ପ୍ରଶାସନ ଓ ରାଜନୈତିକ ଚକ୍ରବ୍ୟୁହରେ କୃଷକ ଯୋଜନା

ହଳଧର ଧୀର
ଓଡ଼ିଶାକୁ ଶିଳ୍ପସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ଯେଉଁ ଭଳିଭାବେ ବ୍ୟଗ୍ର ଓ ତତ୍‌ପର ଠିକ୍ ସେହିପରି ଭାବେ ଲୋକଙ୍କର ଜୀବନ ଓ ଜୀବିକା ପ୍ରତି ବିଶେଷ ଧ୍ୟାନ ଦେବା କ୍ଷେତ୍ରରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଉଛି । ସେଇଥିପାଇଁ ଲୋକଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠୁଛି ଯେ ସେମାନଙ୍କର କବର ଉପରେ କ’ଣ ସରକାର ଶିଳ୍ପପ୍ରତିଷ୍ଠା କରିବାକୁ ସଂକଳ୍ପ ବଦ୍ଧ କି? ଲୋକମାନଙ୍କର ସ୍ୱାର୍ଥ ପାଇଁ ଶିଳ୍ପ ନାଁ ଶିଳ୍ପପତି ମାନଙ୍କର ସ୍ୱାର୍ଥପାଇଁ ଶିଳ୍ପ । ଲୋକମାନଙ୍କର ଉନ୍ନତ ଜୀବନଧାରଣ ପାଇଁ ସରକାର ଯେତେ ପ୍ରକାର ଘୋଷଣା କରିଛନ୍ତି ତା’ର ସୁଫଳ ସେମାନଙ୍କ ନିକଟରେ ପହଞ୍ôଚ ପାରୁଛି କି ନାହିଁ ତାହାର ପ୍ରକୃତ ଅନୁଧ୍ୟାନ ହେବା କଥା । ଅପରପକ୍ଷରେ ସରକାରଙ୍କୁ ଅନ୍ଧାରରେ ରଖି ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରୀତା ନେଇ ଛାୟା ରିପୋର୍ଟ ଅଥବା ବିଭ୍ରାନ୍ତମୂଳକ ତଥ୍ୟ ଯଦି ପ୍ରଦାନ କରାଯାଉ ନଥାନ୍ତା ତେବେ ଯୋଜନାଗୁଡ଼ିକ ଦିଗହରା ଦେବାର କାରଣ କ’ଣ ହୋଇପାରେ? ଏହା ନିଶ୍ଚୟ ଚିନ୍ତାର ବିଷୟ । କିନ୍ତୁ ଦୁର୍ଭାଗ୍ୟର କଥା ଶୀତତାପ ନିୟନ୍ତ୍ରୀତ କୋଠରୀରେ ବସି ବିଚାର ବିମର୍ଶ କରାଯାଇ ପ୍ରସ୍ତୁତ ହେଉଥିବା ଯୋଜନା, ଓ ପରାମର୍ଶ ସତରେ କ’ଣ ଲୋକମାନଙ୍କ ବାସ୍ତ ଜୀବନ ରେଖାକୁ ଛୁଇଁ ପାରୁଛି, ନାଁ, ସେମାନଙ୍କର ଭାଗ୍ୟ ରେଖାକୁ ବଦଳାଇ ପାରୁଛି । ସରକାର ନିଶ୍ଚିତ ଭାବରେ ବହୁ ଭଲ ଯୋଜନା କରୁଛନ୍ତି । ଜନସାଧାରଙ୍କର ମନ ଓ ହୃଦୟକୁ ଯୋଜନାଗୁଡ଼ିକ ମଧ୍ୟ ଛୁଇଁ ପାରୁଛି । କିନ୍ତୁ ଏହାର ସଫଳ ରୂପାୟନ ଦିଗରେ ଯଦି ଆନ୍ତରୀକତାର ଅଭାବ ରହେ, ତେବେ ସରକାରୀ ଯୋଜନାଗୁଡ଼ିକ କିପରି ଲୋକଙ୍କ ପାଖରେ ପହଞ୍ôଚପାରିବ? ଯୋଜନାଗୁଡ଼ିକ ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କର ଓ ପ୍ରଶାସନର ଗୁରୁଦାୟିତ୍ୱ ରହିଛି । ଲୋକ ପ୍ରତିନିଧିମାନେ ସେମାନଙ୍କ ଅଞ୍ଚଳରେ ସରକାରଙ୍କର ଯୋଜନାଗୁଡ଼ିକୁ ଦଳମତ ନିର୍ବିଶେଷରେ ଯଦି ନିଷ୍ଠାର ସହ କାର୍ଯ୍ୟକାରୀ କରିପାରନ୍ତେ ତେବେ ନିଶ୍ଚୟ ଯୋଜନାଗୁଡ଼ିକର ସଫଳତାର ଶ୍ରେୟ ଖାଲି ସରକାର ବା ଶାସକ ଦଳକୁ ନହେଁ ବରଂ ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ ଯାଇପାରନ୍ତା । ଦଳୀୟ ଦୃଷ୍ଟିକୋଣୀର ଉର୍ଦ୍ଧରେ ରହି ଜନପ୍ରତିନିଧିମାନେ ଯଦି ନିଜ ନିଜ ଅଞ୍ଚଳରେ ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟକରନ୍ତେ ତେବେ ଯୋଜନାଗୁଡ଼ିକ ଶତକଡ଼ା ଶହେ ଭାଗ କାର୍ଯ୍ୟକାରୀ ହୋଇ ନପାରିଲେ ବି କେତେକାଂଶରେ ତ ନିଶ୍ଚୟ ସଫଳ ହୋଇପାରନ୍ତା ଏବଂ ଜନପ୍ରତିନିଧି ମାନଙ୍କର ସ୍ଥିତିକୁ ମଧ୍ୟ ସୂଦୃଢ଼ କରିପାରନ୍ତା । କିନ୍ତୁ ଦୁର୍ଭାଗ୍ୟର କଥା ଲୋକ ପ୍ରତିନିଧିମାନେ ଗ୍ରାମଠାରୁ ସହରପର୍ଯ୍ୟନ୍ତ ଲୋକମାନଙ୍କର ସୁଖ ଦୁଃଖରେ ନିଜକୁ କେତେଦୂର ସାମିଲ କରି ପାରୁଛନ୍ତି ତାହା ନିଜକୁ ନିଜେ ପ୍ରଶ୍ନକରି ନିଶ୍ଚିତ ଭାବରେ ବୁଝି ପାରୁଥିବେ । ସବୁଠାରୁ ଦୁଃଖର ବିଷୟ ଆପେ ବଞ୍ôଚବା ନ୍ୟାୟରେ ଓ ମାନସିକତାରେ ଏ ସମାଜ ଆଜି ପଙ୍ଗ ହୋଇଯିବାକୁ ବସିଲାଣି । ପ୍ରତି କ୍ଷେତ୍ରରେ ଦ୍ୱନ୍ଦ ଓ ହିଂସାର ଉତ୍‌ପୀଡ଼ନରେ ଆଜି ମଣିଷ ଭାରାକ୍ରାନ୍ତ ହୋଇ ପଡ଼ିଲାଣି । ମଣିଷ ମୁହଁରେ ଚେନାଏ ତୃପ୍ତିର ହସଖୋଜି ପାଇବା ସାତସପନ । ମଣିଷ ଯେମିତି ଏକ ଯନ୍ତ୍ରମାନବ ପାଲଟିଗଲାଣି । ଆସନ୍ତୁ ପୁଣି ଫେରିବା ସେହି ମୂଳପ୍ରସଙ୍ଗକୁ । ଯେଜନାର କାର୍ଯ୍ୟକାରିତାକୁ । ସରକାରଙ୍କର ବହୁ ଯୋଜନା ଭିତରେ ଥିବା କୃଶି ଯୋଜନା ଅନ୍ୟତମ । କୃଷକମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା ହେଉଛି । ଅନେକ ଯୋଜନା ଭିତରୁ କେତେକ କାର୍ଯ୍ୟକାରୀ ହେଉଛି ତ କେତେକ ଅଧାପାନ୍ତରିଆ ହୋଇ ପଡିରହୁଛି । ଉଦାହରଣ ସ୍ୱରୂପ ରେଙ୍ଗାଲୀ ଜଳସେଚନ ଯୋଜନା ଅନ୍ୟତମ । ଏହି ଯୋଜନାରେ କୋଠାବାଡି ନିର୍ମାଣ, ଯନ୍ତ୍ରାପତିକିଣା, ସର୍ଭେ, ଅଫିସର ଓ କର୍ମଚାରୀଙ୍କ ଦରମା, ବିସ୍ଥାପିତମାନଙ୍କ ଥଇଥାନ , ଜମି ଅଧିଗ୍ରହଣ ଓ କ୍ଷତିପୂରଣ, ବନ୍ଧ ନିର୍ମାଣ, ଦକ୍ଷିଣ ଓ ବାମପଟ କେନାଲ ଖୋଳା ଓ ଯୋଜନାର ରୂପରେଖ ପ୍ରସ୍ତୁତିରେ ଖାଲି ଖାଲି ଶହଶହ କୋଟି ଟଙ୍କା ବ୍ୟୟ ହୋଇସାରିଲାଣି । ତଥାପି ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କଚ୍ଛପ ଗତିରେ ଚାଲିଥିବା ଏହି ଯୋଜନାର ଅଗ୍ରଗତି ହୋଇପାରୁ ନାହିଁ, କି ଚାଷିମାନଙ୍କର କୃଷି କ୍ଷେତ୍ରକୁ ଜଳସେଚିତ କରାଯାଇ ପାରୁନାହିଁ । ଭୁଲ୍ ସର୍ଭେ ପ୍ରକ୍ରିୟାଯୋଗୁ ଆଜି କେନାଲ ଖୋଳାର ରୂପରେଖ ବଦଳି ଯିବା ସ୍ୱାଭାବିକ । କାଣ ଦୀର୍ଘ ବିଳମି୍‌ବିତ ଯୋଜନା ଯୋଗୁ ଓ ଭୁଲ୍ ସେର୍ଭ ଯୋଗୁ କେନାଲ ଯିବା ମାର୍ଗରେ ଆଜି ଶିଳ୍ପାନୁଷ୍ଠାନ, ଖଣିଖାଦାନ, ସହରବଜାର ଓ ଜନବସତି ତଥା ସୁ ଉଚ୍ଚଅଟାଳିକାମାନ ଗଡ଼ି ଉଠିଛି । ତେବେ ଏଠାରେ ସ୍ୱତଃପ୍ରଶ୍ନ ଉଠେ କଣେମାଣେ ଜମିରେ ଯଦି ଚାଷ ନହୋଇ ପାରିଲା ତେବେ ସେଠାରେ କୋଠାବାଡି ନିର୍ମାଣ ହେବା ଏକ ସ୍ୱଭାବିକ ପ୍ରକ୍ରିୟା । ଯଦି ଚାଷଜମି ନାହିଁ, ତେବେ କେଉଁ ଜମିରେ କେନାଲ ଦ୍ୱାରା ଜଳସେଚିତ କରାଯାଇପାରିବ । ବୋଧେ ଏହାର ଉତ୍ତର କାହା ପାଖରେ ନଥିବ । ଆଜି ରେଙ୍ଗାଳି ଯୋଜନା ସୁଫଳକୁ ଚାହିଁ ଚାହିଁ ଅନେକ ଚାଷି ଆଖି ବୁଜିଲେଣି । ଆଉ ଆରପାରିରେ ରହି ଆଜି ଚାଷୀର ଆତ୍ମା ଗୁମରୁ ଗୁମୁରି କାନ୍ଦୁଛି । ଆଉ ଶୂନ୍ୟେକୁ ଚାହିଁ ରହିଥିବା ଚାଷୀ ଆଜି ଭାବୁଛି ଶହଶହ କୋଟିଟଙ୍କା ବ୍ୟୟର ଏହି ଯୋଜନା କାହା ସ୍ୱାର୍ଥରେ । ସତରେ ସାଂପ୍ରତିକ ସ୍ଥିତିରେ ଗଢ଼ି ଉଠିଥିବା ଅତ୍ୟାଧୁନିକ ସଭ୍ୟତାର କବର ଉପରେ ଏହି କେନାଲ ଖୋଳାଖାଇ ଚାଷୀର ଭାଗ୍ୟ ପରିବର୍ତ୍ତନ କରାଯାଇ ପାରିବ । କେତେକ ସେହିପରି କାଗଜ କଲମରେ ଯୋଜନାର ପୁର୍ଣ୍ଣାଙ୍ଗ ରୂପରେଖ ତିଆରି କରାଯାଇ ଫାଇଲ୍ ଭିତରେ ସମାଧିସ୍ଥ ହୋଇ ରହିଯାଉଛି ବା ବନ୍ଦ ହୋଇ ପଡ଼ିରହୁଛି । ଆମଦେଶ ଓ ରାଜ୍ୟଗୁଡ଼ିକରେ ସ୍ୱାଧୀନତା ପରବର୍ତ୍ତୀ କ୍ଷେତ୍ରରେ କୃଷିକୁ ଅନେକ ଗୁରୁତ୍ୱ ଦିଆଯାଉଥିଲା । ଆମ ପଡ଼ୋଶିରାଜ୍ୟ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇ ଥିବାରୁ ସେହି ରାଜ୍ୟ ବିଶ୍ୱର କୃଷି ମାନଚିତ୍ରରେ ତାର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଆନ୍ଧ୍ରପ୍ରଦେଶ ତାର ନିଜସ୍ୱ ବାସ୍ତବବାଦୀ କୃଷିନୀତି ଯୋଗୁ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ଘଟିବା ଫଳରେ କୃଷିକ୍ଷେତ୍ରର ଉନ୍ନତି ହେବା ସଂଗେ ସଂଗେ କୃଷକ ମାନଙ୍କର ଆର୍ଥିକ ମେରୁଦଣ୍ଡ ମଧ୍ୟ ସୁଦୃଢ ହୋଇ ପାରିଥିଲା । ଯାହା ଫଳରେ କି ଆଜି ବିଜ୍ଞାନ ପ୍ରଯୁକ୍ତ ଓ ଶିକ୍ଷା କ୍ଷେତ୍ରରେ ଏହି ରାଜ୍ୟ ବହୁ ଉନ୍ନତି କରିଥିଲେ ବି କୃଷିକ୍ଷେତ୍ର ତାର ସ୍ଥିତିକୁ ସେହିପରି ସୁଦୃଢ଼ କରି ରଖିପାରିଛି । ପରବର୍ତ୍ତୀ ସମୟରେ କୃଶି କ୍ଷେତ୍ରର ମୂଳଦୂଆ ସୁଦୃଢ଼ କରାଯାଇ ପାରିଥିବାରୁ ଆଜି ଆନ୍ଧ୍ରପ୍ରଦେଶର କୃଷିକ୍ଷେତ୍ର ସୁଦୃଢ଼ ରହିଛି ଓ କୃଷକ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ରାଜ୍ୟର ସରକାର ଶିଳ୍ପ, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ କୃଷିକ୍ଷେତ୍ର ବିକାଶଧାରାର ପ୍ରଧାନ୍ୟତାକୁ କେବେ ହେଲେ ନ୍ୟୁନ କରିନଥାନ୍ତି । କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଓଡ଼ିଶା କୃଷିକ୍ଷେତ୍ରରେ କାହିଁକି ଯେ ଅବହେଳିତ ତାହା ଠିକ୍ ଭାବରେ ବୁଝାପଡ଼େନା । ଆମ ରାଜ୍ୟ କେବଳ ଶିଳ୍ପର ବିକାଶ ପାଇଁ କେଉଁ ସରକାର ହଜାର ଦିନରେ ହଜାର ଶିଳ୍ପର ଡାକରା ଦେଲେଣି ତ ଆଉ କେଉଁ ସରକାର ବୃହତ ଶିଳ୍ପର ସ୍ୱପ୍ନକୁ ସାକାର କରିବାକୁ ବଡ଼ ବଡ଼ ଶିଳ୍ପପତିମାନଙ୍କର ସରଣାପର୍ଣ୍ଣ ହେଲେଣି । ଦେଶ ଓ ରାଜ୍ୟର କୃଷିକ୍ଷେତ୍ରକୁ ଅବହେଲା କରିବା । କୃଷିକ୍ଷେତ୍ରର ଉନ୍ନତି ପାଇଁ ଆମ ସରକାର ଯୋଜନା ପରେ ଯୋଜନା ଗୁଡ଼ିକର ଘୋଷଣା କରି ଚାଲିଛନ୍ତି । ତଥାପି ରାଜ୍ୟରେ କୃଷିକ୍ଷେତ୍ରର ବିକାଶ ଘଟୁନାହିଁ । ଏହି କ୍ଷେତ୍ର ଯେପରି ଆଉ କିଛି ଦିନପରେ ଶୂନ୍ୟହୋଇ ଯିବାକୁ ବସିଲାଣି । ଗାଁ ଠାରୁ ସହର ଉପକଣ୍ଠଯାଏ ହଜାର ହଜାର ଏକ ଚାଷଜମି ପଡ଼ିଆ ପଡୁଛି । ବାସ୍ତବତାର ଏହି ନଗ୍ନ ଦୃଶ୍ୟକୁ ନ ଦେଖିବା ପାଇଁ ବୋଧେ ସମସ୍ତଙ୍କ ଆଖିରେ ଅନ୍ଧପୁଟୁଳି ବନ୍ଧାହୋଇଛି । କୃଷିକ୍ଷେତ୍ରର ବିକାଶ ସହିତ ଅନ୍ୟାନ୍ୟ କ୍ଷେତ୍ରର ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କୃଷିର ଉନ୍ନତି ପାଇଁ କୃଷିଭିତ୍ତିକ ଶିଳ୍ପର ମଧ୍ୟ ଆବଶ୍ୟକତା ରହିଛି । କୃଷିକ୍ଷେତ୍ରକୁ ଅବହେଳା କରି ବହୁତ ଶିଳ୍ପ ସ୍ଥାପନକୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ୍ ନୁହେଁ । ଏହା ଫଳରେ କୃଷିକ୍ଷେତ୍ର ଅବହେଳିତ ହୋଇଯାଏ । କିନ୍ତୁ ଏହା ସତ୍ୟ ଯେ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଜଳ, ଜଂଗଲ, ପରିବେଶ, କୃଷିଭିତ୍ତିକ ଶିଳ୍ପ, ତୈଳ ଓ ସାରକ୍ଷେତ୍ର, ଇସ୍ପାତ ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ମଧ୍ୟ ଆବଶ୍ୟକତା ରହିଛି । ତଥାପି କୃଷି ଏକ ଏଭଳି କ୍ଷେତ୍ର ମଣିଷ ଓ ଜୀବଜଗତକୁ ଆହାର ଯୋଗାଏ ଓ ଶିଳ୍ପକ୍ଷେତ୍ରକୁ ମଧ୍ୟ ସମୃଦ୍ଧକରେ ଆଉ ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହୋଇଥାଏ । ତେଣୁ ଆମରାଜ୍ୟ ସରକାର କୃଷିର ଉନ୍ନତି ପାଇଁ ଗଭୀର ଚିନ୍ତା କରିବାର ସମୟ ଆସିଛି । କୃଷିକ୍ଷେତ୍ର ବିପର୍ଣ୍ଣ ହୋଇ ପଡିଲେ ଭବିଷ୍ୟତରେ ରାଜ୍ୟବାସୀ ପେଟକୁ ଗଣ୍ଡାଏ ଦାନା ଯୋଗାଡ କରିବା କଷ୍ଟକର ହୋଇପଡ଼ିବ । ସମୟ ଆସିଛି- ଅବହେଳିତ କୃଷିକ୍ଷେତ୍ରର ବିକାଶ ପାଇଁ ଖାଲି ସରକାର ନୁହଁନ୍ତି, ଓଡ଼ିଶାବାଶୀ ମଧ୍ୟ ଚିନ୍ତା କରିବା ଉଚିତ୍ ବା ଆତ୍ମଚିନ୍ତନ କରିବା ଉଚିତ୍ ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଋଜ୍ଞବସକ୍ଷ:ଷବକ୍ଷବୟଷବକ୍ସ.ୟଷସକ୍ସଅଶଜ୍ଞବସକ୍ଷ.ମକ୍ଟଜ୍ଞ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ