ଭାରତ ବନ୍ଦ ସଫଳ ଆଗକୁ କଳାକାନୁନ ବିରୋଧୀ ଆନ୍ଦୋଳନ ତୀବ୍ର ହେବ

ବାଲିପାଟଣା, (ଯୁଗାବ୍ଦ ନ୍ୟୁଜ):ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ତିନି କଳାକାନୁନ ବିରୋଧରେ ଦିଆଯାଇଥିବା ଭାରତ ବନ୍ଦ ଡ଼ାକରା ସଫଳ ହୋଇଛି ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ତଥା ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି । ସେ କହିଛନ୍ତି ଯେ, କଳା କାନୁନ୍ ବିରୋଧରେ ତମାମ ଦେଶରେ ଦିଆଯାଇଥିବା ବନ୍ଦ ଡ଼ାକରା ଆଜି ଓଡ଼ିଶାରେ ସଫଳ ହୋଇଛି । ୩୦ଟି ଜିଲ୍ଲାରେ କୃଷକ ସଂଗଠନ ଓ କଂଗ୍ରେସ, କମ୍ୟୁନିଷ୍ଟ ଭଳି ରାଜନୈତିକ ଦଳମାନେ ପୂର୍ବ ଡ଼ାକରା ଅନୁଯାୟୀ ରାସ୍ତାକୁ ଓହ୍ଲାଇଛନ୍ତି । ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ରାଜ୍ୟ କଂଗ୍ରେସ ଦଳ, ସିପିଆଇ, ସିପିଏମ୍‌, ସିପିଆଇ (ଏମ୍‌ଏଲ), ଫରୱାର୍ଡ଼ ବ୍ଲକ ସହ ନବ ନିର୍ମାଣ କୃଷକ ସଂଗଠନ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲା । ଆନ୍ଦୋଳନକାରୀମାନଙ୍କୁ ଉଦ୍‌ବୋଧନ ଦେଇ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, କେନ୍ଦ୍ର ସରକାର ମନେ କରୁଛନ୍ତି ଯେ, ତାଙ୍କ ସଂଖ୍ୟା ଗରିଷ୍ଠତା ଅଛି ଅର୍ଥ, ସେ ଧରାକୁ ସରା ମନେ କରୁଛନ୍ତି । ଏହି ଅହଙ୍କାରରେ କୃଷକମାନଙ୍କ ସହ ଆଦୌ ପରାମର୍ଶ ନକରି କୌଣସି ଆଇନ୍ କାନୁନ୍‌କୁ ପାଳନ ନ କରି ମନମୁଖୀ ଭାବେ ଚାଷୀମାନଙ୍କ ବିରୁଦ୍ଧରେ ଠିକା ଚାଷ, ଘରୋଇ ମଣ୍ଡି ଆଇନ୍ ଆଣି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ ୧୯୫୫କୁ ପ୍ରତ୍ୟାହାର କରିଛନ୍ତି । ଏହା ବିରୁଦ୍ଧରେ ରାଜ୍ୟରେ ସମସ୍ତେ ବ୍ୟାପକ ଭାବରେ ସଚେତନତା ସୃଷ୍ଟି କରିବା ସହ କୃଷି ବିରୋଧୀ ଆଇନ ବାତିଲ ପାଇଁ ଆନ୍ଦୋଳନକୁ ଲମ୍ଫ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ମାଟିତଳେ ଥିବା ଖଣି, କୋଇଲା, କ୍ରୋମ୍‌, ବକ୍ସାଇଟ୍ ବିକ୍ରି ପରେ ଏବେ ସରକାର ପାରାଦ୍ୱୀପ ପୋର୍ଟ ଠାରୁ ରେଲୱେ ପର୍ଯ୍ୟନ୍ତ ସମସ୍ତ ସମ୍ପତ୍ତିକୁ ଘରୋଇକରଣ କରିବାକୁ ଲାଗି ପଡ଼ିଛନ୍ତି । ଏହି ଦେଶବିକ୍ରି ନୀତି ବିରୁଦ୍ଧରେ ଚାଷୀମାନେ ମଧ୍ୟ ସଂଗ୍ରାମରେ ସାମିଲ୍ ହେବେ । ଗୋଟିଏ କୃଷିପ୍ରଧାନ ଦେଶରେ କୃଷି ବିରୋଧୀ ନୀତି ପ୍ରଣୟନକୁ କୌଣସିମତେ ବରଦାସ୍ତ କରାଯିବନି ବୋଲି ଶ୍ରୀ ନନ୍ଦ କହିଥିଲେ । ସମସ୍ତ ରାଷ୍ଟ୍ରାୟତ୍ତ ସମ୍ପତ୍ତିକୁ ଶାଗ ମୁଗ ଦରରେ ଘରୋଇ କମ୍ପାନୀକୁ ଦେଲା ପରେ ଏବେ ଚାଷୀମାନଙ୍କ ପାଳି ପଡ଼ିଛି । ମୋଦି ସରକାର ଦେଶର ସମସ୍ତ କୃଷିକ୍ଷେତ୍ରକୁ ଠିକାଚାଷ ମାଧ୍ୟମରେ କମ୍ପାନୀ ହାତକୁ ଟେକି ଦେବାକୁ ଚାହୁଁଥିଲା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ୍ ୧୯୫୫ ବାତିଲ୍ କରି ଦେଶର କୋଟି କୋଟି ଲୋକଙ୍କୁ ଅନାହାର ମୃତ୍ୟୁ ମୁହଁକୁ ଠେଲି ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି, ଏହାକୁ କୌଣସିମତେ ସଫଳ କରିବାକୁ ସୁଯୋଗ ଦିଆଯିବ ନାହିଁ । ଆନ୍ଦୋଳନ ଚାଲିଥିବା ସମୟରେ ଶତାଧିକ ଚାଷୀନେତାମାନଙ୍କୁ ପୋଲିସ୍ ଗିରଫ କରିଥିଲା । ବନ୍ଦ ପାଳନରେ ଚାଷୀମାନଙ୍କ ପାଇଁ ବ୍ୟବସାୟରେ କ୍ଷତି ସହି ବନ୍ଦକୁ ସଫଳ କରିଥିବା ବସ୍‌ମାଲିକ ସଂଘ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ବନ୍ଦକୁ ସଫଳ କରିଥିବାରୁ ଶ୍ରୀ ନନ୍ଦ କୃତଜ୍ଞତା ଜଣାଇଛନ୍ତି । ଆଜିର ଆନ୍ଦୋଳନରେ ସଂଗଠନର ବରିଷ୍ଠ ନେତା ସୁରେନ୍ଦ୍ରନାଥ ମହାରଣା, ନିରଞ୍ଜନ ପ୍ରଧାନ, ଭରତଚନ୍ଦ୍ର ସ୍ୱାଇଁ, ଚିତ୍ତରଞ୍ଜନ ନନ୍ଦ, ଅକ୍ଷୟ ଦାସ, ଆଶିଷ ବେହେରା ପ୍ରମୁଖ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ