ବାଟ ହୁଡୁଛି ୫ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ : ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-୦୬/୦୪:-ଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୫ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେଉନାହିଁ। ଅର୍ଥ ବାଟ ମାରଣା ହେଉଥିବା ଯୋଗୁଁ ବିଦ୍ୟାଳୟର ଚେହେରା ବଦଳୁନାହିଁ। ଏହି ପରି ଦୃଷ୍ଟାନ୍ତ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଆଳସାହି ପଂଚାୟତ ଆର୍ତ୍ତତ୍ରାଣ ବିଦ୍ୟାପୀଠ ବରାଙ୍ଗ -ଅନନ୍ତା ବିଦ୍ୟାଳୟ କ୍ଷେତ୍ରରେ ଦେଖିବାକୁ ମିଳିଛି। ପୂର୍ବ ସରକାର ସମୟରେ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଦ୍ୟାଳୟ କୁ ୪୫ଲକ୍ଷ ଟଙ୍କା ଅନୁଦାନ ଯୋଗାଇଦେଇଥିଲେ। ବିଦ୍ୟାଳୟ ପାଣ୍ଠିରେ ୧୦ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ୩୫ଲକ୍ଷ ଟଙ୍କାରେ ୫ଟି କାର୍ଯ୍ୟଟି ଅନୁମୋଦନ କରାଯାଇଥିଲା। ଏହି ଟଙ୍କା ବିନିମୟରେ ବ୍ଲକ ପ୍ରଶାସନ ପକ୍ଷରୁ ବିଦ୍ୟାଳୟରେ ୨ଟି ସ୍ମାଟ କ୍ଲାସ ରୁମ୍, ଗୋଟିଏ ସାଇନ୍ସ ଲ୍ୟାବ, ଇ -ଲାଇବ୍ରେରୀ, ଛାତ୍ର, ଛାତ୍ରୀ ଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା, ବିଦ୍ୟାଳୟ ମୁଖ୍ୟ ଫାଟକ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଫେବର କବ ଇଟା ବିଛାଇବା କାମ ଆଦି କରାଯିବା କଥା। ମାତ୍ର ଏଥିରେ ବ୍ୟାପକ ଅନିୟମିତତା କରାଯାଇ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ହେଉଛି। ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ୪ବଖରା ଘର ତିଆରି ହୋଇଥିବା ବେଳେ ଦୁଇଟି ବଖରା ପ୍ଳାଷ୍ଟର ସହ ମରାମତି ହୋଇଛି।ପୂର୍ବରୁ ଥିବା ପୁରୁଣା ଫଳକ ଓ ଫାଟକ ଯେମିତି ଥିଲା ସେମିତି ଅଛି। ଉକ୍ତ ଠିକାଦାର ରୂପାନ୍ତରଣ କାର୍ଯ୍ୟ ଦାୟିତ୍ୱ ନେଇ ବିଦ୍ୟାଳୟ ତରଫରୁ ହୋଇଥିବା ଶ୍ରେଣୀ ଗୃହକୁ କେବଳ ପ୍ଳାଷ୍ଟର ସହ ଉପର ମହଲା ରେ ବ୍ୟବହୃତ ଜି ଆଇ ବାର ଜାଲି କରିଛନ୍ତି। ଏହା ସହ” ପୁରୁଣା ବହିରେ ନୂଆ ମଲାଟ “କାର୍ଯ୍ୟ ଭଳି ଆଗ ପାର୍ଶ୍ୱ ଗୁଡିକ ରଙ୍ଗରେ ଦୁଇଟି କୋଟ ଦେଇଥିବା ବେଳେ ପଛ ପାର୍ଶ୍ୱରେ ଗୋଟିଏ କୋଟ ରଙ୍ଗ ମାରି କାମ ସାରି ଦେଇଛନ୍ତି। ତଳେ ପକା ଯାଇଥିବା ଫେବର କବ ଇଟା ଅସମ୍ପୂର୍ଣ୍ଣ ରହିଛି। ପିଲାଙ୍କ ପାଇଁ ପୂର୍ବରୁ ୨ଟି ଶୌଚାଳୟ ଥିଲା। ୫ଟି ଅନୁଦାନ ରୁ ଆଉ ୨ଟି ଶୌଚାଳୟ କରିବାର ଥିଲା। କିନ୍ତୁ ଠିକାଦାର କରିନାହାନ୍ତି। ଇ -ଲାଇବ୍ରେରୀ ଓ ସାଇନ୍ସ ଲ୍ୟାବ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ। ୫ଟି କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ସ୍ୱାଇଁ ଉଦୁବେଗ ପ୍ରକାଶ କରିଛନ୍ତି।ଅନେକ ସ୍ଥାନରେ କାମ ନିମ୍ନ ମାନର ହେଉଥିବା ସହ ରଙ୍ଗ ଗୁଡିକ ଅନେକ ସ୍ଥାନରୁ ଛାଡି ଗଲାଣି। ଏହା ସହ ଅଧପାନ୍ତରିଆ ଅବସ୍ଥାରେ ପଡି ରହୁଥିବା ଦେଖିବାକୁ ମିଳୁଛି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଅସ୍ତରଙ୍ଗ ବିଡ଼ିଓ ଙ୍କୁ ଲିଖିତ ଓ ମୌଖିକ ଜଣାଇଥିଲେ ମଧ୍ୟ ଅନୁରୋଧ ରଖୁନାହାନ୍ତି କି କୌଣସି ଆପତ୍ତି ଗୁଡିକ କର୍ଣ୍ଣପାତ କରୁନାହାନ୍ତି। ଯାହାକି ଚର୍ଚ୍ଚା ହେଉଛି ରାଜନୀତି ଛତ୍ର ଛାୟାରେ ଚାପ ରହୁଛନ୍ତି ସରକାରୀ ଅଧିକାରୀ, ଅଧିକାରିଣୀ ବୋଲି ଚର୍ଚ୍ଚା ଜୋର ଧରିଛି। ଯାହାକି ସାଧାରଣ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅସ୍ତରଙ୍ଗ ବିଡ଼ିଓ ଙ୍କ ୫ଟି କାର୍ଯ୍ୟ ଅନିୟମିତତା ନେଇ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ। ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ବିଦ୍ୟାଳୟ ରୂପାନ୍ତରଣ ସଠିକ ନିର୍ମାଣ ହୋଇଛି କି ନାହିଁ ଉଚ୍ଚ ସ୍ତରୀୟ ଅଧିକାରୀ ବିଦ୍ୟାଳୟ ଗ୍ରସ୍ତ କରି ତଦନ୍ତ କରିବା ସହ ପୁରୀ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଭିଜିଲାନ୍ସ ସ୍ୱତନ୍ତ୍ର ଟିମ୍ ବିଦ୍ୟାଳୟ ଗ୍ରସ୍ତ କରି ୫ଟି ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରିବାକୁ ଦାବୀ ହୋଇଛି। ଯାହା ଫଳରେ ୫ଟି ଅର୍ଥ କୁ ଆତ୍ମସାଥ କରୁଥିବା କୁଜି ନେତା, ସରକାରୀ କର୍ମଚାରୀ ଙ୍କ ପ୍ରକୃତ ଘଟଣା ସାମ୍ନାକୁ ସରକାରୀ ଅର୍ଥ ହରିଲୁଟ ସାମ୍ନାକୁ ଆସି ପାରନ୍ତା।


