ସ୍ୱପ୍ନଦର୍ଶୀ ଏପିଜେଏ କଲାମ

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ଭାରତରତ୍ନ ଏପିଜେ ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ରେ ରାମେଶ୍ୱରମ୍ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଅବୁଲ୍ ଫକୀର୍ ଜୈନୁଲ୍‌ବିଦ୍ଦିନ୍ ଅବଦୁଲ କଲାମ । ତାଙ୍କ ପିତାଙ୍କ ନାମ ଜଇନୁଲାବଦିନ ଓ ମାତାଙ୍କ ନାମ ଥିଲା ଆଶି ଆମ୍ମା । ତାଙ୍କ ପିତା ଥିଲେ ଡଙ୍ଗା ଚାଳକ । ତାଙ୍କର ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେ ପୁତ୍ରକୁ କୌଣସି ଭଲ ବିଦ୍ୟାଳୟ ବା ମହାବିଦ୍ୟାଳୟରେ ପଢ଼ାଇପାରିନଥିଲେ । ଏଇଥିପାଇଁ କାଲାମ ପ୍ରତିଦିନ ପାଠପଢ଼ା ପରେ ହକର ସାଜି ଖବର କାଗଜ ବିକି ବାପାଙ୍କ ପାଇଁ କିଛି ଆର୍ôଥକ ସହଯୋଗ କରୁଥିଲେ । ଆରମ୍ଭରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ସେ ସେଂଟ ଯୋଶେଫ କଲେଜ ଏବଂ ମାଡ୍ରାସ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ତାପରେ ସେ ଜଣେ ବିଜ୍ଞାନୀ ଭାବେ ଦକ୍ଷତା ହାସଲ କରି ପରେ ମହାକାଶ ବିଜ୍ଞାନୀ ଭାବେ ପାରଙ୍ଗମତା ଲାଭ କଲେ । ସେ ଉଚ୍ଚାରଣ ଏବଂ ଆଚରଣରେ ଠିକ୍ ଥିଲେ । ସେ ସ୍ୱପ୍ନ ଦେଖୁଥିଲେ ଏବଂ ସ୍ୱପ୍ନକୁ ସାକାର କରିଥିଲେ । ତାଙ୍କ ମତରେ ‘ତୁମେ ଯଦି ସୂର୍ଯ୍ୟଙ୍କ ପରି ଜଳିବାକୁ ଚାହୁଁଛ, ଆଗ ନିଜ ଜଳ । ଲକ୍ଷ୍ୟରେ ପହଂଚିବା ପାଇଁ ଦୃଢ଼ନିଷ୍ପତି, କଠିନ ପରିଶ୍ରମ, କଠିନ ଅଧ୍ୟବସାୟ ସହ ଜୀବନରେ ପ୍ରତିଶ୍ରୁତିବଦ୍ଧତା ଦରକାର । ତାହାହେଲେ କାହା ପାଇଁ ଅସମ୍ଭବ ବି ସମ୍ଭବ ହୋଇପାରେ । ନାମ ହେଉଛନ୍ତି ଭାରତୀୟ କ୍ଷେପଣାସ୍ତ୍ରର ଜନକ । ତାଙ୍କ ଯୋଗୁଁ ଭାରତର ମହାକାଶ ଗବେଷଣା ଉନ୍ନୟନ ଏବଂ କ୍ଷେପଣାସ୍ତ୍ର ନିର୍ମାଣ କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି ହେଲା ଏବଂ ଭାରତ ଏ ଦିଗରେ ବିଶ୍ୱର ଶକ୍ତିଶାଳୀ ପଂଚରାଷ୍ଟ୍ର ସମକକ୍ଷ ହୋଇପାରିଲା । ଯେ ଯେଉଁ କ୍ଷେପଣାସ୍ତ୍ରର ପରିକଳ୍ପନା କରିଥିଲେ ତାହାର ସଫଳ ରୂପାୟନ ହେଉଛି ‘ଅଗ୍ନି’, ‘ପୃଥିବୀ’, ‘ଆକାଶ’, ‘ତ୍ରିଶୂଳ’ ଓ ‘ନାଗ’ । ସେ ଥିଲେ କ୍ଷେପଣାସ୍ତ୍ର ମାନବ ବା ମିଜାଇଲ୍ ମ୍ୟାନ୍ । ବିଫଳତାରୁ ସଫଳତା ଲାଭ କରିଥିବା ମଣିଷ ହେଉଛନ୍ତି କଲାମ । ତାହାହିଁ ତାଙ୍କୁ ଆଜି ସୌଭାଗ୍ୟର ଶୀର୍ଷସୀମାରେ ପହଂଚାଇ ପାରିଛି ଏବଂ ତାହାରି ବଳରେ ବିଶ୍ୱରେ ଭାରତକୁ ସେ ପରମାଣୁ ଶକ୍ତିରାଷ୍ଟ୍ର ଭାବରେ ପ୍ରତିପାଦନ କରିପାରିଛନ୍ତି ।
ତାଙ୍କରି କୃତିତ୍ୱ ଏବଂ କାର୍ଯ୍ୟାବଳୀ ଯୋଗୁଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ସେଗୁଡ଼ିକ ହେଲା ୧୯୮୧ରେ ଭାରତ ସରକାରଙ୍କର ‘ପଦ୍ମଭୂଷଣ’, ୧୯୯୦ରେ ଭାରତ ସରକାରଙ୍କର ‘ପଦ୍ମ ବିଭୂଷଣ’, ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟସ୍‌ଙ୍କର ‘ଡିଷ୍ଟିିଙ୍ଗ୍‌ୱିସ୍ ଫେଲୋ ପୁରସ୍କାର ୧୯୯୪, ୧୯୯୭ରେ ଭାରତ ସରକାରଙ୍କ ‘ଭାରତରତ୍ନ’, ୧୯୯୭ରେ ‘ଇନ୍ଦିରା ଗାନ୍ଧି ଆୱାର୍ଡ ଫର୍ ନ୍ୟାସ୍‌ନାଲ ଇଂଟିଗ୍ରେସନ’ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ, ୧୯୯୮ରେ ‘ବୀର ସଭରକର ଆୱାର୍ଡ’ ଭାରତ ସରକାର, ଆୱାର ରିସର୍ଚ୍ଚ ସେଂଟର ତରଫରୁ ‘ରାମାନୁଜ ଆୱାର୍ଡ ୨୦୦୦’, ୨୦୦୭ରେ ଓଭର ହାମ୍ପଟନ୍ ବିଶ୍ୱବିଦ୍ୟାଳୟ ବ୍ରିଟେନ୍ ତରଫରୁ ‘ଡକ୍ଟରେଟ୍ ଅଫ୍ ସାଇନ୍ସ’ ପୁରସ୍କାର, ରୋୟାଲ ସୋସାଇଟି ବ୍ରିଟେନ୍ ତରଫରୁ ୨୦୦୭ରେ ‘କିଙ୍ଗ ଚାର୍ଲସ ସମ୍ମାନ’ ଏବଂ କ୍ୟାଂଟ୍‌ଜୀ ବିଶ୍ୱବିଦ୍ୟାଳୟ ତରଫରୁ ‘ଡକ୍ଟରେଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି ସମ୍ମାନ ୨୦୦୭, ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟି, ସିଙ୍ଗାପୁର ତରଫରୁ ‘ଡକ୍ଟରେଟ୍ ଅଫ୍ ଇଂଜିନିୟରିଂ୨୦୦୮’, କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆମେରିକା ତରଫରୁ ‘ଇଂଟର ନ୍ୟାସନାଲ ବନ କର୍ମନ ଉଇଙ୍ଗ୍‌ସ ପୁରସ୍କାର ୨୦୦୯’, ଏଏସ୍‌ଏମ୍‌ଇ ପ୍ରତିଷ୍ଠାନ, ଆମେରିକା ତରଫରୁ ‘ହୁଭର ମେଡଲ ୨୦୦୯’, ‘ଡକ୍ଟରେଟ୍ ଉପାଧି, ୨୦୦୯’ ଓକଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ, ‘ଡକ୍ଟର ଅଫ୍ ଇଂଜିନିୟରିଂ ପୁରସ୍କାର ୨୦୧୦’ ୱାଟରଲୁ ବିଶ୍ୱବିଦ୍ୟାଳୟ, ‘ଆଇଇଇରେ ସଭ୍ୟପଦ ୨୦୧୧’, ‘ଡକ୍ଟର ଅଫ୍ ଲ’ ଉପାଧି’ ୨୦୧୨’ ସିମନ୍ ଫ୍ରାଜର ବିଶ୍ୱବିଦ୍ୟାଳୟ, ‘ଡକ୍ଟର ଅଫ୍ ସାଇନ୍ସ ଉପାଧି ୨୦୧୪’ ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟ, ବ୍ରିଟେନ୍ ।
ଡ.କଲାମ ଖାଲି ଜଣେ ବିଜ୍ଞାନୀ ନୁହଁନ୍ତି, ସେ ଜଣେ ବିଶିଷ୍ଟ ସାହିତ୍ୟିକ । ତାଙ୍କର ଲୋକପ୍ରିୟ ପୁସ୍ତକ ହେଲା ‘ୱିଙ୍ଗ୍‌ସ ଅଫ୍ ଫାୟାର’, ‘ଇଣ୍ଡିଆ ୨୦୨୦’ ଓ ‘ଇଉନାଇଟେଡ୍ ମାଇଣ୍ଡ’ । ଅନ୍ୟାନ୍ୟ ବହି ଭିତରେ ଅଛି ‘ଡେଭଲପ୍‌ମେଂଟସ୍ ଇନ୍ ଫ୍ଲିଉଡ୍ ମେକାନିକସ୍ ଆଣ୍ଡ ସ୍ପେସ୍ ଟେକ୍ନୋଲୋଜି ୧୯୮୮, ଇଣ୍ଡିଆନ୍ ଏକାଡେମୀ ଅଫ୍ ସାଇନ୍ସ ୧୯୮୮, ଇଣ୍ଡିଆ ୨୦୨୦ (୧୯୯୮), ଉଇଙ୍ଗ୍‌ସ ଅଫ୍ ଫାୟାର୍ସ – ୧୯୯୯, ଇଉନାଇଟେଡ୍ ମାଇଣ୍ଡସ୍‌-୨୦୦୨, ଦି ଲୁମିନିୟସ୍ ସ୍ପାର୍କସ-୨୦୦୪, ମିଶନ ଇଣ୍ଡିଆ-୨୦୦୫, ଇନ୍‌ସ୍ପାୟାରିଂ ଥଟ୍‌-୨୦୦୭, ଇଣ୍ଡୋମିଟେବଲ ସ୍ପିରିଟ୍‌, ଏନ୍‌ଭିଜନିଂ ଆନ୍ ଇମ୍ପାୱାର୍ଡ ନେସନ୍‌, ୟୁ ଆର୍ ବର୍ଣ୍ଣି ଟୁ ବ୍ଲୁସମ୍ ୨୦୧୧, ଟାରଗେଟ୍ ଥ୍ରୀ ବ୍ରିଲିୟାନ୨୦୧୧, ଟର୍ଣ୍ଣିଂ ପଏଂଟ-୨୦୧୨, ମାଇଁ ଜର୍ଣ୍ଣି-୨୦୧୩, ଏ ମେନିଫେଷ୍ଟା ଫର୍ ଚେଂଜ ୨୦୧୪, ଫର୍ଜ ଇୟର ଫ୍ୟୁଚର-୨୦୧୪, ରିଇ ଗ୍ନାଇଟେଡ୍‌-୨୦୧୫, ଟ୍ରାନ୍ୱେ ଡେନ୍ୱ ମାଇ ସ୍ପିରିଟୁଆଲ୍ ଏକ୍ସପେରିଏନ୍ସ ଉଇଥ୍ ସ୍ୱାମୀଜୀ-୨୦୧୫ । ମଣିଷ ହିସାବରେ ସେ ଅତ୍ୟନ୍ତ ସରଳ, ଅମାୟିକ, ନିରହଂକାରୀ, ଶ୍ରଦ୍ଧାଳୁ ବ୍ୟକ୍ତିତ୍ୱ ଥିଲେ । ସେ ଜଣେ ନିର୍ଦ୍ଦଳୀୟ ସର୍ବଜନ ଆଦରଣୀୟ ବ୍ୟକ୍ତିତ୍ୱ ଯେଉଁଥିପାଇଁ ସେ ସବୁ ଦଳର ସମ୍ମତିକ୍ରମେ ରାଜନୀତି ଊର୍ଦ୍ଧ୍ୱରେ ଥାଇ ୨୦୦୨ ମସିହାରେ ଭାରତର ଲୋକପ୍ରିୟ ରାଷ୍ଟ୍ରପତି ବା ପିପୁଲ୍‌ସ ପ୍ରେସିଡେଂଟ ହୋଇପାରିଥିଲେ । ସେ ଅତ୍ୟନ୍ତ ଶିଶୁ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ପାଠ ପଢ଼ାଇବା ମାଧ୍ୟମରେ ସେ ଅଭିଜ୍ଞତାକୁ ବାଂଟିବା ପାଇଁ ବେଶ୍ ଭଲ ପାଉଥିଲେ । ସେଥିପାଇଁ ରାଷ୍ଟ୍ରପତି ଥିବା ବେଳେ ଏବଂ ତାପରେ ବି ନିଜର ପରିଚୟ ଅକ୍ଷୁର୍ଣ୍ଣ ରଖିଛନ୍ତି । ଆଇଆଇଏମ୍ ଅହମ୍ମଦାବାଦ, ଇନ୍ଦୋରରେ ଅତିଥି ପ୍ରଫେସର ଭାବେ ସେ ମଧ୍ୟ ଶିକ୍ଷକତା କରିଛନ୍ତି । ଏହାଛଡ଼ା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ଇଂଜିନିୟରିଂ ଆଣ୍ଡ ରିସର୍ଚ୍ଚରେ ସେ କୁଳାଧିପତି ଥିଲେ ଏବଂ ଆନ୍ନା ୟୁନିଭରସିଟିରେ ଏରୋସ୍ପେସ୍ ଇଂଜିନିୟରିଂ ପ୍ରଫେସର ଭାବେ କାମ କରିଛନ୍ତି ରାଷ୍ଟ୍ରପତି ଦାୟିତ୍ୱରୁ ଅବସର ପରେ । ଓଡ଼ିଶା ସହିତ ତାଙ୍କର ସଂପର୍କ ଖୁବ୍ ନିବିଡ଼ । ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଂଟରିମ୍ ଟେଷ୍ଟରେଞ୍ଜର ପ୍ରଧାନ ସ୍ଥପତି ଥିଲେ ସିଏ । ଏହି ଠାରୁ ତାଙ୍କ ତତ୍ୱାବଧାନରେ ୧୯୮୯ ମେ ୨ ତାରିଖରେ ଅଗ୍ନି-୧ ପରେ ଏପ୍ରିଲ ୧୧ ୧୯୯୯ରେ ଅଗ୍ନି-୨ ପରୀକ୍ଷଣ ହୋଇଥିଲା । ଏମିତି ଆହୁରି ବି କେତେ । ଚାନ୍ଦିପୁର ଓ ହ୍ୱିଲର ଦ୍ୱୀପକୁ ‘ଥିଏଟର ଅଫ୍ ଆକ୍ସନ’ ନାମରେ ନାମିତ କରିଛନ୍ତି ସିଏ । କାରଣ ଏହିଠାରୁ କ୍ଷେପଣାସ୍ତ୍ର ମାନ ପରୀକ୍ଷା ନିରୀକ୍ଷା ହୁଏ । ଜୀବନର ଶେଷ ମୁହୂର୍ତରେ ସେ ଓଡ଼ିଶା ଭ୍ରମଣରେ ଆସି ରାଉରକେଲା ଏବଂ ଆଉ କିଛି ସ୍ଥାନରେ ବୁଲି ‘ଛାତ୍ରମାନଙ୍କୁ ସ୍ୱପ୍ନ ଦେଖ ଓ ତାକୁ ବାସ୍ତବ କର’ ଉପରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଓ ପରାମର୍ଶ ଦେଇଛନ୍ତି । ସେ କହିଥିଲେ ନିଜ କାମ ନିଜେ କର, ସବୁ ମୁହୂର୍ତ ଶୁଭବେଳା । ସେ ଖୁବ୍ ଭଲ ପାଉଥିଲେ ସଙ୍ଗୀତ ଓ ବୀଣାର ଝଂକୃତ ପୂର୍ଣ୍ଣିମା ରାତିରେ ସାହାନାଇ । କହୁଥିଲେ : ଖା ପିତା, ପଢ଼ ଗୀତା ।
ସେ ନିଜ ପଦମର୍ଯ୍ୟାଦା ପ୍ରତି ବହୁତ ଧ୍ୟାନ ଦେଉଥିଲେ । ସେଥିରେ ଜଣେ ମହାଦାନୀ, ସବୁ ଅର୍ଥ ସେ ଦାନ କରିଦେଇଥିଲେ କାହାରି ହିତାର୍ଥେ । ଏମିତି କି ରାଷ୍ଟ୍ରପତି ଥିବା ବେଳେ ତାଙ୍କ ଦରମା । ସ୍ୱପ୍ନ ଥିଲା – ଭାରତ ବିକଶିତ ହେଉ ଏବଂ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରୁ । ଏପରି ଜଣେ ବ୍ୟକ୍ତିତ୍ୱଙ୍କର ମେଘାଳୟ ଶିଲଂ ରେ ଏକ ବକ୍ତୃତା ଦେବା ବେଳେ ମୃତ୍ୟୁ ହୁଏ ୨୭ ଜୁଲାଇ ୨୦୧୫ରେ । ପ୍ରଣାମ କାଲାମ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ :
ବିପିନବିହାରୀ ପାଠାଗାର, ଜଟଣୀ, ଖୋର୍ଦ୍ଧା
ମୋ-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ