ଜନନୀ ବିକାଶର ଏକ ନଗ୍ନ ଚିତ୍ର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଜନନୀ ବିକାଶର ଆଉ ଏକ ନଗ୍ନ ଚିତ୍ର । ରାସ୍ତା ଖରାପ ଯୋଗୁଁ ଠିକଣା ଜାଗାରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଅଧାରାସ୍ତାରେ ଜନ୍ମ ଦେଲେ ଶିଶୁ କନ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗି ଗାଁର ଘଟିଛି ଏପରି ଘଟଣା ।ଖବର ଅନୁଯାୟୀ, ଲଦାଙ୍ଗି ଗ୍ରାମର ମୃତ୍ୟୁଞ୍ଜୟ ପ୍ରଧାନଙ୍କ ପତ୍ନୀ ବନିତା ପ୍ରଧାନଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏଥିଲାଗି ମୃତ୍ୟୁଞ୍ଜୟ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଏହାପରେ ଆମ୍ବୁଲାନ୍ସ ବନିତାଙ୍କୁ ଆଣିବା ପାଇଁ ଲଦାଙ୍ଗି ଅଭିମୁଖେ ବାହାରିଥିଲା । କିନ୍ତୁ ଲଦାଙ୍ଗି ଗାଁଠାରୁ ୨ କିମି ଦୂର ବଡ଼ାଙ୍ଗପିପିଲି ଠାରୁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା । ଗାଁକୁ ସଂଯୋଗ କରୁଥିବା ରାସ୍ତା କାଦୁଅ ଏବଂ ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ଗାଡି ଆଡକୁ ବଢିପାରିନଥିଲା । ଶେଷରେ ଆମ୍ବୁଲାନ୍ସ ଚାଳକ ଶିବରାମ ବଳିଆର ସିଂ ଗାଡ଼ିରୁ ଓହ୍ଲାଇଥିଲେ । ସ୍ୱାମୀ ମୃତ୍ୟୁଞ୍ଜୟ ଓ ଅନ୍ୟ କିଛି ଗାଁର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରେ ବୋହି ଆଣିଥିଲେ । ଷ୍ଟ୍ରେଚରରେ ବୋହି ଆଣିବା ସମୟରେ ବନିତା ଯନ୍ତ୍ରଣାରେ ଛଟପଟ ହୋଇ ଅଧାବାଟରେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ l ପ୍ରସବ ପରେ ଉଭୟ ମାଆ ଓ ଝିଅଙ୍କୁ ପୁଣି ଥରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇଥିଲା । ଏହାପରେ ଉଭୟଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ମା ଓ ଶିଶୁ କନ୍ୟା ଉଭୟେ ସୁସ୍ଥ ଥିବା ଜଣାପଡିଛି l