ସରୁସାଗର, କପାଳୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି, ଲୋକେ ଆତଙ୍କିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଲଘୁଚାପ ଜନିତ ବର୍ଷା ଯୋଗୁ ବନ୍ତ ବ୍ଲକର ସରୁସାଗର ଓ କପାଳୀ ନଦୀର ଜଳସ୍ତର ବୃଦ୍ଧି ପାଇବାର ଲାଗୁଛି । ବିଶେଷକରି ସରୁସାଗର ନଦୀର ଜଳସ୍ତର ବଢିବା ଦ୍ୱାରା ଓଡଙ୍ଗ, ଗଣିଜାଙ୍ଗ ପଞ୍ଚାୟତର ତଳିଆ ଅଞ୍ଚଳ ଗୁଡିକ ଜଳବନ୍ଦୀ ରହିବା ସହ ରାସ୍ତା ଉପରେ ପାଣି ଚାଲୁଥିବାର ଦେଖାଯାଇଛି । ସେହିପରି କପାଳୀ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଫଳରେ ଛୟାଳସିଂ ପଞ୍ଚାୟତର ବରହମପୁର, ପଳସା, ଛୟାଳସିଂ ଆଦି ଗ୍ରାମର ରାସ୍ତା ଓ ଚାଷ ଜମି ପାଣିରେ ବୁଡି ଯାଇଛି । ଗଣିଜାଙ୍ଗ ପଞ୍ଚାୟତର ଇଛାପୁର, କନ୍ତିଆ, ରୂପୁଡି, ନାରାୟଣପୁର, ରାମକୃଷ୍ଣପୁର, ନାହୋ ରାସ୍ତାରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି । ରାମପୁରର ତଳିଆ ଅଞ୍ଚଳରେ ଅନେକ ଚାଷ ଜମି ପାଣିରେ ବୁଡି ରହିଥିବା ବେଳେ ରାସ୍ତାରେ ପାଣି ଚାଲୁଥିବାର ଦେଖାଯାଇଛି । ସେହିପରି ବିନାୟକପୁର, ଗୋପାଳପୁର, ବରହମପୁର, ଇଛାପୁର ଆଦି ଗ୍ରାମର ଚାଷ ଜମିରେ ପାଣି ପସି ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି । ଆଗାମୀ ୧୭ ତାରିଖରେ ଆଉ ଏକ ଲଘୁଚାପ ଆସୁଥିବାରୁ ଚାଷୀକୂଳରେ ଛାନିଆଁ ପସିଛି । ଚାଷୀ ମାନେ ବିଭିନ୍ନ ସମିତି ଓ ବ୍ୟାଙ୍କରୁ ଋଣ କରି ଚାଷ କରିଥିବାରୁ ଏବେ ଫସଲହାନୀ ନେଇ ସେମାନେ ମୁଣ୍ଡରେ ହାତ ଦେଇଛନ୍ତି । ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରି କ୍ଷତିପୂରଣ ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ