ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ

ବାଲେଶ୍ୱର (ସରୋଜ ପଣ୍ଡା): ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ବାଲେଶ୍ୱର ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପରେଡ୍ ପଡିଆଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଯୋଗ ଦେଇ ସକାଳ ଘ୯.୧୫ମି. ସମୟରେ ଜାତୀୟ ପତାକା ଉତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ମୁକ୍ତି ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜିର ଦିନକୁ ଆତ୍ମସମୀକ୍ଷାର ଦିନ ବୋଲି କହିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଅବଦାନ ଉପରେ ଆଲୋକପାତ କରି ପବିତ୍ର ଭୂମି ଇଂଚୁଡି ଓ ଇରମରେ ନିରସ୍ତ୍ର ଜନତାଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ । ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଓ ସ୍ୱତନ୍ତ୍ର ଭାଷାଭିତିକ ଓଡିଶା ପ୍ରଦେଶ ଗଠନ ପାଇଁ କାଳଜୟୀ ସାହିତ୍ୟିକ ଫକୀରମୋହନ ସେନାପତିଙ୍କ ସାଲିସବିହୀନ ସଂଗ୍ରାମ ଆମକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ବେଳେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାରେ ନୀଳଗିରି ଉପଖଣ୍ଡ ସମଗ୍ର ଭାରତବର୍ଷକୁ ଦିଗଦର୍ଶନ ଦେଇଥିବା ସେ ମତବ୍ୟକ୍ତ କରିଥିଲେ । ବାଲେଶ୍ୱର ଜିଲ୍ଲା ଅନେକ ସ୍ମୃତି ଓ କୀର୍ତିକୁ ବହନ କରି ନିଜକୁ ଧନ୍ୟ କରିଛି । ଏ ମାଟିର ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାମ ଉଲ୍ଲେଖ କରି ସେମାନଙ୍କ ଅବଦାନକୁ ଏ ଜାତି ସବୁଦିନ ମନେ ରଖିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ । ସମ୍ପ୍ରତି ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଭଳି ଭାବରେ କରୋନାର ମୁକାବିଲା କଲା, ତାହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ବାହାର ରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ଓଡିଶା ହଜାର ହଜାର ରୋଗୀଙ୍କର ଜୀବନ ବଂଚାଇବା ପାଇଁ ସମର୍ଥ ହୋଇପାରିଛି । ରାଜ୍ୟର ୧.୭କୋଟି ଲୋକଙ୍କୁ ସଫଳତାର ସହ କୋଭିଡ୍ ଟିକା ଦିଆଯାଇପାରିଛି । ରାଜ୍ୟର ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଂଟ୍ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । କୋଭିଡ୍ ମହାମାରୀ ଦ୍ୱିତୀୟ ଲହର ସମୟରେ ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ, ମିଶନ ଶକ୍ତି ସଦସ୍ୟା, ଦୋକାନୀ ଆଦି ବିଭିନ୍ନ ବର୍ଗର ଲୋକଙ୍କର ସାମାଜିକ, ଅର୍ଥନୈତିକ କ୍ଷତିର ଭରଣା ପାଇଁ ୨ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବର୍ତମାନ ସୁଦ୍ଧା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ବାତ୍ୟା ୟାସର ସଫଳ ମୁକାବିଲା କରାଯାଇପାରିଥିବା ବେଳେ ବିପର୍ଯ୍ୟୟ ମୁକାବିଲା ପାଇଁ ଆମ ରାଜ୍ୟକୁ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସା ମିଳିଛି ଏବଂ ଓଡିଶାକୁ ଏକ ମଡେଲ ରାଜ୍ୟ ଭାବେ ସ୍ୱୀକୃତି ମିଳିଥିବା ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ଦାଶ ବକ୍ତବ୍ୟ ରଖିଥିଲେ । ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ପରିବାରବର୍ଗଙ୍କ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାର ସାମିଲ କରି ସେମାନଙ୍କ ପାଠ ପଢିବାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ଭିତିଭୂମିର ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ୧୧ହଜାର ୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ୍ ସମୟରେ ସହରାଂଚଳ ଗରୀବ ଲୋକମାନଙ୍କୁ କର୍ମଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା)କୁ କାର୍ଯ୍ୟକାରୀ କରାଯାଇଛି । କ୍ରୀଡା ଭିତିଭୂମିର ବିକାଶ ପାଇଁ ୬୯୩କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୮୯ଟି ସହରାଂଚଳରେ ନିର୍ମାଣ ହେବାକୁ ଯାଉଛି ଇଣ୍ଡୋର ଷ୍ଟାଡିୟମ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ଭାରତୀୟ ହକି ଟିମ୍ ଆଜି ସଫଳତା ଲାଭ କରିପାରିଛି । ଆମ ଦେଶ ଏକ ଜନମଙ୍ଗଳକାରୀ ରାଷ୍ଟ୍ର ହୋଇଥିବା ବେଳେ ଜନତାଙ୍କ ସେବା ହେଉଛି ସରକାରଙ୍କ ପ୍ରାଥମିକତା ବୋଲି ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । ଆମ ପୂର୍ବସୂରୀମାନେ ସ୍ୱାଧୀନତା ଆଣି ସେମାନଙ୍କ କର୍ତବ୍ୟ କରିଛନ୍ତି । ବର୍ତମାନ ଏହାର ସୁରକ୍ଷା ଓ ସମୃଦ୍ଧି ଆମର ନୈତିକ ଦାୟିତ୍ୱ । ଭାରତର ସାର୍ବଭୌମତ୍ୱକୁ ଅକ୍ଷୂଣ୍ଣ ରଖିବା ସଙ୍ଗେ ସଙ୍ଗେ ଦେଶକୁ ତଥା ଆମ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ମାନ୍ୟବର ମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ଆମେ ଯେଉଁଭଳି ଐକ୍ୟବଦ୍ଧ ଭାବେ ଲଢିଥିଲେ କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ସେଭଳି ଲଢେଇର ଆବଶ୍ୟକତା ରହିଥିବା ସେ କହିଥିଲେ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । କରୋନା ମହାମାରୀ କଟକଣା ପାଇଁ ପୋଲିସର ଦୁଇଟି କଂଟିଜେଂଟଙ୍କ ସମେତ ପୋଲିସ ବ୍ୟାଣ୍ଡ ଏହି ଉତ୍ସବରେ ଯୋଗ ଦେଇଥିଲେ । କଟକଣା ଯୋଗୁଁ ସ୍ୱାଧୀନତା ଦିବସ ପରେଡ ହୋଇନଥିଲା । ରିଜର୍ଭ ଇନସପେକ୍ଟର ଶ୍ରୀ ଦିଲ୍ଲୀପ ସାମନ୍ତରାୟ ରାଷ୍ଟ୍ରୀୟ ସାଲ୍ୟୁଟ୍‌ର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ରାଜୀବ କୁମାର ମାରାଣ୍ଡି । ଏହି ଜିଲ୍ଲାସ୍ତରୀୟ ସମାରୋହକୁ ୨୦ଜଣ କୋଭିଡ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ମାନ୍ୟବର ମନ୍ତ୍ରୀ ପରେଡ୍ ପଡିଆରେ ଯୋଦ୍ଧାମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟ ଓ ଧୈର୍ଯ୍ୟକୁ ପ୍ରଶଂସା କରିଥିଲେ । ଶେଷରେ ମାନ୍ୟବର ମନ୍ତ୍ରୀ ପରେଡ ପଡିଆରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭବେଶ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରୋବେସନର ଶ୍ରୀ କୁନାଲ ଚୌହାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ୱାଧୀନତା ଦିବସ ସମାରୋହରେ କୋଭିଡ ନିୟମାବଳୀ ଓ କଟକଣାର ଅନୁପାଳନ ସହ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସ୍ୱାଧୀନତା ଦିବସ ଅବସରରେ ରୋଗୀ କଲ୍ୟାଣ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଂଟନ କରାଯାଇଥିଲା । ଅନୁରୂପ ଭାବେ ଲାୟନ୍ସ କ୍ଲବ, ବାଲେଶ୍ୱର ପକ୍ଷରୁ ଜିଲ୍ଲା କାରାଗାରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ବାଲେଶ୍ୱର ପୌରପାଳିକା ତରଫରୁ ଉତ୍କଳ ବାଳାଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ପୌରାଂଚଳରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଶ୍ରୀ ପୁରୁଷୋତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତିକ ଚନ୍ଦ୍ର ବେହେରା, ମାଳତୀ କିସ୍କୁ, ସୁଚିସ୍ମିତା ପରିଡା ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ