ସାମ୍ବାଦିକଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ସାଇବର ଆଟାକ

(ଯୁଗାବ୍ଦ ନ୍ୟୁଜ) : ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ଆକାଉଣ୍ଟ ବି ହୋଇପାରେ ହ୍ୟାକ । କିଛି ହ୍ୟାକର ନିଜର ସ୍ୱାର୍ଥ ପୂରଣ ପାଇଁ ବିଭିନ୍ନ ସାମାଜିକ କର୍ମୀ ଓ ସାମ୍ବାଦିକ ମାନଙ୍କର ସୋସିଆଲ ଆକାଉଣ୍ଟକୁ ସାଇବର ଆଟାକ କରିଛନ୍ତି । ଇସ୍ରାଏଲର ପେଗାସୁସ ନାମକ ଏକ ହ୍ୟାକରଗ୍ରୁପ ଭାରତର ସାମ୍ବାଦିକ, ଏକାଡେମିକ୍ସ, ଓକିଲ ଓ ଦଳିତଙ୍କ ପାଇଁ ଲଢ଼େଇ କରୁଥିବା ସାମାଜିକ କର୍ମୀଙ୍କ ହ୍ୱାଟସ୍‌ଆପକୁ ହ୍ୟାକ କରି ଅନେକ ବ୍ୟକ୍ତିଗତ ତଥ୍ୟ ନେଇ ଯାଇଥିବା ସୁଚନାମିଳିଛି । ଏହି ଖବର ପ୍ରଚାର ହେବା ପରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ସରକାର ଏହି ଘଟଣା ଉପରେ ସୋଶାଲ ମେସେଜିଂ ଆପ୍ ହ୍ୱାଟସଆପ୍‌କୁ କାରଣ ଦର୍ଶାଇବା ପାଇଁ ନୋଟିସ୍ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ସାଇବର ସିକ୍ୟୁରିଟି ଗ୍ରୁପ୍ ଏନଏସ୍‌ଓ ହିଁ ପ୍ରଥମେ ସ୍ପାଏୱେର ପେଗାସୁସ୍‌ର ବାହାର କରିଥିଲା। ସାଇଗର ଗୁଇନ୍ଦାଗିରି କରିବାକୁ ଏନ୍‌ଏସ୍‌ଓ ଏଭଳି ବ୍ୟବସ୍ଥା ଆପଣାଇଥିବା କୁହାଯାଇଛି। ତେବେ ଏନଏସ୍‌ଓ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏନଏସ୍‌ଓ କହିଛି ଯେ ଆମ କମ୍ପାନୀ କେବେ ହେଲେ ମାନବାଧିକାର ପାଇଁ ଲଢ଼େଇ କରୁଥିବା କର୍ମୀ ଓ ସାମ୍ବାଦିକମାନଙ୍କ ବିରୋଧରେ କାର‌୍ୟ୍ୟ କରିବା ପାଇଁ କୌଣସି ଡିଜାଇନ୍ ପ୍ରସ୍ତୁତ କରିନାହିଁ କିମ୍ବା ଏଥିପାଇଁ ଲାଇସେନ୍ସ ମଧ୍ୟ ହାସଲ କରିନାହିଁ । ହ୍ୟାକ୍ ସମ୍ପର୍କରେ ହ୍ୱାଟସ୍‌ଆପ୍ ସ୍ୱୀକାର କରିଛି। ହେଲେ କେଉଁ ନମ୍ବରଗୁଡ଼ିକୁ ହ୍ୟାକ କରାଯାଇଛି, ସେ ସମ୍ପର୍କରେ ହ୍ୱାଟସ୍‌ଆପ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଇସ୍ରାଏଲର ଏହି ସାଇବର ସିକ୍ୟୁରିଟି ସଂସ୍ଥା ବିରୋଧରେ ପ୍ରଥମେ ହ୍ୱାଟସ୍ଆପର ପ୍ୟାରେଣ୍ଟସ୍ କମ୍ପାନୀ ଫେସବୁକ ଆମେରିକାର ଫେଡରାଲ କୋର୍ଟରେ ମାମଲା ଦାଏର କରିଥିଲା । ଇସ୍ରାଏଲରେ ଥିବା କମ୍ପାନୀ ପେଗାସୁସ ଜରିଆରେ ବିଶ୍ୱର ପ୍ରାୟ ୧୪୦୦ ଜଣଙ୍କ ହ୍ୱାଟସ୍‌ଆପକୁ ହ୍ୟାକ କରିଥିବା ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଥିସହ ଇସ୍ରାଏଲ କମ୍ପାନୀକୁ କ୍ଷତିପୂରଣ ବାବଦରେ ୭୫ ହଜାର ଡଲାର ଦେବାକୁ ମାମଲା ଦାଏର କରିଥିଲା। ଏହି ଅଭିଯୋଗ ପରେ ଭାରତରେ ମଧ୍ୟ ପେଗାସୁସ୍ କିଛି ଲୋକଙ୍କ ହ୍ୱାଟସ୍‌ଆପ୍ ହ୍ୟାକ କରିଥିବା ଖବର ସାମ୍ନାକୁ ଆସିଛି । ପେଗାସୁସ୍ ଯେଉଁ ସ୍ମାର୍ଟ ଫୋନଗୁଡ଼ିକରେ ଆଇଓଏସ୍‌, ଆଣ୍ଡ୍ରଏଡ୍ ଓ ବ୍ଲାକବେରୀ ଅପରେଟିଂ ବ୍ୟବସ୍ଥା ଥିବ ସେଗୁଡ଼ିକୁ ହିଁ ହ୍ୟାକ କରିବାରେ ଲାଗିଛି। ଏହି ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ମୋଦି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମୋଦି ସରକାର ଦେଶବାସୀଙ୍କ ବ୍ୟକ୍ତିଗତ ସ୍ୱାଧୀନତାରେ ହସ୍ତକ୍ଷେପ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ