ସାର କଳାବଜାରୀ ନେଇ ତହସିଲଦାରଙ୍କୁ ଦାବିପତ୍ର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): କରୋନା ମହାମାରୀ ସହିତ ଚଳିତବର୍ଷ ବର୍ଷା ଅଭାବ କାରଣରୁ ସାଧାରଣ ଜୀବନ ଦୁର୍ବିସହ ହୋଇପଡିଛି। ବିଶେଷକରି ଚାଷୀ ବନ୍ଦୀ ଘରର ଜନ ସାଧାରଣ ବର୍ତ୍ତମାନ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି। ମରୁଡି ପରିସ୍ଥିତି ସତ୍ତ୍ୱେ କେତେକ ସ୍ଥାନରେ ବିଭିନ୍ନ ଜଳ ଉତ୍ସକୁ ଭରସା କରି ଲୋକେ ଧାନ ଚାଷ କରିଥିବାବେଳେ ସାରର କଳାବଜାରୀ ସେମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ଦେନାଧାର କରି ବହୁ କଷ୍ଟେ ଚାଷ କରିଥିବା ଚାଷୀ ମାନେ ଚଢା ଦରରେ ସାର କ୍ରୟ କରି ଶୋଷଣର ଶିକାର ହେଉଛନ୍ତି। ଏସମ୍ପର୍କରେ ଅଲ ଇଣ୍ଡିଆ କ୍ଷେତ ମଜଦୂର ସଂଘ ଭଣ୍ଡାରିପୋଖରୀ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କମିଟି ସଦସ୍ୟ ଦିଗମ୍ବର ସ୍ବାଇଁଙ୍କ ନେତୃତ୍ୱରେ ସଦସ୍ୟ ମାନେ ଆଜି ତହସିଲ ଠାରେ ପହଂଚି ମରୁଡ଼ିର ସ୍ଥାୟୀ ପ୍ରତିକାର ସହିତ କୃଷି ଋଣ ସମ୍ବନ୍ଧୀୟ ୧୧ଦଫା ସମ୍ବଳିତ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ପର୍ଶୁରାମ ଲେଙ୍କା, ସାକ୍ଷୀଗୋପାଳ ବେହେରା, ଅନାମ ସାମଲ, ରାମଚନ୍ଦ୍ର ଶଙ୍ଖୁଆ, କୀର୍ତ୍ତନ ବିହାରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।