ଧସିଲା ୫କୋଟିର ପଥର ବନ୍ଧ: ଗ୍ରାମବାସୀଙ୍କ ପାଇଁ ବିପଦ ସାଜିଲା ଲୁଣାନଦୀ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବର୍ଷେ ନପୁରୁଣୁ ୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଲୁଣାନଦୀର ପଥର ପ୍ୟାକିଂ ଭୂଷୁଡି ପଡିଛି। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। କାରଣ ପଥର ପ୍ୟାକିଂ ଧସି ପଡିଥିବାରୁ ନଦୀବନ୍ଧ ରାସ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି। ନଦୀବନ୍ଧ ରାସ୍ତା ଦୁର୍ବଳ ହୋଇ ଧସିଯିବାର ଆଶଙ୍କା ଦେଖାଦେଇଛି। ନଦୀବନ୍ଧ ଭୁଷୁଡି ଗଲେ ଯାତାୟତ ବାଧାପ୍ରାପ୍ତ ହେବ। ହଜାର ହଜାର ଲୋକ ଏହି ନଦୀ ବନ୍ଧ ଉପରେ ନିର୍ଭରଶୀଳ। ଏହି ନଦୀବନ୍ଧ ଦେଇ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଓ ଗରଦପୁର ବ୍ଲକର ହଜାର ହଜାର ଲୋକ ପ୍ରତିଦିନ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା କରିଥାନ୍ତି। ପିଲାମାନେ ପାଠପଢିବା ପାଇଁ କଲେଜକୁ ଆସୁଥିବା ବେଳେ ସରକାରୀ ଚାକିରୀଆମାନେ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଆସିଥାନ୍ତି। ସେହିପରି ଚାଷୀମାନେ ବିଭିନ୍ନ ପନିପରିବା ବିକ୍ରୀ କରିବା ପାଇଁ କେନ୍ଦ୍ରାପଡା ସହରକୁ ଆସିଥାନ୍ତି। ଏହି ରାସ୍ତାଟି ହଜାର ହଜାର ଲୋକଙ୍କ ଜୀବନରେଖା। ଯଦି ଏହି ରାସ୍ତା ନଦୀବନ୍ଧ ଦୁର୍ବଳ ଯୋଗୁଁ ଧସିଯାଏ ତାହାହେଲେ ଲୋକମାନେ ପାଟକୁରା ଦେଇ ଯିବାଆସିବା କରିବେ। ଫଳରେ ଅତିରିକ୍ତ ୧୦କିଲୋମିଟର ଦୂର ଅଯଥା ଅତିକ୍ରମ କରିବାକୁ ପଡିବ। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେବ। ତେଣୁ ଯେଉଁ ଠିକାଦାର ଏଭଳି ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥକୁ ତୋଷରପାତ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲାର ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି। କୃଷକନେତା ଗୟାଧର ଧଳ କହିଛନ୍ତି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବାଲିକୁଦା ଠାରୁ ବଛରାଇ ପର୍ଯ୍ୟନ୍ତ ଲୁଣା ନଦୀର କଡେ କଡେ ନଦୀ ବନ୍ଧକୁ ସୁରକ୍ଷା ପ୍ରଦାନ କରିବାକୁ କିଛିମାସ ତଳେ ୫କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଥର ବନ୍ଧ ସହିତ ସ୍ପର ପ୍ୟାକିଂ କରାଯାଇଥିଲା। ହେଲେ କାର୍ଯ୍ୟ ଶେଷ ହେବାର ମାତ୍ର ଏକ ବର୍ଷ ନପୁରୁଣୁ ସେହି ବନ୍ଧର ବିଭିନ୍ନ ସ୍ଥାନରେ ପଥର ପ୍ୟାକିଂ ଧସିଯାଇଛି। ଠିକାଦାର ନିମ୍ନମାନର କାମକରି କୋଟି କୋଟି ଟଙ୍କା ହରିଲୁଟ କରିବା ପାଇଁ ଏଭଳି ଯୋଜନା କରିଛନ୍ତି। ଏଥିରେ କିଛି ସରକାରୀ ଅଧିକାରୀ ଓ ରାଜନେତାଙ୍କ ହାତଥିବା ଅନୁସନ୍ଧାନରୁ ଜଣାପଡିଛି। କାରଣ ସରକାରୀ ଅଧିକାରୀ ଓ ରାଜନେତାଙ୍କୁ ସନ୍ତୁଷ୍ଟ ନକଲେ ଠିକାଦାର ଏଭଳି ନିମ୍ନମାନର କାମକରି ସରକାରୀ ଅର୍ଥକୁ ହରିଲୁଟ କରିବେ ନାହିଁ। ତେଣୁ ଜନତାଙ୍କ ଟିକସ ଅର୍ଥକୁ ବାଟମାରଣା କରୁଥିବା ଠିକାଦାର, ଅଧିକାରୀ ଓ ରାଜନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ୫କୋଟି ଟଙ୍କା କେଉଁ ବାଟରେ ବିନିଯୋଗ କରାଯାଇଛି ତାହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଆଇନିଜୀବୀ ରମଣୀରଞ୍ଜନ ରାଉତରାୟ କହିଛନ୍ତି ଏହି ନଦୀବନ୍ଧ ଦୁର୍ବଳ ହେଲେ ଜିଲ୍ଲାର ଅର୍ଥନୀତି ଉପରେ ପ୍ରଭାବ ପଡିବ। କାରଣ ହଜାର ହଜାର ଲୋକ ପ୍ରତିଦିନ ଯିବାଆସିବା କରୁଥିବାରୁ ପରିବହନ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହି ନଦୀବନ୍ଧ ନିର୍ମାଣ କାର୍ଯ୍ୟର ତଦନ୍ତ କରନ୍ତୁ। ଯାହାଫଳରେ ଜନତାଙ୍କ ଝାଳବୁହା ଟିକସ ଅର୍ଥ ଜନତାଙ୍କ ସ୍ୱାର୍ଥରେ ବ୍ୟବହାର ହୋଇପାରିବ। ଏହାସହ ଜିଲ୍ଲାର ବିକାଶରେ ଏହି ଅର୍ଥ ସହାୟକ ହୋଇପାରିବ। କିନ୍ତୁ ସେପରି କରାନଗଲେ ଜନତାଙ୍କ ଟିକସ ଅର୍ଥ ବାଟମାରଣା ହେବା କେବଳ ସାର ହେବ। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ମନୋରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ କାମରମାନ ଯାଞ୍ଚ କରାଯିବା ସହ ଆବଶ୍ୟକ ପଡିଲେ ଠିକାଦାରଙ୍କ ବିଲକୁ ବନ୍ଦ କରାଯିବ।


