କ୍ୟାବିନେଟ୍ ନିଷ୍ପତି କାର୍ଯ୍ୟାନ୍ୱୟନ ସମୀକ୍ଷା: ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ନିମନ୍ତେ ସମନ୍ୱିତ ପ୍ରକଳ୍ପ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

– ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ରୂପରେଖ କମିଟି ଗଠନ
– ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣର କ୍ଷେତ୍ରସ୍ତରୀୟ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
– ଆକର୍ଷଣୀୟ ହେବ ଗୋପବନ୍ଧୁଙ୍କ ଜନ୍ମପୀଠ

ଭୁବନେଶ୍ୱର,   ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଐତିହ କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ନିଷ୍ପତି ଗୁଡ଼ିକର କାର୍ଯ୍ୟାନ୍ୱୟନ ବିଷୟ ସମୀକ୍ଷା କରିଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭର୍ଚୁଆଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆର୍ଥକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ସମୀକ୍ଷା ପରେ ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି ଓ ପ୍ରସାର ନିମନ୍ତେ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସବ୍‌-କମିଟି ଗଠନ କରାଯାଇଥିଲା । ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ନିମନ୍ତେ ଗୁଣାତ୍ମକ ପୁସ୍ତକ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ନୂଆ ଯୁବ ପିଢ଼ୀଙ୍କୁ ଓଡ଼ିଆ ଭାଷା ଆଡ଼କୁ ଆକର୍ଷଣ ଆଦି ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା ।ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କରି ଏହାକୁ ଏକ ପର୍ଯ୍ୟଟକ ଆକର୍ଷଣ ସ୍ଥାନରେ ପରିଣତ କରିବା ଉପରେ ମୁଖ୍ୟ ଶାନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ଜଣାଇଥିଲେ ଯେ ସୁଆଣ୍ଡୋଠାରେ ଉତ୍କଳମଣିଙ୍କ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ସେଠାରେ ଥିବା ପୁରୁଣା ମନ୍ଦିରର ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଇତି ମଧ୍ୟରେ ଜାତୀୟ ରାଜପଥରୁ ସୁଆଣ୍ଡୋ ଗ୍ରମକୁ ୫କି.ମି. ଲମ୍ବ ପ୍ରଶସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ ସରିଛି । ଗୋପବନ୍ଧୁଙ୍କ ପୈତୃକ ବାସଭବନର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଛି । ଜନ୍ମପୀଠରେ ଥିବା ବଡ଼ ପୋଖରୀର ପୁନର୍ବିନ୍ୟାଶ କାମ ପ୍ରାୟ ସରିଛି । ଏହି ପୋଖରୀରେ ନୌକା ବିହାର ବ୍ୟବସ୍ଥା ସହ ଜନ୍ମପୀଠରେ ପରିକ୍ରମା ରାସ୍ତା, ବସିବା ସ୍ଥାନ, ଓଡ଼ିଆ ସଂସ୍କୃତି ସମ୍ପନ୍ନ କାର୍ଯ୍ୟକ୍ରମ ଏବଂ ଓଡ଼ିଆ ଖାଦ୍ୟ ନିମନ୍ତେ ରେସ୍ତୋରାଁ ଆଦି ସ୍ଥାପନ ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସ୍ଥାପନ ନିମନ୍ତେ ପ୍ରଶାସନିକ ଓ ଆର୍ôଥକ ଅନୁମୋଦନ ଏବଂ ଟେଣ୍ଡରିଂ ପ୍ରକ୍ରିୟା ଆଦି ଶେଷକରି ତିନି ମାସ ମଧ୍ୟରେ କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।ଭୁବନେଶ୍ୱରର କଳାମଣ୍ଡପ ବା ଏକାମ୍ର ହାଟ ପରି ସ୍ଥାନରେ ନିୟମିତଭାବେ ଆକର୍ଷଣୀୟ ଓଡ଼ିଶା ନୃତ୍ୟ ଓ ସଂଗୀତ ଆୟୋଜନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଟୁର-ଅପରେଟର ଏବଂ ପର୍ଯ୍ୟଟକ ରହୁଥିବା ହୋଟେଲ୍ ମାନଙ୍କୁ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯେପରିକି ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ ଏବଂ ପରିଦର୍ଶକ ମାନେ ଏହି କାର୍ଯ୍ୟକ୍ରମ ଦେଖି ପାରିବେ । ଜନସାଧାରଣଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ପୁରୀରେ ଶ୍ରୀ ମନ୍ଦିର ଏବଂ ମନ୍ଦିର ପାଖାପାଖି ଐତିହ୍ୟପୂର୍ଣ୍ଣ ସ୍ଥାନମାନଙ୍କୁ ସଂଯୋଜିତ କରି ଏକ ପ୍ରାତଃ ଐତିହ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଐତିହ୍ୟ କ୍ୟାବିନେଟର ନିଷ୍ପତି ଅନୁସାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବର୍ତମାନ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରୁଛି । ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ମୋଟ ୧୦ଟି ପୁସ୍ତକ ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଏବଂ ୨୧ ଅନ୍ୟଭାଷାର ପୁସ୍ତକକୁ ଓଡ଼ିଆ ଭାଷାକୁ ଅନୁବାଦ କରାଯାଇଛି ।
ନିର୍ଦ୍ଦେଶକ ଶ୍ରୀ ଦାଶ ଜଣାଇଥିଲେ ଯେ ଚଳିତ ବର୍ଷ ଶେଷସୁଦ୍ଧା ପ୍ରାୟ ୧୦,୦୦୦ ଅଂଶ ଗ୍ରହଶ କାରୀଙ୍କୁ ସାମିଲ କରି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ନିମନ୍ତେ ପଦକ୍ଷେପ ନିଆଯାଉଛି । ସାହିତ୍ୟ ଏକାଡେମୀ ଏହି କାର୍ଯ୍ୟର ସଂଯୋଜନା କରିବେ । କରୋନା ମହାମାରୀ ପରିପ୍ରେକ୍ଷୀରେ ଏହି ସମ୍ମିଳନୀକୁ ଭର୍ଚୁଆଲ୍ ମୋଡ୍ରେ ଆୟୋଜନ କରାଯିବ । ବିଭିନ୍ନ ଦେଶରେ କାର୍ଯ୍ୟକରୁଥିବା ଓଡ଼ିଆ ସଂଘ ଏବଂ ସୋସାଇଟି ମାନଙ୍କର ଯୋଗାଯୋଗ ଠିକଣା ଠାବ କରି ସମସ୍ତଙ୍କୁ ଏଥିରେ ସାମିଲ୍ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟରେ ଥିବା ଜିଲ୍ଲାପାଠାଗାର ଗୁଡ଼ିକୁ ସ୍ମାର୍ଟ ପାଠାଗାରରେ ପରିଣତ କରିବା ନିମନ୍ତେ ସେସବୁରେ ବ୍ରୋଡ୍‌-ବ୍ୟାଣ୍ଡ୍ ଇଂଟରନେଟ୍ ସଂଯୋଗ ଏବଂ ଅଧିକ ଟର୍ମିନାଲ୍ ଓ କଂପ୍ୟୁଟର ଆଦିର ବ୍ୟବସ୍ଥା କରିବା ନିମନ୍ତେ ବୈଠକରେ ନିଷ୍ପତି ହୋଇଥିଲା । ପ୍ରତି ଜିଲ୍ଲା ସ୍ମାର୍ଟ୍ ପାଠାଗାରକୁ ଓଡ଼ିଆ ଭର୍ଚୁଆଲ ଏକାଡମୀର ଲାଇବ୍ରେରୀ ସହ ସଂଯୁକ୍ତ କରାଯିବ । ଭର୍ଚୁଆଲ୍ ଏକାଡମୀରେ ଅନେକ ପୁସ୍ତକ ଡିଜିଟାଇଜଡ୍‌୍ କରାଯାଇଛି । ଜିଲ୍ଲାପାଠାଗାର ମାନଙ୍କରେ ବେଶି ଚାହିଦାଥିବା ପୁସ୍ତକ ଓ ପତ୍ରପତ୍ରିକା ଆଦିର ତାଲିକା କରି ସେଗୁଡ଼ିକୁ ଭର୍ଚୁଆଲ୍ ଏକାଡେମୀ ମାଧ୍ୟମରେ ଉପଲବ୍ଧ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।ବୈଠକରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପୁସ୍ତକ ମେଳାର ଆୟୋଜନ, ପ୍ରବାସୀ ଓଡ଼ିଆଙ୍କ ପାଇଁ ଭର୍ଚୁଆଲ୍ ଏକାଡେମୀ ମାଧ୍ୟମରେ ସହଜ ଓଡ଼ିଆ ଶିକ୍ଷା ପ୍ରାରମ୍ଭିକ ପ୍ରସ୍ତୁତି, ସରକାରୀ କାର୍ଯ୍ୟାଳୟକୁ ଆସିଥିବା ଓଡ଼ିଆ ଭାଷା ଚିଠି ପତ୍ରର ଓଡ଼ିଆ ଭାଷାରେ ଉତର, ସମସ୍ତ ସରକାରୀ ଉତ୍ସବକୁ ଓଡ଼ିଆ ଭାଷାରେ ପରିଚାଳନା, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁର ଏବଂ ସାତଲହଡ଼ି ମଠ ଠାରେ ରାଜ୍ୟ ସ୍ତରୀୟ ସମାରୋହ ପାଳନ, ଭାଗବତଟୁଙ୍ଗୀ ମାନଙ୍କର କାର୍ଯ୍ୟକାରିତା ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଏହି ସବୁ କାର୍ଯ୍ୟକ୍ରମର ନିୟମିତ ଅନୁଧ୍ୟାନ ଓ ସମୀକ୍ଷା ସହ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ଓ ପ୍ରସାର ନିମନ୍ତେ ବିଭିନ୍ନ ବିଭାଗ ମାନେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ