୁଦ ମୃତ୍ୟୁଦଣ୍ଡ – ଜରାଶବର ଚରିତ୍ରଟି ଚିତ୍ରଣ କରି ! କୃଷ୍ଣଙ୍କର ତୀରାଘାତରେ ଓ ଯୀଶୁଙ୍କର କଂଟକାଘାତରେ ନିଃଶବ୍ଦ ନିଧନ ହେଉଛି, ମନୁଷ୍ୟର ଈଶ୍ୱର ପ୍ରତି ହିଁ ପରୋକ୍ଷ ମୃତ୍ୟୁଦଣ୍ଡବିଧାନ !
ସେ ନଦୀ ସବୁ ଦେଖିଛି, ସବୁ । ମାଟି ତଳେ ସଭ୍ୟତା ହଜିଚି ଆଉ ଳୁଚିଯାଇଚି ସେ ନଦୀଟି ବି । ସେ ନଦୀ କ’ଣ ସରସ୍ୱତୀ ? ସେ ନଦୀ କ’ଣ – ସେଇ, ‘ଯେ ନଦୀ ମରୁପଥେ ହାରିଚି ଧାରା’… ସେ ନଦୀ କ’ଣ ମୃତସଭ୍ୟତାର ସେଇ ଅନୁଗାମିନୀ ମରୁଚାରିଣୀ ନା ଚୈତନ୍ୟର ଚିତାନଳରେ ସହଗାମିନୀ ସକରୁଣ ସତୀ-ସତା ?
ସେ ସାତଜଣ ।
ଖୋଜୁଥିଲେ ଖିଅ । କୁଆଡ଼େ ଦିଗ ହଜାଇଚି ସେ ଦୁଃଖିନୀ ନଦୀ ? ଗଂଗାରେ ଭଂଗାନାଆ, ଯମୁନାରେ ଯାଦବ ଯାମିନୀର ଯବନିକା …. କିଛି କ’ଣ ଦେଖିବାର ନ ଥିଲା ତା’ର ? କାନ୍ଦୁରୀ କୁଆଡ଼େ ଗଲା – ଶୂନ୍ୟରେ ସୁନାକଳସ ରଖିଦେଇ ? ଗଂଗା ଅଛି, ଯମୁନା ଅଛି, କୃଷ୍ଣା ଅଛି, କାବେରୀ ଅଛି, ନର୍ମଦା ଅଛି, ନିରଂଜନା ଅଛି, ସିପ୍ରା ଅଛି, ସରଯୂ ଅଛି, ଗୋମତୀ ଅଛି, ଗୋଦାବରୀ ଅଛି …… ଅଛି ମ୍ମ ଅଜସ୍ର ଅନାମ୍ନୀ ନଦୀର ଶୋକସଜଳ ଲୋକସ୍ମୃତି !
ସରସ୍ୱତୀ ? ସରସ୍ୱତୀ ? ସରସ୍ୱତୀ ?
ସେ ସାତଜଣ ମରୁଭୂମିରେ ପ୍ରଶ୍ନିଳ ପ୍ରଳାପ ସହ ସାଶ୍ରୁ ସଂବୋଧନ କରୁଥିଲେ ସେଇ ପଳାତକା ପୁଣ୍ୟତୋୟା ଉଦ୍ଦେଶ୍ୟରେ ।
ଅତଃପର ବ୍ରହ୍ମପୁତ୍ରରେ ପ୍ରଚୁର ବନ୍ୟା ଆସିଚି, ମହାନଦୀରେ ମୂର୍ତ ହୋଇଛି ମାଳମାଳ ମହାବର୍ତ – କ’ଣ ଯାଏ ଆସେ ସମୁଦ୍ରର ?
ସରସ୍ୱତୀ ପାଇଁ ସମୁଦ୍ର ତେଣୁ ଶୋକପ୍ରାର୍ଥନା କରେନା କେବେ, କାନ୍ଦେ କେବଳ ତୃଷାର୍ତ ମରୁପ୍ରାନ୍ତର !
ଯେଉଁଦିନ ମନୁଷ୍ୟ ତା’ ଚାରିପାଖର ଗଛବୃଚ୍ଛରେ ଡାଳ ଗଣିଲା, ତା’ପରଦିନଠୁ ସେ ହାଣିଲାଗିଲା ପ୍ରକୃତିର କାଠହାତ, କାଠପାଦ, ଗୋଟେ ପରେ ଗୋଟେ । ତା’ ଗୁପ୍ତ ଗଣିତର ଶିକାର ହେଲା ଦାରୁ, ଦେବତା, ଦିଗଦିଗନ୍ତ ! ଯେଉଁଦିନ ମନୁଷ୍ୟ ତା’ ଆଙ୍ଗୁଠି ଟେକି ‘ଏକ୍‌’ ଜାଣିଲା, ତା’ ପରଦିନଠୁ ସେ ଗଣିଚାଲିଲା ଅଣାକାର ‘ଈଶ୍ୱର ଏକ୍‌’ର ଦୁଇ ଡୋଳା, ତିନି ପାଦ, ଚାରି ହାତ, ପାଞ୍ଚ ମୁହଁ ଇତ୍ୟାଦି । ତା’ ଦୁର୍ବୋ୍ମ ଦୁନିଆଟା ଗୋଲ୍ ଆଉ ସେ ଗୋଲ୍ ଶୂନ୍ୟରୁ ଆରମ୍ଭ ହୋଇଥିବା ତା’ ଗୁନ୍ଦୁରା ଗଣିତର ଗୋଲକଧନ୍ଦାରେ ଘୂରିବୁଲିଲେ ଷଷ୍ଠସତୀ, ସପ୍ତମାତୃକା, ଅଷ୍ଟମଙ୍ଗଳା, ନବନାୟିକା, ଦଶ ମହାବିଦ୍ୟା !
ସବୁ କ’ଣ ଲକ୍ଷ୍ୟ କରିଥିଲା ସରସ୍ୱତୀ ସେଦିନ ?
ସେ ସାତଜଣ ଏ ପ୍ରଶ୍ନର ଉତର ନ ପାଇ ଅବଶେଷରେ ଉତପ୍ତ ମରୁବୁକୁରେ ବରିନେଲେ ବିସ୍ରସ୍ତ ବାଲୁକାଶଯ୍ୟା ।
ଏ ଚିତ୍ରଭୂମିରୁ ଚିରବିଦାୟ ନେଇ ସେମାନେ ଶେଷରେ ଆକାଶର ତାରା ପାଲଟିଲେ – ଆମଠୁ ଅସୁମାର ଆଲୋକବର୍ଷ ଦୂରରେ !
ସେମାନେ ସମାଧିସ୍ଥ ସପ୍ତଋଷି । ସଂପ୍ରତି ସପ୍ତର୍ଷି ।
ସେଇ ସାତତାରାର ଦେଶରୁ କେବେକେବେ କନକବିନ୍ଦୁ ପରି ଝରିଆସେ କରୁଣାର କଅଁଳ କାକର … ଆମ ଚାରିପଟେ ଘେରିଯାଏ କରୁଣ କୁହୁଡ଼ି !
ପରିସମାପ୍ତି ଘଟିଚି ପରିଣତ ପ୍ରଖର ପ୍ରଜ୍ଞାର । ଉଦୟରାଗର ଅଗଣିତ ଇସ୍ତାହାର ସତ୍ୱେ ହୃଦୟ ହରଣଚାଳ । ସେ ପ୍ରାକ୍ତନୀ ନଦୀ ନାହିଁ, ଅଛି ବରଂ ଅସରନ୍ତି ତୃଷ୍ଣାର ଅଭିଶାପ – ଏପରିକି ପୃଥିବୀର ସବୁ ନଦୀଜଳ ଯଦି ସମ୍ମିଳିତ ହୋଇ କେବେ ଦିନେ ପାଲଟିଯାଏ ବନ୍ୟାପ୍ରମତ୍ତ ପୟୋଧି, ତଥାପି ଏ ସଭ୍ୟତାର ପୋଷାକ ତଳେ ପ୍ରଚ୍ଛନ୍ନ ବନ୍ୟମନୁଷ୍ୟର ଜଘନ୍ୟ ତୃଷ୍ଣା ପ୍ରଶମିତ ହେବାର ପ୍ରଶ୍ନ ଉଠୁନାହିଁ ମୋଟେ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ