ବେନିୟମ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ 5 ଗିରଫ

ଭଞ୍ଜନଗର (ସନ୍ତୋଷ କୁମାର ଜେନା ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ଗତ ମଙ୍ଗଳବାର ଦିନ ୨ଟି ଦେଶୀ ହାତ ତିଆରି ବନ୍ଧୁକ, ୪ଟି ଜୀବନ୍ତ ଗୁଳି ଜବତ କରିବା ସହ ୩ ଯୁବକଙ୍କୁ ଗିରଫ କରିଥିଲା । ସେମାନେ ହେଲେ ଭଞ୍ଜନଗର ଏନଏସି ରୋଡ଼ର ଡ଼ି. ମୁନା ରାଓ ଏବଂ ଲାଲସିଂ ଗ୍ରାମର ତୋଫାନ ଭୂୟାଁ ଓ ଚିନୁ ପାତ୍ର। ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସୂଚନା ପ୍ରକାରେ ଏକ ପୂର୍ବ ୱାରେଣ୍ଟି ଧରିବାକୁ ପୁଲିସ ମୁନା ରାଓଙ୍କୁ ଘରେ ଚଢ଼ାଉ କରିବା ବେଳେ ତା ନିକଟରୁ ଦେଶୀ ବନ୍ଧୁକ ଓ ଗୁଳି ମିଳିଥିଲା। ତାକୁ ପଚରାଉଚରା କରିବା ପରେ ଲାଲସିଂ ଗ୍ରାମର ତୋଫାନ ଭୂୟାଁ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ପରେ ପୁଲିସ ସେଠାରେ ମଧ୍ୟ ଚଢ଼ାଉ କରି ଅଭିଯୁକ୍ତ ତୋଫାନ ଭୂୟାଁଙ୍କୁ ମଧ୍ୟ ଧରି ନେଇଥିଲେ। ଆଉ ଏ ଦୁହିଁଙ୍କୁ ସହଯୋଗ ଯୋଗାଉଥିବା ଅଭିଯୋଗରେ ଚିନୁ ପାତ୍ରକୁ ମଧ୍ୟ ଗିରଫ କରାଯାଇ ସମସ୍ତ ୩ ଅଭିଯୁକ୍ଟକୁ ଭଞ୍ଜନଗର ଥାନା କେସ ନମ୍ବର – ୪୨୯/୨୫ ପ୍ରକାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଅର୍ଥାତ ବୁଧବାର ଦିନ ଏଥିରେ ଆଉ ଦୁଇଜଣ ଯୋଡ଼ି ହୋଇଛନ୍ତି। ବୁଧବାର ଭଞ୍ଜନଗର ପୋଲିସ ନୟାଗଡ଼ ଜିଲା ଶରଣକୁଳର ସାଲୁ ନାଇକଏବଂ ଭଞ୍ଜନଗର ଲଂଡେଇସାହି ର ସୁର୍ଯ୍ୟ ପ୍ରଧାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଏବଂ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଏଥିସହ ଗୋଟିଏ ସ୍କୁଟି ଗାଡି ମଧ୍ୟ ଜବତ କରାଯାଇଛି। ବେନିୟମ ଭାବେ ବନ୍ଧୁକ ଆହୁରି କିଛି ଲୋକ ରଖିଛନ୍ତି। ପୋଲିସ ସେମାନଙ୍କ ଉପରେ ନଜର ରଖିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପୋଲିସ ଗିରଫ ପାଇଁ ଜାଲ ବିଛାଇଛି ବୋଲି ଥାନା ଅଧିକାରୀ ଜେନା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ