“ଦେଶର ଅର୍ଥନୀତି ବିକାଶରେ ଶିଳ୍ପର ଭୂମିକା” ଆଲୋଚନା ଚକ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ ) : ବ୍ରହ୍ମପୁର ସ୍ଥିତ ମହାନ ସଂଘ ପକ୍ଷରୁ ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଦେଶର ଅର୍ଥନୀତି ବିକାଶରେ ଶିଳ୍ପର ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଅର୍ଥନୀତି ବିକାଶରେ ଶିଳ୍ପର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ପ୍ରତି ବେକାର ସମସ୍ୟା ଦୂରୀକରଣ ପାଇଁ ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ସ୍ବାବଲମ୍ବୀ କରିବା ନିମନ୍ତେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାରକ୍ଷମ କରିପାରିବା ନିମନ୍ତେ ଶିଳ୍ପପତି ହେବା ସ୍ବପ୍ନ ଦେଖନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଉଦୟ ନାଥ ପ୍ରଧାନ, ସମାଜସେବୀ ତଥା ଉଦ୍ୟୋଗପତି ନାରସୁ ଜେନା,ଅଧ୍ୟକ୍ଷ ବି, ଗୋବିନ୍ଦ ରାଓ, ଏସିଏଫ୍ ଏମ୍ ମୋତିଲାଲ, ସମାଜସେବୀ ଏମ୍ ରଜାକ୍,ଶୂଳପାଣି ଶତପଥୀ,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ବିଶ୍ବାଳ, ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର,ଏମ୍,ଡି ଇଲିଜିଆସ ଖାନ ଏବଂ ବିଶ୍ଵଭାରତୀ ସଭାପତି କୁଞ୍ଜ ବିହାରୀ ନାୟକ ପ୍ରମୁଖ ଶିଳ୍ପାୟନ ଉପରେ ଆଲୋକପାତ କରିଥିଲେI କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ଵଭାରତୀ ଛାତ୍ରୀ ଅଙ୍କିତା ପ୍ରଧାନ, ଲୋପାମୁଦ୍ରା ସେଠୀ ଓ ମାନସୀ ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ଗଙ୍ଗାଧର ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ